ସୁଧୁରୁନି ପାକିସ୍ତାନ । ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରୁଛି ପାକ୍ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଚଳିତ ହୋଇଯାଇଛି । କେତେବେଳେ ବିଶ୍ୱ ସମୁଦାୟରେ କାଶ୍ମୀର ପ୍ରସଙ୍ଗ ଉଠାଉଛି ତ ଆଉ କେତେବେଳେ ଭାରତ ମଧ୍ୟକୁ ଆତଙ୍କବାଦୀଙ୍କୁ ପ୍ରବେଶ କରାଇବାକୁ ଉଦ୍ୟମ କରୁଛି ।
ଠିକ ସେହିଭଳି ଗତକାଲି ରାତିରେ ପୁଣିଥରେ ଜମ୍ମୁ କଶ୍ମୀରର ପୁଞ୍ଚ୍ ଜିଲ୍ଲା ସ୍ଥିତ ଏଲଓସିରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ସୀମାନ୍ତ ଗ୍ରାମଗୁଡ଼ିକୁ ଟାର୍ଗେଟ୍ କରି ପାକିସ୍ତାନ ଲଗାତାର ଗୁଳିଚାଳନା କରୁଥିବାରୁ ଏହାଦ୍ବାରା ସାଧାରଣ ଲୋକମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତ ରାତିରେ ପୁଞ୍ଚ୍ ସେକ୍ଟରରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିବା ଫଳରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି। ମେନ୍ଧର ସେକ୍ଟରରେ ଗତକାଲି ବିଳମ୍ବିତ ରାତିରେ ସୀମାନ୍ତ ଗ୍ରାମ ଦବରାଜର ଜଣେ ବ୍ୟକ୍ତିଙ୍କ ଘରେ ପାକିସ୍ତାନ ପଟୁ ମୋର୍ଟାର ମାଡ଼ ହେବାଫଳରେ ୨୨ ବର୍ଷୀୟ ମହମ୍ମଦ ଅବଦୁଲ କରିମ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି। ଗ୍ରାମର ୩୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଗତକାଲି ମେନ୍ଧର ଏବଂ କ୍ରିଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ପ୍ରବଳ ଗୋଳା ମାଡ଼ କରିଥିଲା। ଗତକାଲି ପାକ୍ ସେନାର ଗୁଳିମାଡ଼ରେ ସେନା ଯବାନ ନାଏକ ରବି ରଂଜନ କୁମାର ସହିଦ ହୋଇ ଯାଇଥିଲେ ଏବଂ ଅନ୍ୟ ୪ ଜଣ ଆହତ ହୋଇଥିଲେ । ସପ୍ତାହକ ମଧ୍ୟରେ ପାକ୍ ସେନାର ଗୁଳିମାଡ଼ରେ ସୀମାବର୍ତ୍ତୀ ୯ଟି ଗ୍ରାମ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଫାୟାରିଂ ରେଞ୍ଜ୍ ଅଧୀନରେ ଆସୁଥିବା କେତେକ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଭାରତୀୟ ସେନା ମଧ୍ୟ ଭାରୀ ଯୁଦ୍ଧାସ୍ତ୍ରରେ ଆଜି ପାକକୁ ଜବାବ ଦେଇଥିବାରୁ ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ଘଟିଛି।
from Kanak News https://ift.tt/2KOeLo4 https://ift.tt/2TSc9Zg
No comments: