
କନକ ବ୍ୟୁରୋ: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଇଁ ସାରା ଓଡ଼ିଶା ଉତ୍ସବ ମୁଖର। କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ପ୍ରମୁଖ ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ତତ୍ପରତା ଦେଖାଇଛନ୍ତି। ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ବି। ଏହାକୁ ବୁଦ୍ଧିଜୀବୀ ମହଲରେ ଶୁଭସଙ୍କେତ ବୋଲି କୁହାଯାଉଛି।
ଗାନ୍ଧୀଙ୍କୁ ନେଇ ସମଗ୍ର ରାଜ୍ୟରେ କୋଳାହଳ ବୃଦ୍ଧି ପାଇଛି ସିନା ଗାନ୍ଧୀ ବିଚାରଧାରା କିନ୍ତୁ ତୃଣମୂଳସ୍ତର ଯାଏ େଭଦିବା ଲାଗି େଯଉଁ କାର୍ଯ୍ୟକ୍ରମ ହାତକୁ ନିଆଯିବା ଦରକାର, ସେଥିରେ ଅଭାବ ଜଳ ଜଳ ହୋଇ ଦିଶୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କାର୍ଯ୍ୟକ୍ରମ ହାତକୁ ନେବା ଲାଗି ଉଦ୍ୟମ କରିଛନ୍ତି। ସରକାରୀସ୍ତରରେ ଏନେଇ ଘୋଷଣା ବି ହୋଇଥିଲା। ହେଲେ ପ୍ରଶାସନିକ କଳ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିର ଏମିତି ଡଙ୍କ ମୋଡ଼ି ଦେଇଛନ୍ତି ଯେ କାର୍ଯ୍ୟକ୍ରମ କେବଳ ଖବରକାଗଜ ପୃଷ୍ଠାରେ ହିଁ ସୀମିତ ରହିଯାଇଛି। କସ୍ତୁରବା ଗାନ୍ଧୀ ଆଦର୍ଶ ଗ୍ରାମ ପଞ୍ଚାୟତ େଘାଷଣା କଥା ହେଉ କି ଗାନ୍ଧୀ ଅଧ୍ୟୟନ କେନ୍ଦ୍ର। ଗାନ୍ଧୀ ସର୍କିଟ୍ ପ୍ରତିଷ୍ଠା ଠାରୁ ଆରମ୍ଭ କରି ନିଶା ନିବାରଣ କାର୍ଯ୍ୟକ୍ରମ, ଗ୍ରାମ୍ୟ ଶିଳ୍ପ ପ୍ରତିଷ୍ଠା ଯାଏ ଏହି ତାଲିକା ଏମିତି ଲମ୍ବିବ।
୧୯୨୧ ମସିହାରୁ ୧୯୪୬ ମସିହା ମଧ୍ୟରେ ମହାତ୍ମା ଗାନ୍ଧୀ ଓଡ଼ିଶାକୁ ଅନେକ ଥର ଆସିଛନ୍ତି। ଏହାକୁ ନେଇ ଆଜି ବି ବିତର୍କ ରହିଛି। କିଏ କହନ୍ତି ସାତ ଥର, ଆଉ କିଏ ଆଠ ଥର ଆସିଥିଲେ ବୋଲି କହୁଛନ୍ତି। ଓଡ଼ିଶାର ଗାଁ ଗଣ୍ଡାରେ ମହାତ୍ମାଗାନ୍ଧୀ ୬୯ ଦିନ (କିଏ କି ସତୁରି ଦିନ ବୋଲି ମଧ୍ୟ କହନ୍ତି) କଟାଇଛନ୍ତି। ତାହା ପୁଣି ସାଧାରଣ ଲୋକଙ୍କ ଗହଣରେ। ଏଥିରେ ମାସେ ବ୍ୟାପୀ ପଦଯାତ୍ରା ବି ରହିଛି। ଓଡ଼ିଶା ନେଇ ମହାତ୍ମା ଗାନ୍ଧୀ ଯେଉଁ କେତୋଟି ମୂଳ ପ୍ରସଙ୍ଗରେ ବାରମ୍ବାର ଠାରିଛନ୍ତି, ତାହା ହେଉଛି ଦାରିଦ୍ର୍ୟ, ନିଶା, ଆଳସ୍ୟ, ଜଡତା, କୃଷି ଓ ଗ୍ରାମ୍ୟ ଶିଳ୍ପର କଥା।
ଆଜି ଦିନରେ ଯେତେ କାର୍ଯ୍ୟକ୍ରମ ସରକାର ୧୫୦ତମ ଜନ୍ମ ବାର୍ଷିକୀ ପାଇଁ ହାତକୁ ନେଇଛନ୍ତି, ସେଥିରେ ମହାତ୍ମାଗାନ୍ଧୀଙ୍କ ବିଚାରର ଘୋର ଅଭାବ ପରିଲକ୍ଷିତ ହେଉଛି। ଦୁଇ ଚାରିଟି ଉଦାହରଣ ନେଲେ, ଏକଥା ସ୍ପଷ୍ଟ ହୋଇଯିବ। ୨୦୧୮ ସେପ୍ଟେମ୍ବର ୨୫ ତାରିଖ। ସଚିବାଳୟ (ବର୍ତମାନ ଲୋକସେବା ଭବନ)ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ୪୮ଟି କାର୍ଯ୍ୟକ୍ରମ ସରକାର ହାତକୁ ନେବେ ବୋଲି ସ୍ଥିର ହୋଇଥିଲା। ଇତିମଧ୍ୟରେ ଗୋଟିଏ ବର୍ଷ ବିତିଗଲା। ଚାରିଟି କାର୍ଯ୍ୟକ୍ରମ ବାସ୍ତବ ରୂପ ନେଇପାରିଲା ନାହିଁ। ସରକାର ନିଷ୍ପତ୍ତି ନେଇଥିଲେ, ପ୍ରତି ବ୍ଲକ୍ର ଗୋଟିଏ ପଞ୍ଚାୟତକୁ କସ୍ତୁରବା ଆଦର୍ଶ ଗ୍ରାମ ପଞ୍ଚାୟତ କରାଯିବ। ଏସବୁ ପଞ୍ଚାୟତ ସ୍ବାବଲମ୍ବୀ ହେବେ। ନିଶା ମୁକ୍ତ ଅଞ୍ଚଳ ଭାବେ ଚିହ୍ନଟ ହେବ। ପଞ୍ଚାୟତିରାଜ ବିଭାଗର ଅକ୍ଷମତା କାରଣରୁ ଗୋଟିଏ ବି ବ୍ଲକ ଏଭଳି ମାନ୍ୟତା ହାସଲ କରିଥିବା ନେଇ ସରକାର ଦାବି କରିପାରିବେ ନାହିଁ।
from Kanak News https://ift.tt/2oicN6W https://ift.tt/2pb9uyL
No comments: