ଶିରିଡି: ଆଜିଠୁ ଶିରିଡି ବନ୍ଦ। ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ମନ୍ତବ୍ୟକୁ ଦୃଢ଼ ବିରୋଧ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶିରିଡିରେ ବନ୍ଦ ଡାକରା ଦିଆଯାଇଛି। ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।
ଆଜିଠୁ ଶିରିଡିରେ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ, ହୋଟେଲ ଓ ଆଶ୍ରମ ବନ୍ଦ ରହିବ। ଫଳରେ ପ୍ରତିଦିନ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ମନ୍ଦିର ଖୋଲା ରହିବ ବୋଲି ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଟ୍ରଷ୍ଟର ସିଇଓଙ୍କ କହିବା ଅନୁସାରେ, ମନ୍ଦିର ସମ୍ପୂର୍ଣ୍ଣ ଭାବେ ଖୋଲା ରହିବ। ଏହାସହ ମନ୍ଦିର ସହ ଜଡ଼ିତ ସବୁ ଅନୁଷ୍ଠାନ ଯେପରିକି ସାଇ ପ୍ରସାଦାଳୟ, ସାଇ ହସ୍ପିଟାଲ, ସାଇ ଭକ୍ତ ନିବାସ ଖୋଲା ରହିବ। ସେହିପରି ରାଜ୍ୟ ପରିବହନ ନିଗମର ସବୁ ବସ୍ ମଧ୍ୟ ଚଳାଚଳ କରିବ। କିନ୍ତୁ ଘରୋଇ ବସ୍ ଓ ଅନ୍ୟ ଘରୋଇ ଯାନବାହନ ଚଳାଚଳ ବନ୍ଦ ରହିବ।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ପାଥରୀକୁ ସାଇବାବାଙ୍କ ଜନ୍ମସ୍ଥାନ କହିବା ପରେ ଏହି ବିବାଦ ତେଜିଛି। ଶିରିଡି ଗ୍ରାମବାସୀ ଦାବି କରିଛନ୍ତି ଯେ, ଯେପର୍ଯ୍ୟନ୍ତ ମୁଖ୍ୟଖମନ୍ତ୍ରୀ ତାଙ୍କ ମନ୍ତବ୍ୟରୁ ଓହରି ନାହାନ୍ତି ସେପର୍ଯ୍ୟନ୍ତ ବନ୍ଦ ଜାରି ରହିବ।
from OTV Khabar. https://ift.tt/36b4YQp
No comments: