ନୂଆଦିଲ୍ଲୀ: ମୋଦି-୧ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ସୁଷମା ସ୍ୱରାଜଙ୍କୁ ଖୁବ୍ଶୀଘ୍ର ମୋଦି-୨ ସରକାରରେ ନୂଆ ଦାୟିତ୍ୱ ମିଳିବ ବୋଲି ଶୁଣିବାକୁ ମିଳୁଛି। ମୋଦି-୨ ସରକାରରେ ଅସୁସ୍ଥତା କାରଣରୁ ନିର୍ବାଚନ ଲଢ଼ି ନଥିବା ସୁଷମାଙ୍କୁ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବ ବୋଲି ପାୱର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏପରି କି ଗତକାଲି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡା. ହର୍ଷବର୍ଦ୍ଧନ ଟ୍ୱିଟ୍ କରି ସୁଷମା ସ୍ୱରାଜ ଆନ୍ଧ୍ର ପ୍ରଦେଶର ନୂଆ ରାଜ୍ୟପାଳ ହୋଇଥିବାରୁ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ତେବେ ବିଧିବଦ୍ଧ ଭାବେ ଏହା ଘୋଷଣା ହୋଇ ନଥିବାରୁ ସେ ଏହାକୁ ତୁରନ୍ତ ଡିଲିଟ୍ ମଧ୍ୟ କରିଦେଇଥିଲେ। କିନ୍ତୁ ସେତେବେଳକୁ ଏହି ଖବର ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇ ସାରିଥିଲା।
ଡା. ହର୍ଷବର୍ଦ୍ଧନ ହିନ୍ଦୀରେ ଟ୍ୱିଟ୍ କରି କହିଥିଲେ ଯେ, “ବିଜେପିର ବରିଷ୍ଠ ନେତା ତଥା ମୋର ଦିଦି ଓ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବାରୁ ତାଙ୍କୁ ଶୁଭେଚ୍ଛା। ସବୁ କ୍ଷେତ୍ରରେ ଆପଣଙ୍କ ଅଭିଜ୍ଞତା ଥିବାରୁ ରାଜ୍ୟବାସୀ ନିଶ୍ଚିତ ସୁବିଧା ସୁଯୋଗ ପାଇବେ।” ତେବେ କିଛି ସମୟ ପରେ ସେ ଏହି ଟ୍ୱିଟ୍କୁ ଡିଲିଟ୍ କରିଦେଇଛନ୍ତି। ବର୍ତ୍ତମାନ ଇଏସ୍ଏଲ୍ ନରସିମା ଉଭୟ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି।
ଅନ୍ୟପକ୍ଷେ ସୁଷମା ସ୍ୱରାଜ ଏହି ଖବରକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଏଥିରେ ସତ୍ୟତା ନାହିଁ। କିନ୍ତୁ ହର୍ଷବର୍ଦ୍ଧନଙ୍କ ଭଳି ଜଣେ ବରିଷ୍ଠ ନେତା ତାଙ୍କୁ ଅଭିନନ୍ଦନ ଜଣାଇବା ପଛରେ କିଛି କାରଣ ଥିବ ବୋଲି ଅନେକ ବିଶ୍ଵାସ କରୁଛନ୍ତି।
from OTV Khabar. http://bit.ly/2WC2hrc
No comments: