୧୯ କୁରୁକ୍ଷେତ୍ରର ମହାନିର୍ଣ୍ଣୟ ଦୋହଲାଇଦେଇଛି କଂଗ୍ରେସର ସ୍ଥିତି ! ବୁଡିଯାଉଥିବା କଂଗ୍ରେସ ଡଙ୍ଗାର ମଙ୍ଗ ସଳଖି ପାରିବେ କି ରାହୁଲ ? Kanak News

କନକ ବ୍ୟୁରୋ : ୧୯୮୪ ପରେ ପ୍ରଥମଥର ବିଜେପି ସାଧାରଣ ନିର୍ବାଚନରେ ସର୍ବାଧିକ ଆସନରେ ଜିତି ଗାଟିଏ ରାଜନୈତିକ ଦଳର ଦବଦବା ଜାହିର କରିଛି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସ ସପକ୍ଷରେ ଯେଉଁ ସମବେଦନାର ହାୱା ବହିଥିଲା, ତାହା ଦେଶର ରାଜନୀତିକୁ ଏକ ନୂତନ ଶିଖରରେ ପହଂଚାଇଥିଲା । ମୋଟ୍ ୪୧୫ ଲୋକସଭା ଆସନ ସହ ୪୮.୧ ପ୍ରତିଶତ ଭୋଟ୍ ପାଇ ସରକାର ଗଢିଥିଲା କଂଗ୍ରେସ । ଯାହା କଂଗ୍ରେସ ରାଜନୀତି ଇତିହାସରେ ସର୍ବକାଳୀନ ରେକର୍ଡ ।
ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ସଫଳତା ୧୯୭୭ ଓ ୧୯୮୦ ନିର୍ବାଚନ ସହ ସମାନତା ଥିବା ନେଇ ଚର୍ଚ୍ଚା ହେଉଛି । କାରଣ ୨୦୧୪ରେ ବିଜେପି ଏକାକୀ ୨୮୨ ଆସନ ଓ ଏନଡିଏ ମେଂଟ ୩୩୬ ଜିତି ୩୮.୫ ପ୍ରତିଶତ ଭୋଟ୍ ପାଇଥିଲା । ଯାହା ୨୦୧୯ ଲୋକସଭା ନିର୍ବାଚନରେ ୪୫.୪୩ ପ୍ରତିଶତକୁ ଛୁଇଁଛି । ବିଜେପି ଏକାକୀ ୩୦୩ ଆସନ ଓ ଏହାର ମେଂଟ ସହଯୋଗୀ ମିଶି ୩୫୩ ଆସନରେ କବଜା କରିଛନ୍ତି । ୧୯୮୦ ଲୋକସଭା ନିର୍ବାଚନରେ କଂଗ୍ରେସ ମୋଟ୍ ୩୫୩ ଆସନ ସହ ୪୨.୭ ପ୍ରତିଶତ ଭୋଟ୍ ପାଇଥିଲା । ସେହିପରି ୧୯୭୭ ସାଧାରଣ ନିର୍ବାଚନରେ ଜନତା ଦଳକୁ ମିଳିଥିଲା ୪୧.୩ ପ୍ରତିଶତ ଭୋଟ୍ ସହ ୨୯୫ ଆସନ ।
୧୯୭୭ରେ ଜନତା ଦଳ ଆନ୍ଧ୍ର ଓ କର୍ଣ୍ଣାଟକରେ ଖରାପ ପ୍ରଦର୍ଶନ କରିଥିଲା । ଆନ୍ଧ୍ରରେ ୪୨ ଆସନରୁ ୪୧ଟିରେ ଜିତିଥିଲା କଂଗ୍ରେସ, କର୍ଣ୍ଣାଟକରେ ୨୮ଟିରୁ ୨୬ଟି କବଜା କରିଥିଲା କଂଗ୍ରେସ ଦଳ । ୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆନ୍ଧ୍ର ଓ ତାମିଲନାଡୁରେ ୱାଇଏସଆରସିପି ଓ ଡିଏମକେ ଆଗରେ ଫେଲ ମାରିଛି । ସେପଟେ କଂଗ୍ରେସ ୪ ପ୍ରତିଶତ ଭୋଟ୍ ବଢାଇବାକୁ ସମର୍ଥ ହୋଇଥିଲେ ବି ସିଟ୍ ବଢାଇବାକୁ ସମର୍ଥ ହୋଇପାରନି । ଏପରିକି ୬ ମାସ ତଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ଦଳକୁ ମିଳିଥିବା ସଫଳତା ୨୦୧୯ ଲୋକସଭା ନିର୍ବାଚନରେ ଓଲଟି ଯାଇଛି । ଯେଉଁଠି ବିଜେପି ଭଲ ପ୍ରଦର୍ଶନ କରିପାରି ନାହିଁ, ସେଠାରେ ଆଂଚଳିକ ଦଳଗୁଡିକ କଂଗ୍ରେସ ଅପେକ୍ଷା ଅଧିକ ଜନମତ ହାସଲ କରିଛନ୍ତି । ବିଜେପିକୁ ପ୍ରବଳ ଜନସମର୍ଥନ ପରେ ଏବେ କେବଳ ୪ଟି ରାଜ୍ୟ ପଂଜାବ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ସୀମିତ ରହିଯାଇଛି କଂଗ୍ରେସ ଦଳ ।

ଏବେ ପ୍ରଶ୍ନ ଉଠୁଛି ଜେଜେମାଆ ଇନ୍ଦିରା ଗାନ୍ଧିଙ୍କ ପରି ବୁଡିଯାଉଥିବା କଂଗ୍ରେସ ଡଙ୍ଗାର ମଙ୍ଗ ସଳଖି ପାରିବେ କି ରାହୁଲ ଗାନ୍ଧି । ହେଲେ ପରାଜୟର ଗ୍ଳାନୀ ଭିତରେ ଦାୟିତ୍ୱରୁ ଅବ୍ୟାହତି ନେବାକୁ ଅଡି ବସିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଏପଟେ ଦଳ ଭିତରେ ରାଜ୍ୟ ୟୁନିଟ୍ ଗୁଡିକରେ ଅସନ୍ତୋଷ ଶିଖର ଛୁଇଁଲାଣି । କଂଗ୍ରେସ ଅସନ୍ତୋଷ ତେଲେଙ୍ଗାନାରେ ତୀବ୍ର ହୋଇଥିବାବେଳେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି । ରାଜସ୍ଥାନ, କର୍ଣ୍ଣାଟକ ଓ ପଞ୍ଜାବରେ ନେତୃତ୍ୱ ବିରୋଧରେ ବିଦ୍ରୋହ କୁହୁଳିଲାଣି । ପଞ୍ଜାବରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ମତଭେଦ ଦଳ ଭିତରେ ବଡ ବିଭାଜନ ଆଡକୁ ଅଗ୍ରସର ହେଉଛି ।

from Kanak News http://bit.ly/2KR51dx http://bit.ly/31tRdeu
No comments: