ଚୂଡ଼ାନ୍ତ ହେଲା ‘ମୋ ସରକାର’ର ରୂପରେଖ : ଦଲାଲ ମୁକ୍ତ ଦାୟିତ୍ବ ଏସ୍ପିଙ୍କର, ଡାକ୍ତରଖାନା ଜଗିବେ ଜିଲ୍ଲାପାଳ Kanak News

କନକ ବ୍ୟୁରୋ : ପ୍ରତି ଜିଲ୍ଲାର ଏସପି ନିଶ୍ଚିତ କରିବେ ସରକାରୀ ବ୍ୟବସ୍ଥା ଦଲାଲ ମୁକ୍ତ ହେବ । ସେହିଭଳି ପ୍ରତି ଜିଲ୍ଲାର ସରକାରୀ ଡାକ୍ତରଖାନାରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ମିଳିବା ଦାୟିତ୍ବ ନିଶ୍ଚିତ କରିବେ ଜିଲ୍ଲାପାଳ । ଏମିତି ଉତ୍ତରଦାୟିତ୍ବ ଧାର୍ଯ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରୁ ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ, ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାର ବିଭିନ୍ନ ଥାନାର ପ୍ରଦର୍ଶନକୁ ନେଇ ତାହାର ରାଙ୍କିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲୋକମାନଙ୍କ ଠାରୁ ଯେଉଁ ମତାମତ ସଂଗ୍ରହ କରାଯିବ, ତା ଅନୁସାରେ ବିଭିନ୍ନ ଜିଲ୍ଲାଵାରି ଥାନାମାନଙ୍କର ଏହି ରାଙ୍କିଙ୍ଗ୍ କରାଯିବ ଓ ରାଜ୍ୟ ସରକାର ସେସବୁ ଥାନାକୁ ପୁରସ୍କାର ଦେବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିରେ ‘୫ଟି’କୁ ନେଇ ତନାଘନା କରୁଛନ୍ତି। ସ୍ବଚ୍ଛତାର ସହିତ ସମୟ ଭିତରେ ବିକାଶ କାର୍ଯ୍ୟକୁ ଆଗକୁ ନେବା ଲକ୍ଷ୍ୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହି କ୍ରମରେ ସମାନ୍ତରାଳ ଭାବେ ଆସନ୍ତା ୨ ତାରିଖରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାର ରୂପରେଖ ସଂପର୍କରେ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟର ସମସ୍ତ ଥାନାଧିକାରୀ, ପୁଲିସ ବାବୁ ଏବଂ ସବୁ ଡାକ୍ତରଖାନା ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆେଲାଚନା କରିଛନ୍ତି ।
ଗାନ୍ଧୀ ଜୟନ୍ତୀ ଦିନ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଓ ଯେକୌଣସି ଏକ ଥାନାରୁ ମୁଖ୍ୟମନ୍ତ୍ରୀ ଏହି କାର୍ୟ୍ୟକ୍ରମ ଆରମ୍ଭ କରିବେ । ଏ ନେଇ ସରକାରୀସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । ସେହିଦିନ ଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ କରି ଲୋକକଙ୍କ ଠାରୁ ସିଧା ସିଧା ମତାମତ ନେବେ । ଜଣେ ବରିଷ୍ଠ ଅଧିକାରୀଙ୍କର କହିବା ଅନୁସାରେ, ଥାନା ଓ ଡାକ୍ତରଖାନାକୁ ସର୍ବାଧିକ ଗୁରୁତ୍ବ ଦେବାର ଦୁଇଟି କାରଣ ରହିଛି । ପ୍ରଥମତଃ ଥାନାକୁ ଜଣେ ଅସୁବିଧାରେ ପଡି ଯାଇଥାଏ । ସେ ସମୟରେ ପ୍ରଶାସନ ଠାରୁ ସେ ନ୍ୟାୟ ଆଶା ରଖେ। ଏଠାରେ ଲୋକ ଯଦି ହାରାଶ ହେଉଛନ୍ତି, ତେବେ ସରକାରଙ୍କ ଉପରେ ସିଧାସଳଖ ଏହାର ପ୍ରଭାବ ପଡୁଛି । ସେହିଭଳି ଡାକ୍ତରଖାନାରେ ବି ।
ସଂପୃକ୍ତ ଅଧିକାରୀଙ୍କର କହିବା କଥା ହେଉଛି, ଏମିତିରେ ବି ବର୍ଷକୁ ପାଖାପାଖି ୬୦୦ କୋଟି ଟଙ୍କା ଏବେ ସରକାରୀ ଡାକ୍ତରଖାନା ପିଛା ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି । ୪୦୦ କୋଟି ଟଙ୍କା ଔଷଧ ପାଇଁ ଦିଆଯାଉଛି ଓ ପାଖାପାଖି ୨୦୦ କୋଟି ଟଙ୍କା ଭିତ୍ତିଭୂମି ଆଦି ବାବଦରେ । ଏତେ ଟଙ୍କା ଖର୍ଚ୍ଚ କରାଯିବା ପରେ ବି ସାଧାରଣ ଲୋକଟିଏ କାହିଁକି ସ୍ବାସ୍ଥ୍ୟ ସେବା ପାଇବ ନାହିଁ, ଏବଂ ଭୁଲ କାରଣ ଲାଗି ଡାକ୍ତରଖାନା ଚର୍ଚ୍ଚାକୁ ଆସିବ ? ଲୋକେ କାହିଁକି ବାହାରୁ ଔଷଧ କିଣିବେ । ଏଣୁ ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ସରକାର ଯେ କୌଣସି ପଦକ୍ଷେପ ନେବା ପାଇଁ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଡାକି ଏକଥା ସ୍ପଷ୍ଟ ଭାବେ କହିଛନ୍ତି ଯେ ଏଣିକି ସ୍ବାସ୍ଥ୍ୟ ସେବାରେ କ୍ଷେତ୍ରରେ ସାମାନ୍ୟତମ ଅବହେଳାକୁ ଆଉ ବରଦାସ୍ତ କରାଯିବ ନାହିଁ । ଏଣୁ ଉଭୟ କ୍ଷେତ୍ରକୁ ଟାର୍ଗେଟ କରି ଏହି କାର୍ୟ୍ୟକ୍ରମ ଆରମ୍ଭ ହେଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତରଖାନା କର୍ତୃପକ୍ଷଙ୍କ ସହିତ ଆେଲାଚନା କରିବା ପରେ ପରେ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏହି କ୍ରମରେ ଏବେ ସୁଦ୍ଧା ପାଖାପାଖି ୨୦୦ ଦଲାଲଙ୍କୁ ବନ୍ଧା ସରିଲାଣି । ଆଜି ଭୁବନେଶ୍ବର ଆରଟିଓ (୧)ଙ୍କ କାର୍ଯ୍ୟାଳୟ ପାଖରେ ଦଲାଲ କରିଥିବା ସବୁ ଅସ୍ଥାୟୀ ଘରକୁ ସରକାର ବୁଲଡୋଜର ଲଗାଇ ଭାଙ୍ଗି ଦେଇଛନ୍ତି । ଆଗକୁ ଏଭଳି ଅଭିଯାନ ଆହୁରି ବ୍ୟାପକ କରାଯିବ ବୋଲି ଜଣାପଡିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସରକାର ଏହି ଅଭିଯାନରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ଯାଉଛନ୍ତି । ଭଲ କାମ ପାଇଁ ଯେଭଳି ପଦୋନ୍ନତି ବ୍ୟବସ୍ଥା ରହିଛି, ଖରାପ କାମ ପାଇଁ ବି କାର୍ୟ୍ୟାନୁଷ୍ଠାନ ନିଆଯିବ ।
ଉଲ୍ଲେଖଯୋଗ୍ୟ, ଲୋକଙ୍କ ଟିକସ ଅର୍ଥରେ ଆମେ ଦରମା ନେଉଛୁ । ପ୍ରଶାସନ ଚାଲୁଛି । ତେଣୁ ସେମାନଙ୍କୁ ସମ୍ମାନ ଦେବା, ସର୍ବାଧିକ ଗୁରୁତ୍ବ ଦେଇ ସେମାନଙ୍କ କାମ କରିବା ବୋଲି ମୁଖ୍ୟମନ୍ତ୍ରୀଙ୍କ ବାଣୀର ପ୍ରଚାରପାଇଁ ସରକାର ଗାଁ ଗଣ୍ଡାରେ ବଡ଼ ଧରଣର ଅଭିଯାନ ଚଳାଇବେ ।
from Kanak News https://ift.tt/2nh5bBm https://ift.tt/2n5jxVv
No comments: