ବିରୋଧୀ ଦଳ ନେତା ପଦକୁ ନେଇ ଚର୍ଚ୍ଚା, ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଆସନରେ ବସିବ ବିଜେପି: ରେସରେ ଅଛନ୍ତି ଜୟନାରାୟଣ, ପ୍ରଦୀପ୍ତ ଏବଂ ମୋହନ Kanak News
କନକ ବ୍ୟୁରୋ: ସରକାର ଗଠନ ସରିଯାଇଛି। ମନ୍ତ୍ରିମଣ୍ଡଳ ଶପଥ ନେଇ ସାରିଛନ୍ତି। ବାଚସ୍ପତି ନିର୍ବାଚନ ସରିଲାଣି। ଏବେ ସମସ୍ତଙ୍କ ନଜର ବିରୋଧୀ ଦଳ ନେତାଙ୍କ ଉପରେ। ବିଜେପି ପ୍ରଥମ ଥର ପାଇଁ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ବିଧାନସଭାକୁ ଯିବ। ବିରୋଧୀ ଦଳ ନେତା ପରି ଗୁରୁତ୍ବପୂର୍ଣ୍ଣ ପଦବି ବିଜେପି ପଟକୁ ଯାଇଛି। କିଏ ଏହି ପଦବି ନେବ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତା ୮ ତାରିଖ ପରେ ଯେ କୌଣସି ସମୟରେ ବିଧାୟକ ଦଳ ବୈଠକ ବସି ବିରୋଧୀ ଦଳ ନେତା ଚୟନ କରାଯିବ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀ ଦଳ ନେତା ପଦବି ବେଶ୍ ଗୁରୁତ୍ବପୂର୍ଣ୍ଣ। ବିଜେଡି କ୍ଷମତାକୁ ଆସିଲା ପରଠାରୁ କଂଗ୍ରେସ ସବୁବେଳେ ବିରୋଧୀ ଦଳ ଆସନରେ ବସିଥିଲା। ବିଜେଡି-ବିଜେପି ମେଣ୍ଟ ସରକାର ଚାଲିଥିଲା ବେଳେ କଂଗ୍ରେସ ବିରୋଧୀ ଦଳ ଆସନରେ ବସିଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିଲା ପରେ ବିଜେପି ତୃତୀୟ ସ୍ଥାନକୁ ଖସିଆସିଲା। ମୁଖ୍ୟ ବିରୋଧୀ ଦଳ ଆସନରେ କଂଗ୍ରେସ ରହିବା ସହ ବିରୋଧୀ ଦଳ ନେତା ପଦ ପାଇଥିଲା। ୨୦୦୯ ଓ ୨୦୧୪ ନିର୍ବାଚନରେ ସମାନ ସ୍ଥିତି ହୋଇଥିଲା। ତେବେ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ବିରୋଧୀ ପଟର ଦୃଶ୍ୟ ବଦଳିଯାଇଛି। କଂଗ୍ରେସକୁ ପଛକୁ ଠେଲି ବିଜେପି ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଉଭା ହୋଇଛି। ଦଳର ୨୩ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ସଦସ୍ୟ ସଂଖ୍ୟା ୯କୁ ଖସିଯାଇଥିବାରୁ ଦଳ ତୃତୀୟ ସ୍ଥାନରେ ରହିଛି।
ଏବେ ବିରୋଧୀ ଦଳ ନେତା ପଦରେ କାହାକୁ ବସାଯିବ, ତାହାକୁ ନେଇ ବିଜେପିରେ ଆଭ୍ୟନ୍ତରୀଣ ରାଜନୀତି ସରଗରମ ହୋଇଯାଇଛି। ବରିଷ୍ଠତା, ଅଭିଜ୍ଞତା, ଆନୁଗତ୍ୟ ଓ ଆଞ୍ଚଳିକ ଭୋଟ୍ ବ୍ୟାଙ୍କ୍ ଆଦିକୁ ବିଚାରକୁ ନେଇ ବିରୋଧୀ ଦଳ ନେତା ଚୟନ କରାଯିବାକୁ ଯୋଜନା ରହିଛି। ଗତ ବିଧାନସଭାରେ ସଦସ୍ୟ ଥିବା ବିଜେପିର କୌଣସି ବିଧାୟକ ଏଥର ବିଧାନସଭାକୁ ନିର୍ବାଚିତ ହୋଇନାହାନ୍ତି। ତେଣୁ ନେତା ଚୟନ କରିବା ଦଳର ନେତୃତ୍ବ ପାଇଁ କାଠିକର ପାଠ ବି ହୋଇଯାଇଛି। ବିଜେପିର ୨୩ ଜଣ ବିଧାୟକଙ୍କ ମଧ୍ୟରୁ ୧୪ ଜଣ ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଛନ୍ତି। ତେଣୁ ସେମାନଙ୍କ ମଧ୍ୟରୁ କାହାରିକୁ ବିଧାନସଭାରେ ବିରୋଧୀ ଦଳ ନେତା କିମ୍ବା ମୁଖ୍ୟ ସଚେତକ କରିବାର ସମ୍ଭାବନା କମ୍। ଏକାଧିକ ଥର ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ହିଁ କାହାରିକୁ ଏହି ପଦବି ଦିଆଯିବ। ବିରୋଧୀ ଦଳ ନେତା ଚର୍ଚ୍ଚାରେ ଥିବା ବିଧାୟକଙ୍କ ମଧ୍ୟରେ ଆଗରେ ଅଛନ୍ତି ଜୟନାରାୟଣ ମିଶ୍ର, ପ୍ରଦୀପ୍ତ ନାୟକ ଓ ମୋହନ ମାଝୀ।
ଚର୍ଚ୍ଚାର ସର୍ବାଗ୍ରେ ରହିଛନ୍ତି ଜୟନାରାୟଣ ମିଶ୍ର। ସେ ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମେଣ୍ଟ ସରକାର ଚାଲିଥିଲା ବେଳେ ସେ ପ୍ରଥମ ପାଳିରେ ସରକାରୀ ଉପ ମୁଖ୍ୟ ସେଚତକ ଓ ଦ୍ବିତୀୟ ପାଳିରେ ମନ୍ତ୍ରୀ ହୋଇଥିଲେ। ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ତାଙ୍କର ପରିଚୟ ରହିଛି। ତେବେ ୨୦୧୭ ମସିହାରେ ପଞ୍ଚାୟତ ନିର୍ବାଚନ ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ନେଇ ସମ୍ବଲପୁରେ ଦଳର ଗୋଷ୍ଠୀକନ୍ଦଳ ଉଗ୍ର ରୂପ ଧାରଣ କରିଥିଲା ବେଳେ ଶ୍ରୀ ମିଶ୍ର ଦଳରୁ ନିଲମ୍ବିତ ହୋଇଥିଲେ। ଚାରି ମାସ ପରେ ତାଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନିଆଯାଇଥିଲା। ନିଲମ୍ବନ ହୋଇଥିଲେ ବି ସେହି ସମୟରେ ଶ୍ରୀ ମିଶ୍ର ଦଳ ବିରୋଧରେ ବିଦ୍ରୋହ ଘୋଷଣା କରି ନ ଥିଲେ। ଅଭିଜ୍ଞତା ଓ ପଶ୍ଚିମ ଓଡ଼ିଶା ଗଣିତରେ ତାଙ୍କୁ ବିରୋଧୀ ଦଳ ନେତା କରାଯିବା ନେଇ ଦଳ ପକ୍ଷରୁ ଆଲୋଚନା ଚାଲିଛି। ତାଙ୍କୁ ସଭାପତି କରି ଦଳ ପଶ୍ଚିମ ଓଡ଼ିଶା କାର୍ଡ ଖେଳିବାର ସମ୍ଭାବନା ବି ରହିଛି।
ବିରୋଧୀ ଦଳ ନେତା ଦୌଡ଼ରେ ପଶ୍ଚିମ ଓଡ଼ିଶାର ଆଉ ଜଣେ ଟାଣୁଆ ନେତା ପ୍ରଦୀପ୍ତ ନାୟକ ପଛରେ ନାହାନ୍ତି। ଶ୍ରୀ ମିଶ୍ରଙ୍କ ପରି ଶ୍ରୀ ନାୟକ ମଧ୍ୟ ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମେଣ୍ଟ ସରକାର ସମୟରେ ସେ ମନ୍ତ୍ରୀ ଥିଲେ। ସେ ମଧ୍ୟ ପଶ୍ଚିମ ଓଡ଼ିଶାର ଓ ଜଣେ ଆଦିବାସୀ ନେତା ଭାବେ ତାଙ୍କର ପରିଚୟ ଥିବାରୁ ବିରୋଧୀ ଦଳ ନେତା ପଦବି ପାଇଁ େସ ପ୍ରମୁଖ ଦାବିଦାର ବୋଲି ଗୋଟିଏ ଗୋଷ୍ଠୀ ଯୁକ୍ତି ବାଢ଼ୁଛନ୍ତି। ଶ୍ରୀ ନାୟକ ଏଥର କଳାହାଣ୍ଡି ଲୋକସଭା ଆସନରୁ ଲଢ଼ିବାକୁ ଆଗ୍ରହୀ ଥିଲା ବେଳେ ତାଙ୍କୁ ଭବାନୀପାଟଣା ବିଧାନସଭା ଆସନରେ ଟିକେଟ୍ ଦିଆଗଲା। ଏହାକୁ ନେଇ ସେ ଅସନ୍ତୋଷ ବି ପ୍ରକାଶ କରିଥିଲେ। ଅବଶ୍ୟ ଦଳ ତାଙ୍କୁ ମନାଇବାରେ ସକ୍ଷମ ହୋଇଥିଲା। କେନ୍ଦୁଝର ମୋହନ ମାଝୀଙ୍କ ନାମକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି। ଶ୍ରୀ ମାଝୀ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ମେଣ୍ଟ ସରକାରର ଦ୍ବିତୀୟ ପାଳିରେ ସେ ସରକାରୀ ଦଳର ଉପ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ସମ୍ଭାଳିଥିଲେ। ତାଙ୍କର ବି ଅଭିଜ୍ଞତା ବେଶ ଭଲ। ପୁଣି ଜଣେ ଦକ୍ଷ ଆଦିବାସୀ ନେତା ଭାବେ ତାଙ୍କର ପରିଚୟ ରହିଛି। ତେଣୁ ତାଙ୍କ ସପକ୍ଷରେ ବିଜେପିର ଗୋଟିଏ ଗୋଷ୍ଠୀ ଲବି ଚଳାଇଛନ୍ତି।
ଏପରି ଚର୍ଚ୍ଚା ଓ ଲବି ଭିତରେ ବିରୋଧୀ ଦଳ ନେତା ପଦବି ପଶ୍ଚିମ ଓଡ଼ିଶାକୁ ଯିବାର ସମ୍ଭାବନା ଅଧିକ ରହିଛି। ପଶ୍ଚିମ ଓଡ଼ିଶାରେ ବିଜେପି ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲେ ବି ସେଠାରୁ କାହାରିକୁ କେନ୍ଦ୍ର ମନ୍ତ୍ରୀ କରାଯାଇ ନାହିଁ। ରାଜ୍ୟରେ ବିଜେଡି ସରକାର ମଧ୍ୟ ପଶ୍ଚିମ ଓଡ଼ିଶାକୁ ଫୋକସ୍ ରଖି ବିକାଶ ଯୋଜନାମାନ ଘୋଷଣା କରୁଛି। ଗତ ବିଧାନସଭାରେ କଂଗ୍ରେସ ପଶ୍ଚିମ ଓଡ଼ିଶାରୁ ହିଁ ବିରୋଧୀ ଦଳ ନେତାଙ୍କୁ ଚୟନ କରିଥିଲା। ତେଣୁ ପଶ୍ଚିମ ଓଡ଼ିଶା ଭୋଟ୍ ବ୍ୟାଙ୍କକୁ ଠିକ୍ ରଖିବା ପାଇଁ ବିଜେପି ପଶ୍ଚିମ ଓଡ଼ିଶାକୁ ବିରୋଧୀ ଦଳ ନେତା ପଦବି ଦେଇପାରେ।
ଦୀର୍ଘ ବର୍ଷ ଧରି ପଶ୍ଚିମ ଓଡ଼ିଶାରୁ ବିଜେପିର ରାଜ୍ୟ ସଭାପତି ଭାବେ ବସନ୍ତ ପଣ୍ଡା ଦାୟିତ୍ବ ନେଇଥିଲେ। ଶ୍ରୀ ପଣ୍ଡା ସାଂସଦ ହୋଇଥିବାରୁ ତାଙ୍କୁ ବଦଳାଯାଇ ଉପକୂଳ ଓଡ଼ିଶାରୁ ଜଣଙ୍କୁ ସଭାପତି କରାଯିବା ନେଇ ଦଳୀୟ ମହଲରେ ଆଲୋଚନା ଜୋର୍ ଧରିଛି। ସେହି ଦୃଷ୍ଟିକୋଣରୁ ପଶ୍ଚିମ ଓଡ଼ିଶା ନେତାଙ୍କୁ ବିରୋଧୀ ଦଳ ନେତା ପଦବି ଯିବାର ସମ୍ଭାବନା ଅଧିକ। ପଶ୍ଚିମ ଓଡ଼ିଶା ଭୋଟ୍, ଆଦିବାସୀ ଭୋଟ୍ ଓ ଉପକୂଳ ଓଡ଼ିଶାକୁ ନଜର ରଖି ବିରୋଧୀ ଦଳର ଉପନେତା ପଦବି ବି ସୃଷ୍ଟି କରାଯିବାର ସମ୍ଭାବନା ରହିଛି। ସବୁଆଡ଼କୁ ସମନ୍ବୟ ରଖିବା ପାଇଁ ବିରୋଧୀ ଦଳ ନେତା, ଉପନେତା ଓ ମୁଖ୍ୟ ସଚେତକ ପଦବିକୁ ବାଣ୍ଟି ଦିଆଯାଇପାରେ ବୋଲି ସୂଚନା ମିଳୁଛି। ଆସନ୍ତା ୮ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସିଲା ପରେ ଯେ କୌଣସି ସମୟରେ ବିଧାୟକ ଦଳ ବୈଠକ ବସି ନେତା ଚୟନ କରାଯିବ।
from Kanak News http://bit.ly/2QLkigN http://bit.ly/2WJc5zc
No comments: