ଜେଏନୟୁ ହିଂସାକାଣ୍ଡ ପରେ ଭୟଭୀତ ଓଡିଆ ଛାତ୍ରଛାତ୍ରୀ । କିଏ କ୍ୟାମ୍ପସ ଛାଡିଲାଣି ତ ପୁଣି କିଏ ଓଡିଶା ଫେରିଲାଣି Kanak News

କନକ ବ୍ୟୁରୋ: ଜେଏନୟୁରେ ହିଂସାକାଣ୍ଡ ପରେ ସେଠାରେ ଅଧ୍ୟୟନ କରୁଥିବା ଓଡ଼ିଆ ଛାତ୍ରଛାତ୍ରୀ ଭୟ ଓ ଆଶଙ୍କା ମଧ୍ୟଦେଇ ଗତି କରୁଥିବା ଜଣାପଡ଼ିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଛାତ୍ରଛାତ୍ରୀ ଦିଲ୍ଲୀ ଠାରେ ଥିବା ନିଜର ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଛନ୍ତି। ଆଉ କିଛି ଛାତ୍ରଛାତ୍ରୀ ଓଡ଼ିଶା ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଏଥିସହିତ, ଛାତ୍ରଛାତ୍ରୀ ଏବଂ ଓଡ଼ିଆ ଅଧ୍ୟାପକମାନେ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି।
ବର୍ତ୍ତମାନ ଜେଏନୟୁରେ ପାଖାପାଖି ୩ ଶହରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନେ ବିଶ୍ବବିଦ୍ୟାଳୟର ୧୭ଟି ଛାତ୍ରାବାସରେ ରହୁଛନ୍ତି। ମୁଖାପିନ୍ଧା ଦୁର୍ବୃତ୍ତ କ୍ୟାମ୍ପସ୍ ଭିତରେ ପ୍ରବେଶ କରି ଯେଉଁଭଳି ଭାବେ ହିଂସାକାଣ୍ଡ ଘଟାଇଲେ, ତାହାକୁ ନେଇ ଛାତ୍ରଛାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। କେତେବେଳେ କ’ଣ ଘଟିବ, ତାହାକୁ ନେଇ ମଧ୍ୟ ଆଶଙ୍କା ମଧ୍ୟଦେଇ କାଳତିପାତ କରୁଛନ୍ତି। ଏହା ସତ୍ତ୍ବେ ମଧ୍ୟ ଓଡ଼ିଆ ଛାତ୍ରଛାତ୍ରୀମାନେ ଘଟଣାର ତୀବ୍ର ନିନ୍ଦା କରିଛନ୍ତି।
ଜେଏନୟୁ ଛାତ୍ରସଂଘର ପୂର୍ବତନ ସାଧାରଣ ସମ୍ପାଦକ ତଥା ପିଏଚଡି ଛାତ୍ର ରାମ ନାଗଙ୍କ କହିବା ଅନୁସାରେ, କ୍ୟାମ୍ପସରେ ଯାହା କିଛି ହେଉଛି ତାହା ଆଦୌ ଶୁଭଙ୍କର ନୁହେଁ। ହିଂସାତ୍ମକ ଘଟଣାକୁ ନିନ୍ଦା କରାଯିବା ଦରକାର। ଅନ୍ୟ ଜଣେ ପିଏଚଡି ଛାତ୍ର ତଥା ନିକଟରେ ବାପସା ଦଳ ପକ୍ଷରୁ ଜେଏନୟୁ ନିର୍ବାଚନରେ ସଭାପତି ପଦରେ ଲଢ଼ି ହାରି ଯାଇଥିବା ଛାତ୍ର ଜିତେନ୍ଦ୍ର ସୁନା କହିଛନ୍ତି ଯେ, ଛାତ୍ରାବାସରେ ଯେଉଁଭଳି ଘଟଣା ଘଟିଛି ସେଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଜେଏନୟୁରେ ଶାନ୍ତିଶୃଙ୍ଖଳାର ବାତାବରଣରେ ଫେରାଇ ଆଣିବା ସମସ୍ତ ପାଇଁ ପ୍ରାଥମିକତା ରହିଛି ବୋଲି ସେ କହିଛନ୍ତି।
ଅନ୍ୟ କିଛି ଛାତ୍ରଛାତ୍ରୀ ସେମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ନାମ ପ୍ରକାଶ ନକରି ନ୍ୟାୟ ଦାବିରେ ସେମାନଙ୍କର ଆନ୍ଦୋଳନ ଜାରି ରହିବ ବୋଲି କହିଛିନ୍ତି। ଭବିଷ୍ୟତରେ ଏଭଳି ଘଟଣା ଯେଭଳି କ୍ୟାମ୍ପସରେ ନଘଟେ ଏବଂ ସମସ୍ତ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ, ସେ ନେଇ ଜେଏନୟୁ ପ୍ରଶାସନକୁ ମଧ୍ୟ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ଅଛି ବୋଲି ଓଡ଼ିଆ ଛାତ୍ରଛାତ୍ରୀ ମାନେ ମତବ୍ୟକ୍ତ କରିଛନ୍ତି।
from Kanak News https://ift.tt/39KVKgO https://ift.tt/2QRFOkn
No comments: