
କନକ ବ୍ୟୁରୋ: ଆଜି ପବିତ୍ର ରେଖା ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ତେବେ ରାହୁରେଖା ଲାଗି ପାଇଁ ଶ୍ରୀମନ୍ଦିରରେ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ। ଆଜି ଦ୍ବିତୀୟ ଭୋଗମଣ୍ଡପ ପରେ ଅର୍ଥାତ ପ୍ରାୟ ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ନୀତି ଚାଲିବ। ଫଳରେ ଏହି ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ସ୍ନାନପୂର୍ଣ୍ଣିମା ଦିନ ପହଣ୍ଡି ହୋଇ ମହାପ୍ରଭୁ ଅଣସର ପିଣ୍ଡିକୁ ବିଜେ କରିବା ସମୟରେ ରାହୁରେଖା ଓଲାଗି ହୋଇଥାଏ। ଆଜି ମହାପ୍ରଭୁଙ୍କ ଶ୍ରୀମୁଖରେ ରାହୁରେଖା( ଏକ ସୁନାର ପଟି) ଲାଗି ହେବ।
ସେପଟେ, ମୁକ୍ତ ହୋଇଛି ଶ୍ରୀମନ୍ଦିରର ମେଘନାଦ ପାଚେରୀ । ପାଚେରୀକୁ ଲାଗି ରହିଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ କରିଛି ପୁରୀ ପ୍ରଶାସନ । ପ୍ରତ୍ନତତ୍ୱ ବିଭାଗର ସୁପାରିଶ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଇ ଦିନ ଧରି ଜବରଦଖଲ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ପ୍ରକିୟା ଭିତରେ ବଡ଼ ଧରଣର ପ୍ରତିବାଦ ହୋଇନଥିଲେ ବି ଆଗକୁ କ’ଣ ହେବ ତାକୁ ନେଇ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । କାରଣ ମେଘନାଦ ପାଚେରୀଠାରୁ ୭୫ ମିଟର ଭିତରେ ଜବରଦଖଲ ଉଚ୍ଛେଦ କରିବାକୁ ବି.ପି ଦାସ କମିଶନ କରିଥିବା ସୁପାରିଶକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ କ୍ୟାବିନେଟ୍ ।
from Kanak News https://ift.tt/2NkXe8Y https://ift.tt/30nK2Ug

No comments: