ବିଜେପୁରରେ ନୂଆ-ପୁରୁଣା ମଧ୍ୟରେ ଲଢେଇ ! ନିର୍ବାଚନ ପୂର୍ବରୁ ଗଡ ଜଗିଲାଣି ବିଜେଡି, ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ୩ ଦଳର ନେତା Kanak News

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ଲାଗି ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଘୋଷଣା ଶେଷ ହୋଇଛ। ଆଜି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିବେ। ଦୁଇ ପୁରୁଣା ମୁହଁ ବିଜେଡିର ରୀତା ସାହୁ ଓ ବିଜେପିର ସନତ ଗଡ଼ତିଆଙ୍କ ସହିତ କଂଗ୍ରେସର ନୂଆ ମୁହଁ ଦିଲୀପ ପଣ୍ଡାଙ୍କ ମଧ୍ୟରେ ମୁକାବିଲା ଲାଗି କ୍ଷେତ୍ର ମଧ୍ୟ ପ୍ରସ୍ତୁତ ହୋଇଛି। ଏଥିସହିତ ରାଜନୈତିକ ମହଲରେ ବିଜେପୁର ଉପନିର୍ବାଚନକୁ ନେଇ ଅବଗଣନା ମଧ୍ୟ ଆରମ୍ଭ ବି ଆରମ୍ଭ ହୋଇଗଲାଣି। ଏହି ମହଲରେ ତର୍ଜମା ଆରମ୍ଭ ହେଉଛି, କିଏ ଦଖଲ କରିବ ବିଜେପୁର?

ବିଜେପି ସାଂସଦ ସୁରେଶ ପୂଜାରୀ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି, ତାର ହିସାବ ମାଗିଛନ୍ତି। ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ବିଜେଡିର ଭାବମୂର୍ତି କଳା କରିବା ଲାଗି ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ସ୍ଥାନୀୟ ନେତାଙ୍କୁ ଦଳ ଟାର୍ଗେଟ କରିଥିଲା। ଅଭିଯୁକ୍ତକୁ ସୁରକ୍ଷା ଦେଉଥିବାର ଅଭିଯୋଗ ଆଣିଥିଲା ଦଳ। ରଣନୀତି ସୂଚାଇଲାଣି ଯେ, ସୁରେଶ ପୂଜାରୀଙ୍କୁ ସାମ୍ନାରେ ରଖି ବିଜେପି ଏହି ଉପନିର୍ବାଚନ ଲଢିବ।

କଂଗ୍ରେସ ନୂଆ ତରିକାରେ ନିର୍ବାଚନ ଲଢିବା ସଂପର୍କରେ ସୂଚାଉଛି। ଏଥର ନିର୍ବାଚନ ପରିଚାଳନା ଲାଗି ସ୍ଥାନୀୟ ୯ଜଣ ନେତାଙ୍କୁ ପିସିସି ଦାୟିତ୍ବ ଦେଇଛି ଓ ସମସ୍ତଙ୍କ ଠାରୁ ଆଗରେ ପ୍ରାର୍ଥୀ ଘୋଷଣା ବି କରିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ଯୁବ ନେତା ଦିଲୀପଙ୍କୁ ନିର୍ବାଚନ ମଇଦାନକୁ ଆଣି ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ବିକଳ୍ପ ଭାବେ ଉଭା କରାଇବାକୁ ଉଦ୍ୟମ କରିଛି। ହେଲେ ଦଳ ପାଇଁ ସମସ୍ୟା ହେଲା, ପୁଅକୁ ପ୍ରାର୍ଥୀ ନ କରାଯିବା କାରଣରୁ କଂଗ୍ରେସ ନେତା ରିପୁନାଥ ସେଠ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଲାଣି। ସେହିଭଳି ଗତ କିଛି ଉପନିର୍ବାଚନ ସୂଚାଇଛି ଯେ, ବିଭିନ୍ନ ରାଜନୈତିକ ଦଳ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଅର୍ଥ ନାହିଁ ଓ ଆକାଉଣ୍ଟ ନମ୍ବର ଦେଇ ଦଳୀୟ ନେତୃତ୍ବ ଟଙ୍କା ମାଗିବା ପରୋକ୍ଷରେ କର୍ମୀଙ୍କୁ ନିରୁତ୍ସାହିତ କରିଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୮ ବିଜେପୁର ନିର୍ବାଚନରେ ଦିବଙ୍ଗତ କଂଗ୍ରେସ ନେତା ସୁବଳ ସାହୁଙ୍କ ଧର୍ମପତ୍ନୀ ରୀତା ସାହୁ ବିଜେଡିର ବିଜେପୁର ପ୍ରାର୍ଥୀ ହୋଇଥିଲେ । କଂଗ୍ରେସ ଦୁର୍ଗ ଭେଦି ବିଜେଡି ନିଜ ପକେଟକୁ ଆଣିଥିଲା ଏହି ଆସନ। ୨୦୧୯ ସାଧାରଣ ନିର୍ବାଚନରେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରକୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ପ୍ରାର୍ଥୀ ହୋଇଥିଲେ । ବଡ଼ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିଥିଲେ। ସେତେବେଳେ ସନତ ଗଡତିଆ ପାଖାପାଖି ୫୧ ହଜାର ଭୋଟ ହାତେଇଥିଲେ ଓ ବିଜେପି ଦ୍ବିତୀୟ ସ୍ଥାନ ଦଖଲ କରିଥିଲା। ଉଭୟ ପୁରୁଣା ନେତାଙ୍କ ସହିତ ଏଥର ନୂଆ ପ୍ରାର୍ଥୀ ଭାବେ ବରଗଡ଼ ଜିଲ୍ଲା କଂଗ୍ରେସ ଉପସଭାପତି ଦିଲୀପ ପଣ୍ଡା ଲଢିବେ। ଏବେ ଦେଖିବା କଥା, ୨୦୧୮ ଉପ-ନିର୍ବାଚନର ପୁନରାବୃତ୍ତି ହେବ ନା ନାହିଁ? ସନତଙ୍କୁ ଭରସା ଓ ସୁରେଶଙ୍କ ନେତୃତ୍ବରେ ବିଜେପି ବାଜିମାତ୍ କରିବ? ନା ଦୁର୍ବଳ ହୋଇପଡ଼ିଥିବା ‘ହାତ’ ବଳ ଫେରିପାଇବ?
from Kanak News https://ift.tt/2oo6i2d https://ift.tt/2Qq0zH1
No comments: