ଓଡ଼ିଶାରେ ମହାତ୍ମା ଗାନ୍ଧୀ: ଯାଜପୁରରୁ ଆରମ୍ଭ କରିଥିଲେ ପଦଯାତ୍ରା, ଚୁଟି କାଟିବା ପାଇଁ ରାଜୁ ବାରିକଙ୍କୁ ଦେଇଥିଲେ ୨ ଅଣା Kanak News

କନକ ବ୍ୟୁରୋ: ଉପକୂଳ ଓଡ଼ିଶାରେ ଆନ୍ଦୋଳନକୁ ଜୋରଦାର କରିବାର ଆବଶ୍ୟକତା ଅନୁଭବ କରି ଗାନ୍ଧୀଜୀ ଦ୍ବିତୀୟ ଥର ୧୯୩୪ ମେ ୨୧ତାରିଖରୁ ପଦଯାତ୍ରାରେ ବାହାରିଥିଲେ। ଏଥର ସେ ଓଡ଼ିଶାର ପୁରାତନ ରାଜଧାନୀ ଯାଜପୁର ଜିଲ୍ଲାରୁ ପଦଯାତ୍ରା ଆରମ୍ଭ କରିଥିଲେ। ମେ ୨୧ତାରିଖରେ ବଡ଼ଚଣା ବ୍ଲକର ବୈରୀ ଷ୍ଟେସନରେ ଓହ୍ଲାଇଥିଲେ। ସେ ବୈରୀରୁ ବରୀ ଯାଇ ୧୯୩୪ ଜୁନ୍ ୨ତାରିଖରେ ଭଦ୍ରକର ଭଣ୍ଡାରିପୋଖରୀ ଅଭିମୁଖେ ଯାତ୍ରା କରିଥିଲେ। ଗାନ୍ଧୀଜୀ ଦ୍ବିତୀୟ ଅସ୍ପୃଶ୍ୟତା ଉଚ୍ଛେଦ ପଦଯାତ୍ରାରେ ଯାଜପୁର ଜିଲ୍ଲା ସମେତ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରି ଜାତିଭେଦ ଦୂର ପାଇଁ ଜନସଚେତନତା ସୃଷ୍ଟି କରିବା ସହିତ ସ୍ବାଧୀନତା ପାଇଁ ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲେ। ଗାନ୍ଧୀଜୀ ଓଡ଼ିଆ ଭାଷା ଶିକ୍ଷା କରିବା ସହିତ ମନ୍ଦିରରେ ଦଳିତମାନଙ୍କର ପ୍ରବେଶକୁ ଉତ୍ସାହିତ କରିଥିଲେ। ଯାହାର ଦୃଷ୍ଟାନ୍ତ ବରୀ ପଦଯାତ୍ରା ସମୟରେ ଦେଖିବାକୁ ମିଳିଥିଲା।
୧୯୩୪ ମେ ୨୧ ତାରିଖ। ବୈରୀ ଷ୍ଟେସନ ଲୋକାରଣ୍ୟ। ପୁରୀ- ହାୱଡ଼ା ଏକ୍ସପ୍ରେସରୁ ଗାନ୍ଧୀଜୀ ଓହ୍ଲାଇଲେ। ତାଙ୍କ ସହିତ ଥିଲେ ବିନୋଦ କାନୁନଗୋ, ପ୍ରଭାବତୀ ଦେବୀ, ଆଶାଦେବୀ ପ୍ରମୁଖ ବ୍ୟକ୍ତି। ସେତେବେଳର ମୁଖ୍ୟ ପରିବହନ ମାଧ୍ୟମ ଶଗଡ଼ରେ ତାଙ୍କ ଜିନିଷପତ୍ର ଲଦା ହେଲା। କଇଥା ଚମ୍ପାପୁର ଆଶ୍ରମରେ ରାତ୍ରିଯାପନ କରିବା ସହିତ ପ୍ରାର୍ଥନା ସଭା ଅନୁଷ୍ଠିତ ହେଲା। ମାତ୍ର ସେଦିନ ଗାନ୍ଧୀଙ୍କ ମୌନବ୍ରତ ଥିବାରୁ ସେ କେବଳ ଉପସ୍ଥିତି ଜାହିର କଲେ। ରାତିରେ ବିଶ୍ରାମ ପରେ ସକାଳେ ଗାନ୍ଧୀଜୀଙ୍କ ଖିଅର ପାଇଁ ରାଜୁ ବାରିକଙ୍କୁ ଗାନ୍ଧୀଜୀଙ୍କ ପଟ୍ଟଶିଷ୍ୟ ଗୋବିନ୍ଦ ମିଶ୍ର ଡକାଇ ଆଣିଥାନ୍ତି। ରାଜୁ ମଧ୍ୟ ନିଜ ଗାମୁଛା ପାରି ଦେଇ ଗାନ୍ଧୀଜୀଙ୍କର ଚୁଟି କାଟିଲେ। ରାଜୁଙ୍କ ଚୁଟି କଟାରେ ଖୁସି ହୋଇ ତାର ପାରିଶ୍ରମିକ ବାବଦରେ ୨ଅଣା ଗାନ୍ଧୀଜୀ ଦେଲେ। ରାଜୁ ଭାବବିହ୍ବଳ ହୋଇ ସେହି ପଇସା ଗାନ୍ଧୀଜୀ ପାଦ ତଳେ ଥୋଇ ଦେଇ ଲମ୍ବ ହୋଇ ଶୋଇଯାଇ କହିଥିଲେ ଏହି ପଇସା ଆପଣ ସ୍ବରାଜ ଆନ୍ଦୋଳନ କାର୍ଯ୍ୟକ୍ରମରେ ଲଗାଇବେ। ସେହି ରାଜୁଙ୍କୁ ଗାନ୍ଧୀ ଆଲିଙ୍ଗନ କରି କହିଥିଲେ ତୁମର ଏ ଦାନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ। ଏପରିକି ମଧ୍ୟାହ୍ନରେ ଚମ୍ପାପୁର ହାଟରେ ଅନୁଷ୍ଠିତ ସାଧାରଣ ସଭାରେ ରାଜୁ ବାରିକଙ୍କ ୨ଅଣା ଦାନ କଥା ଗାନ୍ଧୀଜୀ କହିବା ସହିତ ରାଜୁ ଭଳି ଲୋକ ଆଗେଇ ଆସିଲେ ସ୍ବାଧୀନତା ପ୍ରାପ୍ତି ବିଳମ୍ବ ହେବ ନାହିଁ। ସଭାରେ ଗାନ୍ଧୀଜୀ ଅସ୍ପୃଶ୍ୟତା ଓ ଜାତି ଭେଦଭାବ ଉଚ୍ଛେଦ ଉପରେ ଗୁରୁତ୍ବ ଦେଇଥିବା ବେଳେ ମୌଳିକ ଶିକ୍ଷା, ପରିମଳ, ଧନ୍ଦାମୂଳକ ଶିକ୍ଷା ପ୍ରଭୃତି ଉପରେ ଲୋକମାନଙ୍କୁ ସଚେତନ କରିଥିଲେ।
ସଭା ପୂର୍ବରୁ ସକାିଳେ ଚମ୍ପାପୁର-ଛେଦା ରାସ୍ତା ସଫେଇ କରି ଲୋକଙ୍କ ମଧ୍ୟରେ ପରିମଳ ଓ ପରିବେଶ ସୁରକ୍ଷା ପ୍ରତି ଜାଗରଣ ସୃଷ୍ଟି କରିଥିଲେ। ଗାନ୍ଧୀଜୀଙ୍କର ଏହି ପଦଯାତ୍ରା ଯାଜପୁର ଜିଲ୍ଲା ଅତିକ୍ରମ କରି କଟକ ଓ ପରେ କେନ୍ଦ୍ରାପଡ଼ାର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ମେ ୩୦ରେ ଗାନ୍ଧୀଜୀ କେନ୍ଦ୍ରାପଡ଼ାର ଧୁମାତ ଛାଡ଼ିବା ପରେ ଅନ୍ୟାସୀପୁରରେ ପହଞ୍ଚିଥିଲେ। ଇଂରେଜଙ୍କ ଭୟରେ ଗାନ୍ଧୀଙ୍କୁ ଲୋକମାନେ ନିଜ ଘରେ ରଖିବାକୁ ଭୟ କରୁଥିବା ବେଳେ ଗାନ୍ଧୀ ମଧ୍ୟ ଖୋଲା ଆକାଶ ତଳେ ରହିବାକୁ ପସନ୍ଦ କରୁଥିଲେ। ବରୀ କଳାମାଟିଆର ଗଦାଧର ପାଳିତଙ୍କ ଆମ୍ବ ବଗିଚାରେ ରହିଥିବା ବେଳେ ତାଙ୍କ ସହିତ ମୀରାବେନ୍, ଗୋପବନ୍ଧୁ ଚୈାଧୁରୀ, ରାଜକୃଷ୍ଣ ବୋଷ, ରମାଦେବୀ, କେ ବୁଟେଶ, ଉମା, ବିନୋଦ କାନୁନଗୋ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ଗୁରନିଧି ମହାନ୍ତି, ସୁୁଶୀଳା ଦେବୀ, ଗୋଦାବରୀ ଦେବୀ, ମାଣିକ ଦେବୀ, ଶୋଭା ପଣ୍ଡା,ଅନ୍ନପୂର୍ଣ୍ଣା ଚୌଧୁରୀ, ତୁଳସୀ ଦେବୀ ପ୍ରମୁଖ ସାମିଲ ଥିଲେ।
ଜମିଦାର ବାମନ ଚରଣ ଦାସଙ୍କ ଚଉପାଡ଼ିରେ ଗାନ୍ଧୀ ବିଶ୍ରାମ ନେଇଥିଲେ। ଗାନ୍ଧୀଜୀଙ୍କ ବରୀ ଗସ୍ତ ସମୟରେ ପୂର୍ବତନ ବିଧାୟକ ରବି ଦାସଙ୍କ ପତ୍ନୀ ଗୋଦାବରୀ ଦେବୀ ତାଙ୍କୁ ଓଡ଼ିଆ ଶିଖାଇଥିଲେ। ଏହି ସମୟରେ ମଧ୍ୟ ଗାନ୍ଧୀଜୀ ବାମନ ଦାସଙ୍କ କୁଳଦେବତା ବଳଦେବ ମନ୍ଦିର ଭିତରକୁ ହରିଜନ ଲୋକଙ୍କ ପ୍ରବେଶକୁ ଅନୁମତି ଦେବାକୁ ପରାମର୍ଶ ଦେଇଥିଲେ। ଗାନ୍ଧୀଙ୍କ ପରାମର୍ଶକୁ ବାମନ ଦାସ ପାଳନ କରି ହରିଜନମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦେଇଥିଲେ। ଗାନ୍ଧୀଜୀ ବରୀରେ ରହୁଥିବା ସମୟରେ ବ୍ୟବହାର କରିଥିବା ବିଛଣାକୁ ସେତେବେଳେ ୧ଟଙ୍କାରେ ଦାଶରଥି ସାମଲ ନିଲାମରେ ନେଇଥିଲେ। ସେହିପରି ଶିକ୍ଷକ ପରମାନନ୍ଦ ନାୟକ ଆଙ୍କିଥିବା ଗାନ୍ଧୀଜୀଙ୍କର ଫଟୋଚିତ୍ରକୁ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ ୧୦ ଟଙ୍କାରେ ନେଇଥିଲେ। ଏପରିକି ସ୍ବାରାଜ ଆନ୍ଦୋଳନ ପାଇଁ ୧୦୮ଟଙ୍କା ଆଦାୟ କରି ଗାନ୍ଧୀଜୀଙ୍କୁ ପ୍ରଦାନ କରାଯାଇଥିଲା।
from Kanak News https://ift.tt/2nE17v9 https://ift.tt/2mO59kj



No comments: