ଭୟଙ୍କର ସ୍ଥିତି ଆଡ଼କୁ ଟାଣି ହେଉଛି ତାଳଚେର : ସାର କାରଖାନା ବଳି ପଡ଼ିବ ୧୦ ହଜାର ଗଛ, ସୀମା ଟପିବ ତାତି ଓ ପ୍ରଦୂଷଣ Kanak News

କନକ ବ୍ୟୁରୋ : ତତଲା ସହର ତାଳଚେର । ନିଦାଘରେ ଏଥର ପାରଦ ସିଧା ଡେଇଁଥିଲା ୪୬.୩ଡିଗ୍ରିକୁ । ଏ ତାତି ସୀମା ଲଙ୍ଘିବ ପଛେ, ଆଉ ତଳ ଗତି ନାହିଁ । କାରଣ, ଗୋଟିଏ ପଟେ ତାଳଚେରରେ ଖୁବ୍ଶୀଘ୍ର ସାର କାରଖାନା ଠିଆ ହେବାକୁ ଯାଉଥିବା ବେଳେ ଅନ୍ୟପଟେ ଏଥିପାଇଁ ଏକକାଳୀନ ୧୦ ହଜାର ଗଛ ମୂଳକାଟ୍ ହେବାକୁ ଯାଉଛି । ‘ଫନି’ ମାଡ଼ରେ ରାଜ୍ୟର ଲକ୍ଷ ଲକ୍ଷ ଗଛ ମାଟିରେ ଲୋଡ଼ି ପଡ଼ିଥିବା ବେଳେ ତାଳଚେର ମାଟିରୁ ହଠାତ୍ ଏତେଗୁଡ଼ିଏ ଗଛ ଉଭାନ କେବଳ ତାଳଚେର ତାତିକୁ ଶୀର୍ଷରେ ପହଞ୍ଚାଇବ ନାହିଁ, ପ୍ରଦୂଷିତ ପରିବେଶକୁ ଆହୁରି ଯେ ଭୟଙ୍କର ସ୍ଥିତିକୁ ଟାଣି ନେବ ସେ ସତର୍କ ଘଣ୍ଟି ବଜାଇଲାଣି ।
ବନ ବିଭାଗ ତଥ୍ୟ ମୁତାବକ, ଏ ସବୁ ଗଛ ହେଉଛି ଏଫ୍ସିଆଇ କାରଖାନା ଭିତରର । ୨୦୦୨ମସିହାରୁ ପ୍ଲାଣ୍ଟ୍ ଅଚଳ ହୋଇଗଲା । ଦୀର୍ଘ ୧୭ବର୍ଷ କାଳ ଚଳପ୍ରଚଳ ବନ୍ଦ ହୋଇଗଲା । ଅନୁକୂଳ ପରିବେଶ ନେଇ ବୀଜରୋପଣ ହେଲା । ଯଦିଓ ଶାଳ, ପିଆଶାଳ ଭଳି ଗଛ ବଡ଼ ମୂଲ୍ୟବାନ ନୁହେଁ, ତଥାପି ସ୍ବତଃପ୍ରବୃତ୍ତ ଭାବେ ଠିଆ ହୋଇଥିବା ବଡ଼ ବଡ଼ ବର ଓ ଓସ୍ତ, ଚାକୁଣ୍ଡା ଭଳି ଦ୍ରୁମ ଗତ ୧୭ବର୍ଷ ହେଲା ଧୂଳିଧୂଆଁରେ ରୁନ୍ଧି ହେଉଥିବା ତାଳଚେରବାସୀଙ୍କ ସୁରକ୍ଷା ପାଇଁ ପରୋକ୍ଷରେ ରକ୍ଷାକବଚ ଦାୟିତ୍ବ ତୁଲାଉଥିଲା । ଯାହା ଏବେ ଧୂଳିସାତ୍ ହେବାକୁ ଯାଉଛି ।
ଏତେ ବଡ଼ କ୍ଷତିର ଭରଣା ପାଇଁ କାରଖାନା କର୍ତୃପକ୍ଷ ୧୦ଗୁଣ ଗଛ ଲଗାଇବାକୁ ଟଙ୍କା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୬୦ହଜାର ଚାରାରୋପଣ ପାଇଁ ଓଏଫ୍ଡିସିକୁ ୨କୋଟି ୮୪ଲକ୍ଷ ଟଙ୍କା କାରଖାନା କର୍ତୃପକ୍ଷ ଦେଇଥିବା ଅନୁଗୁଳ ବନଖଣ୍ଡର ଏସିଏଫ୍ ବାସୁଦେବ ନାୟକ କହିଛନ୍ତି । ତେବେ ୬ହଜାର ଗଛ ବାଦ୍ ଆଉ ଚାରି ହଜାର ଗଛ କାଟିବା ପାଇଁ କାରଖାନା କର୍ତୃପକ୍ଷ ଅନୁମତି ମାଗିଛନ୍ତି । ନୂଆ ଅନୁମତି ପ୍ରକ୍ରିୟା ଚାଲିଛି । ଯେହେତୁ ଏହା ଦେଶ ଓ ରାଜ୍ୟ ପାଇଁ ଏକ ଜରୁରୀ ପ୍ରକଳ୍ପ ସେଥିପାଇଁ ଅନୁମତି ଦିଆଯିବା ଦରକାର । ଗଛ ବଦଳରେ ୧୦ଗୁଣ ଚାରା ଲଗାଯିବାକୁ ଯୋଜନା ରହିଛି ବୋଲି ବାସୁଦେବ ନାୟକ କହିଛନ୍ତି ।
from Kanak News http://bit.ly/2WC7wXS http://bit.ly/2Wre0nL
No comments: