ବିଦ୍ୟୁତ୍ ଚୋରଙ୍କୁ ରୋକିବ ସ୍ମାର୍ଟ ଓ ପ୍ରିପେଡ ମିଟର ! ଲୋ-ଭୋଲଟେଜ୍ ଓ ବିଦ୍ୟୁତକାଟ ସମସ୍ୟାରୁ ବି ମିଳିବ ମୁକ୍ତି Kanak News

କନକ ବ୍ୟୁରୋ : ରାଜ୍ୟରେ ଦେଖାଦେଉଥିବା ଲୋ-ଭୋଲଟେଜ୍, ବିଦ୍ୟୁତ କାଟ ସମସ୍ୟାର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଅ। ଶକ୍ତି ବିଭାଗର ଗୃହ କମିଟି ବୈଠକରେ ଅଧ୍ୟକ୍ଷତା କରି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍ ଦୁର୍ଘଟଣାରେ ଜୀବନହାରୁଥିବା ବ୍ୟକ୍ତିମାନଙ୍କୁ ଯଥାଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ବାଚସ୍ପତି ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି। ବିଦ୍ୟୁତ ଚୋରି ଓ ମିଟିର ଟାମ୍ପରିଂ ରୋକିବାକୁ ପରୀକ୍ଷାମୂଳକ ଭାବେ ରାଉରକେଲା ଓ ସମ୍ବଲପୁର ସହରରେ ସ୍ମାର୍ଟ ଓ ପ୍ରିପେଡ୍ ମିଟର ଲଗାଇବାକୁ ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର।

ସୋମବାର ବିଧାନସଭା ୫୪ ନମ୍ବର ରୁମରେ ଅନୁଷ୍ଠିତ ଶକ୍ତି ବିଭାଗ ଗୃହ କମିଟି ବୈଠକରେ ଅଧ୍ୟକ୍ଷତା କରି ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ସମସ୍ୟା ଯୋଗୁଁ ଉପଭୋକ୍ତାମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହି ସମସ୍ୟାର ଶୀଘ୍ର ନିରାକରଣ କରିବାକୁ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଉପଭୋକ୍ତାମାନଙ୍କୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ବ୍ୟବହାର ଉପରେ ବୈଠକରେ ଗୁରୁତ୍ବଆରୋପ କରାଯାଇଥିଲା। ବିଦ୍ୟୁତ ଦେୟ ପ୍ରଦାନ ନ କରିଥିଲେ ବି ଶକ୍ତି ବିଭାଗ ପକ୍ଷରୁ ସେଠାରେ ଅଚଳ ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାନରେ ନୂଆ ଟ୍ରାନ୍ସଫର୍ମରୁ ପୁନଃସ୍ଥାପନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶକ୍ତି ବିଭାଗର ଗୃହ କମିଟି ସଦସ୍ୟମାନଙ୍କୁ ନେଇ ରାଜ୍ୟରେ ଥିବା ୪ଟି ବଣ୍ଟନ କମ୍ପାନୀ ସେସୁ, ନେସ୍କୋ, ଓ ସାଉଥକୋର ପାଇଁ ୪ଟି ସବକମିଟି ଗଠନ କରାଯିବ। ଏସବୁ ସବକମିଟି ବିଦ୍ୟୁତ ବଣ୍ଟନ କମ୍ପାନୀମାନଙ୍କ କାର୍ଯ୍ୟାବଳୀ ଅନୁଧ୍ୟାନ କରି ଗୃହ କମିଟିକୁ ରିପୋର୍ଟ ପ୍ରଦାନ କରିବେ। ବିଦ୍ୟୁତ ଉତ୍ପାଦନ, ପରିବହନ ଓ ବଣ୍ଟନ ସମ୍ପର୍କିତ ସମସ୍ୟାର ସମାଧାନ ଦିଗରେ ଶକ୍ତି ବିଭାଗ ତ୍ବରିତ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ବିଭାଗୀୟ କମିସନର ତଥା ଶାସନ ସଚିବ ହେମନ୍ତ ଶର୍ମା ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ଉପସ୍ଥାପନ କରିଥିଲେ।

ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇ କହିଥିଲେ, ବିଦ୍ୟୁତ ଚୋରି ଓ ଟାମ୍ପରିଂ ରୋକିବାକୁ ପାଇଲଟ ସ୍ତରରେ ସମ୍ବଲପୁରରେ ପ୍ରିପେଡ୍ ମିଟର ଲାଗିବ। ଏଥିପାଇଁ ୪ ହଜାର ୫୦୦ଟି ପ୍ରି-ପେଡ୍ ମିଟର ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରି-ପେଡ୍ ମିଟରରେ ଥିବା ଇଲେକ୍ଟ୍ରୋନିକ୍ସ କାର୍ଡ଼ରେ ଉପଭୋକ୍ତାମାନେ ଯେତିକି ଅଗ୍ରୀମ ଦେଇ ରିଚାର୍ଜ କରିବେ ସେତିକି ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କରିବେ। ଟଙ୍କା ସରିଯିବା ପରେ ସ୍ବୟଂକ୍ରିୟ ଭାବେ ବିଦ୍ୟୁତ ସଂଯୋଗ କଟିଯିବ। ଏହାସହିତ ରାଉରକେଲାରେ ବିଦ୍ୟୁତ ଚୋରୀ ଓ ମିଟର ଟାମ୍ପରିଂ ରୋକିବାକୁ ସ୍ମାର୍ଟ ମିଟର ଲଗାଯିବ ବୋଲି ସେ କହିଥିଲେ। ତେବେ ଏ ନେଇ ଉପଭୋକ୍ତାମାନଙ୍କୁ ବାଧ୍ୟ କରାଯିବ ନାହିଁ। ପରେ ଅନ୍ୟ ଅଞ୍ଚଳରେ ସ୍ମାର୍ଟ ମିଟର ଲଗାଯିବ ବୋଲି ଶକ୍ତି ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ।

ଗୃହ କମିଟି ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୋହନ ଚରଣ ମାଝୀ, ବିଧାୟକ କିଶୋର କୁମାର ମହାନ୍ତି, ନରସିଂହ ମିଶ୍ର, ପ୍ରଦୀପ ମହାରଥୀ, ଅନନ୍ତ ଦାସ, ନୃସିଂହ ଚରଣ ସାହୁ, ଅମର ପ୍ରସାଦ ଶତପଥୀ, ସନ୍ତୋଷ ସିଂହ ସାଲୁଜା, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମୁଦୁଲି, ସୁକାନ୍ତ କୁମାର ନାୟକ, ବ୍ୟୋମକେଶ ରାୟ, ଶ୍ରାକାନ୍ତ ସାହୁ, ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ଶକ୍ତି ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।



from Kanak News https://ift.tt/2Z6egic https://ift.tt/2NjxMAs
ବିଦ୍ୟୁତ୍ ଚୋରଙ୍କୁ ରୋକିବ ସ୍ମାର୍ଟ ଓ ପ୍ରିପେଡ ମିଟର ! ଲୋ-ଭୋଲଟେଜ୍ ଓ ବିଦ୍ୟୁତକାଟ ସମସ୍ୟାରୁ ବି ମିଳିବ ମୁକ୍ତି Kanak News ବିଦ୍ୟୁତ୍ ଚୋରଙ୍କୁ ରୋକିବ ସ୍ମାର୍ଟ ଓ ପ୍ରିପେଡ ମିଟର ! ଲୋ-ଭୋଲଟେଜ୍ ଓ ବିଦ୍ୟୁତକାଟ ସମସ୍ୟାରୁ ବି ମିଳିବ ମୁକ୍ତି Kanak News Reviewed by SUBHENDU BARAL on August 19, 2019 Rating: 5

No comments:

Powered by Blogger.