ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ମାତ୍ର ୩ ଦିନରେ ୧୯ ଜଣଙ୍କ ପ୍ରାଣ ନେଲାଣି ଦୁର୍ଘଟଣା Kanak News

କନକ ବ୍ୟୁରୋ : ଦୁର୍ଘଟଣା ହ୍ରାସ କରିବାକୁ ଉଭୟ ପରିବହନ ବିଭାଗ ଓ ପୁଲିସର କେତେ କ’ଣ ପଦକ୍ଷେପ ନେଇଛନ୍ତି। ଇତିମଧ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଛି। ମଦ୍ୟପ ଚାଳକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ ସହ ସେମାନଙ୍କୁ ଗିରଫ ମଧ୍ୟ କରାଯାଉଛି। ଜାତୀୟ ରାଜପଥର ବିଭିନ୍ନ ସ୍ଥାନକୁ ବ୍ଲାକସ୍ପଟ୍ ଭାବେ ଚିହ୍ନଟ କରାଯାଇ ସତର୍କ ସୂଚନା ଦିଆଯାଇଛି। ଜାତୀୟ ରାଜପଥ ଉପରେ ପୁଲିସର ପାଟ୍ରୋଲିଂ ସାଙ୍ଗକୁ ଇଣ୍ଟରସେପ୍ଟର ବ୍ୟବସ୍ଥା, ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଘରକୁ ନୋଟିସ୍ ଏବଂ ଏତେ ସବୁ ଆଇନ କାନୁନ ଓ କଡ଼ା ନିୟମ ସତ୍ତ୍ବେ ସଡ଼କ ଦୁର୍ଘଟଣା କମିବାର ନାଁ ଧରୁ ନାହିଁ। ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୧୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଗୁରୁତର ଆହତ ହୋଇଛନ୍ତି। କିଏ ତୀର୍ଥ ଯାତ୍ରାରୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ତ ଆଉ କିଏ ବେପରୁଆ ଗାଡ଼ି ଚାଳନା ଯୋଗୁଁ ପ୍ରାଣ ହରାଇଛି।

ଦୁର୍ଘଟଣାରେ ଦୁଇ ସମୁଦୁଣୀଙ୍କ ମୃତ୍ୟୁ ଘଟିଛି ତ ଆଉ କେଉଁଠି ପତିପତ୍ନୀ, ଦୁଇ ସଡୁ, ବାପ-ପୁଅ ଓ ଭାଇ-ଭାଇଙ୍କ ଜୀବନ ଯାଇଛି। ଗତକାଲି ଭୋର୍ ସମ୍ବଲପୁରରେ ଟ୍ରକ୍ ମାଡ଼ିଯିବାରୁ ୪ ଜଣ ଦୋକାନୀଙ୍କ ମୃତ୍ୟୁ ହୋଇଛି। ରାଜଗାଙ୍ଗପୁର ରାମାବାହଲପୁରରେ ଏକ କାର୍ ଶ୍ରମିକମାନଙ୍କ ଉପରେ ମାଡ଼ି ଯିବାରୁ ୫ ଜଣଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ଚଳିତ ମାସ ୨୦ ତାରିଖ। ସକାଳୁ ସକାଳୁ ପୁରୀ ଜିଲ୍ଲା କଣାସ ବ୍ଲକ ଏକ ବସ୍ ଦୁଇ ସମୁଦୁଣୀଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ସେମାନେ ହେଲେ, ନୟନା ସାହୁ ଓ ସରୋଜିନୀ ସାହୁ। ତୀର୍ଥଯାତ୍ରା ସାରି ଗାଁକୁ ଫେରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ଏହି ଘଟଣାର କିଛି ସମୟ ପରେ କେଉଁଝର ଜିଲ୍ଲା ଚମ୍ପୁଆରେ ଏକ ବଲେରୋ ସହ ବାଇକ୍ ଧକ୍କା ହେବାରୁ ଘଟଣାସ୍ଥଳରେ ରାଜେଶ ମୁଣ୍ଡା ଓ ତାଙ୍କ ସମ୍ପର୍କୀୟା ମହିଳା ସୁକୁମତୀ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା। ସେହିଦିନ ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରୁଦ୍ରପୁର ନିକଟରେ ଏକ ଟ୍ରକ୍କୁ ପଛ ପଟୁ ପିଟିଥିଲା ଟାଭେରା। ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଜଣେ ମୃତକଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଅବିନାଶ ପ୍ରଧାନ, ପୁଅ ଅଂଶୁମାନ ପ୍ରଧାନ ଓ ସଡ଼ୁ ବଳରାମ ସାହୁଙ୍କ ମୃତ୍ୟୁ ଘଟିଥିଲା। ତାରିଣୀ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ଘଟିଥିଲା।

୨୧ ତାରିଖରେ ସମ୍ବଲପୁରରେ ହେଉଥିବା ଏକ ଧନୁଯାତ୍ରା ମେଳା ଭିତରକୁ ଧସେଇ ପଶିଥିଲା କୋଇଲା ବୋଝେଇ ଟ୍ରକ୍। ଚାଳକଙ୍କ ବେପରୁଆ ଚାଳନା ଯୋଗୁଁ ୪ ଜଣ ଦୋକାନୀଙ୍କ ମୃତ୍ୟୁ ଘଟିଥିଲ। ସେମାନେ ହେଲେ, ମହମ୍ମଦ ତୟବ, ମହମ୍ମଦ ସୟଦ, ମହମ୍ମଦ ୱାକର ଆଲମ୍, ମହମ୍ମଦ ଡାନିସ୍। ଏହି ଘଟଣାରେ ଏକାଧିକ ଗୁରୁତର ମଧ୍ୟ ହୋଇଛନ୍ତି। ଏହା ପୂର୍ବରୁ ସକାଳୁ ସକାଳୁ ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଜଣ ଚାଳକ ଉତ୍ତମ ସାହୁ ଓ କୁନା ମାଣିକଙ୍କ ସେହି ସ୍ଥାନରେ ଜୀବନ ଚାଲି ଯାଇଥିଲା। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ହଂସପାଳ ଛକରେ ବାଇକ-ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ରାଜକିଶୋର ପରିଡ଼ାଙ୍କ ମୃତ୍ୟୁ ଘଟିଥିଲା।

ଏ ସମ୍ପର୍କରେ ପୁଲିସ ମୁଖ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, ଦୁର୍ଘଟଣା ହ୍ରାସ କରିବାକୁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି। ବିଶେଷକରି ମଦ୍ୟପ ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତ ୩ ମାସ ମଧ୍ୟରେ ୧୦ ହଜାର ମଦ୍ୟପ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନା ଆଦାୟ କରାଯାଇଛି। ଏଥି ମଧ୍ୟରୁ ୮ ହଜାର ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ ମଧ୍ୟ କରାଯାଇଛି।



from Kanak News https://ift.tt/2NR5CMR https://ift.tt/2MnzgbZ
ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ମାତ୍ର ୩ ଦିନରେ ୧୯ ଜଣଙ୍କ ପ୍ରାଣ ନେଲାଣି ଦୁର୍ଘଟଣା Kanak News ବଢିବାରେ ଲାଗିଛି ସଡକ ଦୁର୍ଘଟଣା । ମାତ୍ର ୩ ଦିନରେ ୧୯ ଜଣଙ୍କ ପ୍ରାଣ ନେଲାଣି ଦୁର୍ଘଟଣା Kanak News Reviewed by SUBHENDU BARAL on January 22, 2020 Rating: 5

No comments:

Powered by Blogger.