ମାସେ ପରେ ଛାତ୍ର ସଂସଦ ନିର୍ବାଚନ: ବିନା ସଭାପତିରେ ଚାଲିଛି ଛାତ୍ର କଂଗ୍ରେସ, ଦ୍ବନ୍ଦ୍ବରେ ଛାତ୍ର ବିଜେଡି ଆଶାୟୀ; କିଏ ଧରିବ ଦୁଇ ପ୍ରମୁଖ ଦଳର ମଙ୍ଗ? Kanak News

କନକ ବ୍ୟୁରୋ: ସେପ୍ଟେମ୍ବର ଶେଷ ସପ୍ତାହରେ ଛାତ୍ର ସଂସଦ ନିର୍ବାଚନ। ଏଥିପାଇଁ ସେପ୍ଟେମ୍ବର ତୃତୀୟ ସପ୍ତାହରୁ ଆରମ୍ଭ ହେବ ପ୍ରକ୍ରିୟା। ହାତରେ ଆଉ ମାସକରୁ କମ୍ ସମୟ ଥିବା ବେଳେ ଛାତ୍ର ସଙ୍ଗଠନଗୁଡ଼ିକ ମଧ୍ୟରେ ଆଗଭଳି ତତ୍ପରତା ଦେଖିବାକୁ ମିଳୁନି। ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେଡି ଓ କଂଗ୍ରେସର ଛାତ୍ର ଶାଖା ପ୍ରାୟତଃ ନିଷ୍କ୍ରିୟ ଅବସ୍ଥାରେ ରହିଛନ୍ତି। ଦୁଇ ବର୍ଷ ହେଲା ଛାତ୍ର କଂଗ୍ରେସର ସଭାପତି ଚୟନ ହୋଇପାରୁ ନାହିଁ। ଛାତ୍ର ବିଜେଡିର ସଭାପତି ବଦଳିବେ ବୋଲି ଚର୍ଚ୍ଚା ଚାଲିଥିବାରୁ ସଂଗଠନ ସେତେଟା ସକ୍ରିୟ ନାହିଁ। କଲେଜ ସ୍ତରରେ ନିର୍ଦ୍ଦିଷ୍ଟ ଛାତ୍ର ନେତାମାନେ ସଂପୃକ୍ତ କଲେଜରେ ନିଜ ପତିଆରା ଜାହିର କରିବା ପାଇଁ ବ୍ୟକ୍ତିଗତ ଉଦ୍ୟମରେ ସଂଗଠନ ଚଳାଇଛନ୍ତି।
ସବୁବର୍ଷ ଛାତ୍ର ସଂସଦ ନିର୍ବାଚନରେ ପତିଆରା ଜାହିର କରୁଥିବା ଛାତ୍ର ବିଜେଡି ଏଥର ପ୍ରସ୍ତୁତିରେ ଟିକିଏ ପଛରେ ପଡ଼ିଛି। ଏପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଛାତ୍ରନେତାଙ୍କ ବୈଠକ ଡକାଯାଇ ନାହିଁ କି କିଭଳି ନିର୍ବାଚନ ପରିଚାଳିତ ହେବ ସେନେଇ ମାନସମନ୍ଥନ ହୋଇନି। ପ୍ରମୁଖ କଲେଜରେ ସଙ୍ଗଠନ ଦାୟିତ୍ବ ସମ୍ଭାଳୁଥିବା ଛାତ୍ରନେତାମାନେ ମଧ୍ୟ ଆଗ୍ରହ ଦେଖାଉ ନାହାନ୍ତି। ୨୦୧୮ରେ ନିର୍ବାଚନର ଦେଢ଼ ମାସ ପୂର୍ବରୁ ଘନ ଘନ ବୈଠକ ଡକାଯିବା ସହ ଜୋନ୍ ଅନୁଯାୟୀ ଛାତ୍ରନେତାମାନଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା। ତେବେ ଏଥର ବୈଠକ ବି ବସିପାରିନି। କେବେ ବସିବ ସେନେଇ କାହା ପାଖରେ ଉତ୍ତର ନାହିଁ। ବିଜେଡିର ଛାତ୍ର ସଭାପତି ରାଣା ପ୍ରତାପ ପାତ୍ର ବଦଳିବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ଜୋର୍ ଧରିଛି। କଲେଜ ନିର୍ବାଚନ ପାଖେଇ ଆସୁଥିଲା ବେଳେ ସଭାପତି ପଦବିକୁ ନେଇ ଅସ୍ଥିରତା ଅନ୍ୟ ଛାତ୍ରନେତା ଓ ଆଶାୟୀଙ୍କୁ ଦ୍ବନ୍ଦ୍ବରେ ପକାଉଛି। କିଭଳି ନିର୍ବାଚନ ଲଢ଼ିବେ? କ୍ୟାମ୍ପସରେ କିଏ ପ୍ରାର୍ଥୀ ହେବ? ଅର୍ଥ କେଉଁଠୁ ଆସିବ? ସେନେଇ ଚିନ୍ତାରେ ପଡ଼ିଛନ୍ତି। ଏମିତିକି ଅଧିକାଂଶ କ୍ୟାମ୍ପସରେ ସଙ୍ଗଠନରୁ ପ୍ରାର୍ଥୀ ହେବା ଲାଗି ଏକାଧିକ ଆଶାୟୀ ରହିଥିବାରୁ ଆଗକୁ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ସେପଟେ ରାଜ୍ୟର ଅନ୍ୟତମ ଛାମୁଆ ସଙ୍ଗଠନ ଛାତ୍ର କଂଗ୍ରେସ ଏବେ ଏକପ୍ରକାର କୋମାକୁ ଚାଲିଗଲାଣି। କ୍ୟାମ୍ପସରେ ଆଉ ଆଗଭଳି କାର୍ଯ୍ୟକଳାପ କରାଯାଉ ନାହିଁ। ଛାତ୍ରଛାତ୍ରୀଙ୍କ ସମସ୍ୟା ନେଇ ମଧ୍ୟ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଉ ନାହିଁ। ଏମିତି କି ୨୦୧୬ଠାରୁ ହାତଗଣତି କିଛି କ୍ୟାମ୍ପସକୁ ଛାଡ଼ିଦେଲେ ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଦେବା ପାଇଁ ସଙ୍ଗଠନର ବଳ ପାଉନି। ସବୁଠାରୁ ବଡ଼ କଥା ହେଲା ଦୁଇ ବର୍ଷ ହେଲା ସଙ୍ଗଠନର ରାଜ୍ୟ ସଭାପତି ନାହାନ୍ତି। ଶେଷ ଥର ପାଇଁ ଇତୀଶ୍ ପ୍ରଧାନ ସଭାପତି ରହିଥିଲେ। ତାଙ୍କ ପରେ ସଙ୍ଗଠନର ସଭାପତି ପଦ ପାଇଁ ଆଉ ନିର୍ବାଚନ ହୋଇନି କି ସଭାପତି ଚୟନ କରାଯାଇ ନାହିଁ। ସମ୍ପାଦକ ନିଯୁକ୍ତ ହୋଇଥିଲେ ମଧ୍ୟ ସେମାନେ ସଙ୍ଗଠନକୁ ଆଗକୁ ନେଇପାରୁ ନାହାନ୍ତି। ଛାତ୍ର ସଂସଦ ନିର୍ବାଚନ ସମୟରେ ଯେଉଁ କିଛି ଛାତ୍ରନେତା ଆଗକୁ ଆସୁଛନ୍ତି ସେମାନେ ରାଜ୍ୟସ୍ତରୀୟ ଦାୟିତ୍ବ ବୁଝୁନାହାନ୍ତି। କେବଳ ନିଜ ପତିଆରା ଥିବା କ୍ୟାମ୍ପସ ସଜାଡ଼ିବା ଓ ପରିଚାଳନାରେ ବ୍ୟସ୍ତ ରହୁଛନ୍ତି। ସଙ୍ଗଠନକୁ ଦିଗଦର୍ଶନ ଦେବା ଲାଗି ମଧ୍ୟ ନେତାଙ୍କ ଅଭାବ ପରିଲକ୍ଷିତ ହୋଇଛି।
from Kanak News https://ift.tt/2P7ft4i https://ift.tt/31PhSlB
No comments: