ପୂର୍ବତନ ସାଂସଦଙ୍କୁ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ Rajalaxmi Sahoo

ନୂଆଦିଲ୍ଲୀ: ପୂର୍ବତନ ସାଂସଦମାନଙ୍କ ପ୍ରତି ମୋଦି ସରକାର କଠୋର ହୋଇଛନ୍ତି। ପୂର୍ବତନ ସାଂସଦମାନଙ୍କୁ ମିଳିଥିବା ସରକାରୀ ବଙ୍ଗଳା ଆସନ୍ତା ୭ ଦିନ ମଧ୍ୟରେ ଖାଲି କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ବିଶେଷ କରି ଆଭିଜାତ୍ୟସଂପନ୍ନ ଲଟିଏନ୍ସ ଦିଲ୍ଲୀ ଜୋନ୍‌ରେ ପୂର୍ବତନ ସାଂସଦମାନଙ୍କୁ ମିଳିଥିବା ଘର ଖାଲି କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏଥିପାଇଁ ୭ ଦିନର ସମୟ ଦିଆଯାଇଥିଲେ ହେଁ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଅର୍ଥାତ ଯେଉଁ ସାଂସଦମାନେ ବଙ୍ଗଳା ଖାଲି ନ କରିବେ, ସେମାନଙ୍କ ବାସଭବନକୁ ୩ ଦିନ ପରେ ପାଣି ଓ ବିଜୁଳି ଯୋଗାଣ ବନ୍ଦ କରି ଦିଆଯିବ ବୋଲି ଗତକାଲି ହାଉସିଂ କମିଟି ଅଧ୍ୟକ୍ଷ ସିଆର ପାଟିଲ କହିଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସମାନ କଥା ସିରିଜ୍‌ ଟ୍ୱିଟରେ କୁହାଯାଇଥିଲା। ୧୬ତମ ଲୋକସଭା ଭଙ୍ଗ ହୋଇସାରିଥିଲେ ହେଁ ଲଟିଏନ୍ସ ଜୋନ୍‌ରେ ଥିବା ସରକାରୀ ବଙ୍ଗଳାକୁ ଏକାଧିକ ପୂର୍ବତନ ସାଂସଦମାନେ ଖାଲି କରିନାହାନ୍ତି। ଫଳରେ ନୂଆ ସାଂସଦମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପିଏମଓ ପକ୍ଷରୁ ମୋଦି ଦେଇଥିବା ବୟାନକୁ ଟ୍ୱିଟ କରି କୁହାଯାଇଛି ଯେ “ଗୋଟିଏ ନୂଆ ଅଧିବେଶନ ଆରମ୍ଭ ହୋଇଛି। ନୂଆ ସାଂସଦମାନେ ରହିବାକୁ ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ସମାଧାନ କରିବା ପାଇଁ ଉଦ୍ୟମ ଚାଲିଥିବାରୁ ମୁଁ ଖୁସି ଅନୁଭବ କରୁଛି। ଜଣେ ସାଂସଦଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀର ଏକାଧିକ ଲୋକ ଦେଖା କରିବାକୁ ଆସନ୍ତି। ତେଣୁ ଏଥିପାଇଁ ଉପଯୁକ୍ତ ଭିତ୍ତିଭୂମିର ଆବଶ୍ୟକତା ରହିଛି।”

ନିୟମ ଅନୁଯାୟୀ, ସଂସଦ ଭଙ୍ଗ ହେବାର ଗୋଟିଏ ମାସ ମଧ୍ୟରେ ପୂର୍ବତନ ସାଂସଦମାନେ ସେମାନଙ୍କୁ ମିଳିଥିବା ସରକାରୀ ବାସଭବନକୁ ଖାଲି କରିବେ। ତଦ୍‌ନୁଯାୟୀ, ୧୬ତମ ଲୋକସଭା ଅଧିବେଶନ ମେ’ ୨୫ରେ ଭାଙ୍ଗିଥିଲା। ଅର୍ଥାତ ପୂର୍ବତନ ସାଂସଦମାନେ ଜୁନ୍‌ ୨୫ ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବା କଥା। ହେଲେ ଏଯାଏ କିଛି ସାଂସଦ ସରକାରୀ ବଙ୍ଗଳାରେ ରହି ଆସୁଛନ୍ତି।



from OTV Khabar. https://ift.tt/2MrK3mO
ପୂର୍ବତନ ସାଂସଦଙ୍କୁ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ Rajalaxmi Sahoo ପୂର୍ବତନ ସାଂସଦଙ୍କୁ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ Rajalaxmi Sahoo Reviewed by SUBHENDU BARAL on August 19, 2019 Rating: 5

No comments:

Powered by Blogger.