ସେସୁର ବିଜୁଳି କାଟ୍ ଅଭିଯାନ ଜାରି : ୩ ଦିନରେ ବକେୟା ବାବଦକୁ ଆଦାୟ କଲା ୪ କୋଟି ୮୬ ଲକ୍ଷ ଟଙ୍କା; କଟାଗଲା ୧୬୨୨ ଉପଭୋକ୍ତାଙ୍କ ବିଦ୍ୟୁତ୍ ସଂଯୋଗ Kanak News

କନକ ବ୍ୟୁରୋ: ସେସୁ ପକ୍ଷରୁ ବକେୟା ବିଦ୍ୟୁତ ବିଲ୍ ଆଦାୟ ଓ ସଂଯୋଗ ବିଚ୍ଛିନ୍ନ ଅଭିଯାନ ୪ର୍ଥ ଦିନରେ ପହଞ୍ଚିଛି। ଗତକାଲି ୧୬୨୨ଟି ବାଣିଜ୍ୟିକ ପ୍ରତିଷ୍ଠାନର ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ୪ କୋଟି ୮୬ ଲକ୍ଷ ଟଙ୍କା ବକେୟା ବିଲ୍ ଆଦାୟ ହୋଇଛି। ତେବେ ତିନିଦିନରେ ୧୪ କୋଟି ୯୧ ଲକ୍ଷ ଆଦାୟ ହୋଇଥିବା ବେଳେ ୫ହଜାର ୧୨୩ଟି ସଂଯୋଗ ବିଚ୍ଛିନ୍ନ କାରାଯାଇଛି। ୫ ହଜାର ୩୮୭ ଜଣ କିସ୍ତିରେ ଜମା କରିବା ପାଇଁ ଅନୁରୋଧ ପତ୍ର ଲେଖିଥିବା ବେଳେ ବିଲ୍ ସମୀକ୍ଷା ପାଇଁ ୨୪୧୦ଟି ଆବେଦନ ଆସିଛି।
ବାକି ପଡ଼ିଥିବା ଅର୍ଥ ଜମା କରିବାକୁ ଲୋକମାନଙ୍କର ଆଗ୍ରହ ଦେଖି ଆଜି ସମସ୍ତ ଡିଭିଜନ ଓ ସେକ୍ସନ କାର୍ଯ୍ୟାଳୟ ଖୋଲା ରଖିବାକୁ ସେସୁ ନିଷ୍ପତ୍ତି ନେଇଛି। ଉପଭୋକ୍ତା ଅନ୍ୟ ଦିନ ଭଳି ଆଜି ମଧ୍ୟ ଅଫିସ୍ ଆସି ବକେୟା ରାଶି ଜମା କରିପାରିବେ ବୋଲି ସେସୁ ପକ୍ଷରୁ କୁହାଯାଇଛି।
ଗତକାଲି ବକେୟା ରାଶି ଆଦାୟ କରିବା ପାଇଁ ୪୮୦ଟି ସ୍ବତନ୍ତ୍ର ସ୍କ୍ବାଡ୍ ୨୪୭ଟି ସେକ୍ସନରେ ୧୦ ହଜାର ୮୦୫ଟି ବାଣିଜ୍ୟିକ ପ୍ରତିଷ୍ଠାନ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଛତିଆ ବଜାରରେ ୧୪ଟି ବେଆଇନ ସଂଯୋଗ ଧରାପଡ଼ିଥିଲା। ଏହି ପ୍ରତିଷ୍ଠାନଗୁଡ଼ିକରୁ ବକେୟା ରାଶି ଆଦାୟ କରାଯିବା ସହ ସଂଯୋଗଗୁଡ଼ିକୁ ନିୟମିତ କରାଯାଇଥିଲା।
ଗତକାଲି ସୁଦ୍ଧା କଟକ ସିଡିଏ ଓ ବିଡ଼ାନାସୀ ଏବଂ ଭୁବନେଶ୍ବର ୟୁନିଟ-୬ ଅଞ୍ଚଳରେ ଥିବା ୬୭୭୩ଟି ବାଣିଜ୍ୟିକ ପ୍ରତିଷ୍ଠାନ ସମସ୍ତ ବକେୟା ରାଶି ଜମା କରିସାରିଥିବା ସେସୁ ସୂଚନା ଦେଇଛି। ଅନ୍ୟମାନେ ମଧ୍ୟ ବକେୟା ରାଶି ଜମା କରିବାକୁ ସେସୁ ଅନୁରୋଧ କରିଛି। ତେବେ ଗତକାଲିର ଅଭିଯାନରେ ଭୁବନେଶ୍ବର ବିଇଡି ଅଞ୍ଚଳରେ ସର୍ବାଧିକ ୧୭୬ଟି ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ସର୍ବାଧିକ ୬୦ ଲକ୍ଷ ୫୬ ହଜାର ଟଙ୍କା ବକେୟା ରାଶି ଆଦାୟ ହୋଇଛି। ସେହିଭଳି ଆଠଗଡ଼ରେ ୨୩ଟି ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ମାର୍ଶାଘାଇରେ ୪ ଲକ୍ଷ ୮୦ ହଜାର ଆଦାୟ ହୋଇଛି।
from Kanak News https://ift.tt/366YKBh https://ift.tt/2R4WWEG
No comments: