
କର୍ମଚାରୀ ରାଜ୍ୟ ବୀମା ସ୍କିମ୍ ସଂକ୍ରାନ୍ତରେ କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ସ୍କିମରେ କଂପାନି ଓ କର୍ମଚାରୀମାନେ ପ୍ରଦାନ କରୁଥିବା ଯୋଗଦାନ ପରିମାଣକୁ ହ୍ରାସ କରାଯାଇଛି। ଏବେ ପ୍ରଚଳିତ ଥିବା ନିୟମ ଅନୁସାରେ କଣ୍ଟ୍ରିବ୍ୟୁସନ୍ ରେଟ୍ ବା ଯୋଗଦାନ ହାର ୬.୫% ରହିଛି। ଆସନ୍ତା ଜୁଲାଇ ପହିଲାରୁ ତାହା ୪%କୁ ଖସିଯିବ। ଏହା ଦ୍ୱାରା ଦେଶର ୩.୬ କୋଟି କର୍ମଚାରୀ ଓ ୧୨.୮୫ ଲକ୍ଷ କଂପାନି ଲାଭବାନ ହେବେ। ଏହି ନିଷ୍ପତ୍ତି ଯୋଗୁ କଂପାନିଗୁଡ଼ିକ ବର୍ଷକୁ ୫୦୦୦ କୋଟି ଟଙ୍କା ସଞ୍ଚୟ କରିପାରିବେ। ସେମାନଙ୍କ ଆର୍ଥିକ ବୋଝ ହାଲୁକା ହେବ। ଫଳରେ ଅଧିକରୁ ଅଧିକ କର୍ମଚାରୀଙ୍କୁ ଇଏସଆଇ ସ୍କିମରେ ସାମିଲ କରିବାକୁ କଂପାନିଗୁଡ଼ିକ ଆଗ୍ରହ ପ୍ରକାଶ କରିବେ। ଆର୍ଥିକ ବୋଝ ହାଲୁକା ହେଲେ କଂପାନିଗୁଡ଼ିକ ନୀତି ନିୟମକୁ ମଧ୍ୟ ଠିକ୍ ଭାବେ ପାଳନ କରିବେ ବୋଲି ସରକାର ଭାବୁଛନ୍ତି।
ଏବେ ପ୍ରଚଳିତ ଥିବା ନିୟମ ଅନୁସାରେ କର୍ମଚାରୀମାନେ ୧.୭୫% ଓ ନିଯୁକ୍ତିଦାତା ୪.୭୫% ହାରରେ ଅଂଶଦାନ ପ୍ରଦାନ କରୁଛନ୍ତି। ଆସନ୍ତା ଜୁଲାଇ ପହିଲାରୁ କର୍ମଚାରୀଙ୍କ ଅଂଶଦାନ ହାର ୦.୭୫%କୁ ଓ ନିଯୁକ୍ତିଦାତାଙ୍କ ଅଂଶଦାନ ହାର ୩.୨୫%କୁ ଖସିଯିବ। ଏବେ ପ୍ରଚଳିତ ଥିବା ଅଂଶଦାନ ହାର ୧୯୯୭ ଜାନୁଆରୀ ପହିଲାରେ ଲାଗୁ ହୋଇଥିଲା। ଦୀର୍ଘବର୍ଷ ପରେ ସେଥିରେ ସଂଶୋଧନ କରାଯାଇଛି। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ବିଷୟରେ ଘୋଷଣା କରାଯାଇଛି। କର୍ମଚାରୀ ରାଜ୍ୟ ବୀମା ନିୟମ ୧୯୪୮ ଅଧୀନରେ ଇଏସଆଇ ସ୍କିମରେ ସାମିଲ ହୋଇଥିବା କର୍ମଚାରୀମାନଙ୍କୁ ମେଡିକାଲ୍, ନଗଦ ରାଶି, ମାତୃତ୍ବ ସୁବିଧା, ଦିବ୍ୟାଙ୍ଗ ସହାୟତା ଏବଂ ନିର୍ଭରଶୀଳ ଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରାଯାଉଛି। ଇଏସଆଇ ସ୍କିମକୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ପରିଚାଳନା କରୁଛି। ଏହି ସ୍କିମରେ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଅଂଶଦାନ କେତେ ରହିବ ତାହା କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ନିର୍ଧାରଣ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୮-୧୯ରେ ଇଏସଆଇ ସ୍କିମରେ ୧୨.୮୫ ଲକ୍ଷ ସଂସ୍ଥା ଓ ୩.୬ କୋଟି କର୍ମଚାରୀ ୨୨,୨୭୯ କୋଟି ଟଙ୍କାର ଅଂଶଦାନ ପ୍ରଦାନ କରିଥିଲେ।
from Kanak News http://bit.ly/31wwt66 http://bit.ly/2KOJsKz
No comments: