ରାଜ୍ୟରେ ମୌସୁମୀ ଖେଳିଲା ଲୁଚକାଳି ଖେଳ ! ଜୁଲାଇ ପର୍ଯ୍ୟନ୍ତ ଦୁର୍ବଳ ଥିଲା, ସେପ୍ଟମ୍ବରରେ ପ୍ରବଳ ବର୍ଷିଲା Kanak News

କନକ ବ୍ୟୁରୋ : ଚଳିତ ବର୍ଷ ଜୁନ୍ ଏବଂ ଜୁଲାଇରେ ମୌସୁମୀ ଏତେ ଦୁର୍ବଳ ଥିଲା ଯେ ମନେ ହେଉଥିଲା ଯେମିତି ରାଜ୍ୟରେ ମରୁଡ଼ି ପଡ଼ିବ। ଏହି ସମୟରେ ୩୧.୫% ଓ ୯% କମ୍ ବର୍ଷା ରେକର୍ଡ ହୋଇଥିଲା। ହେଲେ ଅଗଷ୍ଟ (୨୪.୫%) ଓ ସେପ୍ଟେମ୍ବର (୫୩.୭%) ମାସରେ ଢେର୍ ଅଧିକ ବର୍ଷା ପରିସ୍ଥିତି ବଦଳାଇ ଦେଇଛି। କେବଳ ଦେବଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟରେ ସ୍ବାଭାବିକଠାରୁ ପାଖାପାଖି ୯.୯% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କିନ୍ତୁ ଯଦି ବ୍ଲକକୁ ୟୁନିଟ୍ ଧରାଯାଏ ତେବେ ୧୬୯ଟି ବ୍ଲକରେ ସ୍ବାଭାବିକ ଓ ୧୦୩ଟି ବ୍ଲକରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଅନ୍ୟପକ୍ଷରେ ୪୦ଟି ବ୍ଲକରେ ନିଅଣ୍ଟିଆ ଓ କେନ୍ଦୁଝର ଜିଲ୍ଲାର ଚମ୍ପୁଆ (୪୧.୬%) ଏବଂ ଝୁମ୍ପୁରାରେ (୪୩.୯%) ଅତି ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।

ଚଳିତ ବର୍ଷ ଦକ୍ଷିଣ ଓ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ଓଡ଼ିଶା ପ୍ରବେଶ କରିଥିଲା। ଜୁନ୍ ଦ୍ବିତୀୟ ସପ୍ତାହ ବଦଳରେ ୨୧ ତାରିଖରେ ଓଡ଼ିଶା ଛୁଇଁଲା, ତାହା ପୁଣି ୧୬ଟି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ। ଏହା ସଂଲଗ୍ନ ୬ଟି ଜିଲ୍ଲାରେ ଆଂଶିକ ପ୍ରବେଶ କରିଥିଲା। ପାଣିପାଗ ବିଭାଗ ଦାବି କରିଥିଲା ଯେ, ୨୨ ତାରିଖରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାରେ ସକ୍ରିୟ ହୋଇଥିଲା। କିନ୍ତୁ ଦୁର୍ବଳ ସ୍ଥିତି କାରଣରୁ ବର୍ଷା ହେଲାନି ଓ ଏହାର ପରିଣାମରେ ଜୁଲାଇ ତୃତୀୟ ସପ୍ତାହ ପର୍ଯ୍ୟନ୍ତ କୃଷି ବା ଚାଷ କାର୍ଯ୍ୟ ବିଳମ୍ବିତ ହୋଇଯାଇଥିଲା।

ରାଜ୍ୟ ସରକାରଙ୍କ ରିପୋର୍ଟ କହୁଛି ଯେ ଜୁଲାଇ ଶେଷ ସପ୍ତାହରୁ ବର୍ଷା ସ୍ଥିତି ବଦଳିଥିଲା। ଲଗାଣ ବର୍ଷା କାରଣରୁ ୩ଟି ପର୍ୟ୍ୟାୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବନ୍ୟା ସ୍ଥିତି ଉପୁଜିଥିଲା। ତୃତୀୟ ପର୍ଯ୍ୟାୟରେ ବଲାଙ୍ଗୀରରେ ରେକର୍ଡ ୫୫୫ ମିଲିମିଟର ବର୍ଷା ହେବା କାରଣରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସଂଖ୍ୟାନ ଆହୁରି ବୟାନ କରୁଛି ଯେ ଚଳିତବର୍ଷ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ଏହି ଜିଲ୍ଲାରେ ସ୍ବାଭାବିକଠାରୁ ୩୧.୯% ଅଧିକ ଅର୍ଥାତ୍ ୧୮୮୮.୬ ମିଲିମିଟର ବର୍ଷା ହୋଇଛି। କୋରାପୁଟ, କଳାହାଣ୍ଡି, ଝାରସୁଗୁଡା, ପୁରୀ, ମାଲକାନଗିରି, ବଲାଙ୍ଗୀର, ଗଞ୍ଜାମ, କନ୍ଧମାଳ, ସୋନପୁର, କଟକ ଭଳି ୧୦ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି।

ବରଗଡ଼, ଖୋର୍ଧା, ନୟାଗଡ଼, ନବରଙ୍ଗପୁର, ରାୟଗଡା, ଜଗତସିଂହପୁର, ଗଜପତି, ଯାଜପୁର, ସମ୍ବଲପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ନୂଆପଡ଼ା, ବୌଦ୍ଧ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଂଜ ଓ ଅନୁଗୁଳ ଆଦି ୧୯ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି। ଉଲ୍ଲେଖଯୋଗ୍ୟ, ଜୁନରୁ ସେପ୍ଟେମ୍ବର ୪ମାସ ମଧ୍ୟରେ ହାରାହାରି ୫୦.୨ ଦିନ ବର୍ଷା ହୋଇସାରିଛି। ଓଡ଼ିଶାରେ ହାରାହାରି ୫୨.୪ ଦିନ ବର୍ଷା ହୋଇଥାଏ। ଏ ମଧ୍ୟରୁ ୭.୪ ଦିନ ଜୁନ୍, ୧୩.୭ ଦିନ ଜୁଲାଇ, ୧୪.୬ ଦିନ ଅଗଷ୍ଟ ଓ ୧୪.୫ ଦିନ ସେପ୍ଟେମ୍ବରରେ ବର୍ଷା ହୋଇଥିବା ସରକାର ଦର୍ଶାଇଛନ୍ତି। ଏବେ ବି ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି ଓ ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ ଯଦି ସତ ହୁଏ, ତେବେ ଆଜିଠାରୁ ପୁଣି ବର୍ଷା ହୋଇପାରେ।



from Kanak News https://ift.tt/2mqRM9m https://ift.tt/2JKzfhk
ରାଜ୍ୟରେ ମୌସୁମୀ ଖେଳିଲା ଲୁଚକାଳି ଖେଳ ! ଜୁଲାଇ ପର୍ଯ୍ୟନ୍ତ ଦୁର୍ବଳ ଥିଲା, ସେପ୍ଟମ୍ବରରେ ପ୍ରବଳ ବର୍ଷିଲା Kanak News ରାଜ୍ୟରେ ମୌସୁମୀ ଖେଳିଲା ଲୁଚକାଳି ଖେଳ ! ଜୁଲାଇ ପର୍ଯ୍ୟନ୍ତ ଦୁର୍ବଳ ଥିଲା, ସେପ୍ଟମ୍ବରରେ ପ୍ରବଳ ବର୍ଷିଲା Kanak News Reviewed by SUBHENDU BARAL on September 30, 2019 Rating: 5

No comments:

Powered by Blogger.