ଆଜି ‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଜନତାଙ୍କୁ ଫୋନ୍ କରି ସେବା ସଂପର୍କରେ ପଚାରି ବୁଝିବେ ନବୀନ Kanak News

କନକ ବ୍ୟୁରୋ: ଆଜି ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ । ଆଜିଠାରୁ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ‘ମୋ ସରକାର’ ଅଭିଯାନ । ପୂର୍ବରୁ ଗାନ୍ଧି ଜୟନ୍ତୀରୁ ଓଡିଶା ସରକାର ଏହି ଯୋଜନାର ଆରମ୍ଭ କରିବା ନେଇ ଘୋଷଣା କରିଥିଲେ । ସରକାରଙ୍କ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଲୋକଙ୍କ ପାଖରେ ସରକାରୀ ସୁବିଧା ପହଂଚାଇବା ମୋ ସରକାର ଅଭିଯାନ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।
ଫାଇବ୍-ଟି ଆଧାରରେ ଥାନା ଓ ଡାକ୍ତରଖାନା ଉପରେ ପ୍ରାଥମିକ ପର୍ଯ୍ୟାୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଲାଗୁ ହେବାକୁ ଯାଉଛି । ଥାନାରେ ଜନତା କେଉଁ ଭଳି ସୁବିଧା ପାଉଛନ୍ତି ଏବଂ ଡାକ୍ତରଖାନାରେ ରୋଗୀଙ୍କୁ କଣ ସୁବିଧା ମିଳୁଛି, ସେ ସଂପର୍କରେ ଲୋକଙ୍କୁ ଫୋନ୍ କରି ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ତୃଣମୂଳ ସ୍ତରରେ ଯେପରି ସାଧାରଣ ଲୋକଟିଏ ସରକାରଙ୍କ ବ୍ୟବସ୍ଥାର ସୁଫଳ ପାଇପାରିବ ତାରି ଉପରେ ଫୋକସ୍ କରିଛନ୍ତି ରାଜ୍ୟ ସରକାର ।
ସେପଟେ, ଆଜି ଠାରୁ ରାଜ୍ୟରେ ବନ୍ଦ ହେଲା ସିଙ୍ଗଲ ୟୁଜଡ୍ ପ୍ଲାଷ୍ଟିକ୍ ବା ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ । ଥରେ ବ୍ୟବହାର ହେଉଥିବା ଥର୍ମକୁଲ ଉପରେ ମଧ୍ୟ କଟକଣା ଲାଗିଛି । ଏହାକୁ ଆଉ ବ୍ୟବହାର କରିବାକୁ ଦିଆଯିବନାହିଁ । ଭୋଜିଭାତରେ ଆଉ ଥର୍ମୋକୁଲ ଥଳି, ଗ୍ଲାସ, ପ୍ଲେଟ୍, ଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍ ଗ୍ଲାସ ନଳୀ ପ୍ରଭୃତିର ବ୍ୟବହାର ଉପରେ ଲାଗିଲା କଟକଣା । ଆଜିି ଠାରୁ ଏହାର ବ୍ୟବହାର କରି ଧରାପଡିଲେ ଆପଣ ଦଣ୍ଡିତ ହୋଇପାରନ୍ତି ।
ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଉତ୍ପାଦନ କଲେ ଓ ମହଜୁଦ ରଖିଲେ ଆପଣଙ୍କୁ ୧ଲକ୍ଷ ଟଙ୍କା ଯାଏଁ ଫାଇନ ଦେବାକୁ ପଡିପାରେ । ଏଥିସହ ୫ବର୍ଷ ଜେଲ ମଧ୍ୟ ହୋଇପାରେ । ତେଣୁ ବଜାରରୁ ପରିବା ପାଇଁ ଯିବାବେଳେ କିଂବା କୌଣସି ସାମଗ୍ରୀ ଆଣିବାକୁ ଗଲା ବେଳେ ଏଣିକି ସାଙ୍ଗରେ କପଡା ବ୍ୟାଗ ନେବାକୁ ପଡିବ । ନଚେତ୍ ସିଙ୍ଗଲ ୟୁଜଡ୍ ପ୍ଲାଷ୍ଟିକ୍ ତ ମିଳିବନି । ଆଉ ଯଦି ବି ମିଳିଲା ଧରାପଡିଲେ ଆପଣ ବଡ ମାତ୍ରାରେ ଜରିମାନା ଗଣିବା ଏକ ପ୍ରକାର ନିଶ୍ଚିତ ।
from Kanak News https://ift.tt/2p6DU56 https://ift.tt/2nueVZi



No comments: