ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ ସମାରୋହରେ ଦେଶ-ଦୁନିଆରୁ ୬୦୦୦ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି।
ସବୁଠାରୁ ବଡ଼ କଥା ହେଉଛି ମୋଦି ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ, ଏତେ ଅତିଥି ଉପସ୍ଥିତ ରହିବେ କିନ୍ତୁ ମୋଦିଙ୍କ ପରିବାରରୁ କାହାକୁ ମଧ୍ୟ ଆମନ୍ତ୍ରିତ କରାଯାଇନାହିଁ।
ଆଜିର ଏହି ଶପଥ ଉତ୍ସବରେ ମୋଦିଙ୍କ ପରିବାରରୁ କେବି ବି ସାମିଲ୍ ହେବେ ନାହିଁ। ମୋଦିଙ୍କର ଭଉଣୀ ବାସନ୍ତୀବେନ୍ ଏହି କଥାର ସୂଚନା ଦେଇଛନ୍ତି। ଏକ ଇଣ୍ଟରଭ୍ୟୁରେ ବାସନ୍ତୀବେନ୍ କହିଛନ୍ତି, “ପ୍ରଧାନମନ୍ତ୍ରୀ ତାଙ୍କ ପରିବାରରୁ କାହାକୁ ମଧ୍ୟ ଆମନ୍ତ୍ରିତ କରିନାହାନ୍ତି। ପୂର୍ବରୁ ମଧ୍ୟ ଅର୍ଥାତ୍ ୨୦୧୪ରେ ଯେବେ ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ, ସେହି ସମୟରେ ମଧ୍ୟ ମୋଦିଙ୍କ ଶପଥ ଉତ୍ସବରେ ପରିବାରରୁ କେହି ହେଲେ ବି ଯୋଗ ଦେଇନଥିଲେ।“
ବାସନ୍ତୀବେନ୍ ଆହୁରି ମଧ୍ୟ କହିଛନ୍ତି ଯେ, “ଭାଇ-ଭଉଣୀଙ୍କ ମଧ୍ୟରେ ସ୍ନେହ ରହିଥାଏ। ଭଉଣୀ, ଭାଇକୁ ରାକ୍ଷୀ ପଠାଇବା ସହିତ ଭାଇର ଶୁଭମନାସୀ ଥାଏ ଏବଂ ସଦାସର୍ବଦା ଭାଇ ଆହୁରି ଆଗକୁ ଯାଆନ୍ତୁ ବୋଲି ଉଉଣୀ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥାଏ। “
“ଆଜି ଗୋଟିଏ ଗରିବର ପୁଅ ଆଗକୁ ବଢ଼ିଛି ଏବଂ ଜନତା ତାକୁ ସହଯୋଗ କରି ମନଖୋଲି ଭୋଟ ଦେଇଛନ୍ତି। ଏଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।“
ଯେବେ ମୋଦି ଗୁଜରାଟର ବଡନଗରକୁ ଯାଇଥିଲେ ଏବଂ ଭଉଣୀ ସହିତ ଦେଖା କରି ରାକ୍ଷୀ ବାନ୍ଧୁଥିଲେ। କିନ୍ତୁ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ କୌଣସି ନିମନ୍ତ୍ରଣ ଦେଇନଥିଲେ। ମୋଦି ତାଙ୍କ ପରିବାରର କୌଣସି ସଦସ୍ୟକୁ ଆମନ୍ତ୍ରଣ କରିନାହାନ୍ତି। କାରଣ ସେ ତାଙ୍କ ଜୀବନକୁ ଦେଶ ପାଇଁ ସମର୍ପିତ କରି ଦେଇଛନ୍ତି ବୋଲି ବାସନ୍ତୀବେନ୍ ସାକ୍ଷାତକାରରେ କହିଛନ୍ତି।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହଲ୍ଲାଦ ମୋଦି କହିଛନ୍ତି, “ଦେଶର ଜନତା ନରେନ୍ଦ୍ର ଭାଇଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ସେ ଏତେ ବଡ଼ ବିଜୟ ହାସଲ କରିଛନ୍ତି। ଯାହାଯୋଗୁ ତାଙ୍କର ଦେଶ ପ୍ରତି ଥିବା କର୍ତ୍ତବ୍ୟ ବଢ଼ିଯାଇଛି।“
ଆଜି ସଂନ୍ଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନରେ ଶପଥ ନେବେ। ଏହି ସମାରୋହ ୯୦ ମିନିଟ୍ ପାଇଁ ଚାଲିବ। ଏହି ସମାରୋହରେ ବିମ୍ସଟେକ (BIMSTEC) ଦେଶର ନେତାମାନଙ୍କୁ ବିଶେଷ ଭାବରେ ଆମନ୍ତ୍ରଣ କରାଯାଇଛି। ଏହା ବ୍ୟତୀତ ଫିଲ୍ମ, ଖେଳ ଏବଂ ବ୍ୟବସାୟୀ ଜଗତର ଅନେକ ନେତାଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି।
କେଉଁମାନଙ୍କୁ ମିଳିଛି ନିମନ୍ତ୍ରଣ
ପଡ଼ୋଶୀ ଆଗ ନୀତିକୁ ଆଗରେ ରଖି ବିମ୍ସଟେକ ଦେଶର ସମସ୍ତ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ଏହାର ସଦସ୍ୟ ଦେଶମାନଙ୍କ ମଧ୍ୟରେ ରହିଛନ୍ତି, ଶ୍ରୀଲଙ୍କା,ମିଆଁମାର, ଥାଇଲାଣ୍ଡ, ଭୁଟାନ୍,ନେପାଳ,ଭାରତ ଓ ବାଙ୍ଗଲାଦେଶ। ଏହା ବ୍ୟତୀତ ମରିସସ୍ର ପ୍ରଧାନମନ୍ତ୍ରୀ ଓ କିର୍ଗିଜ୍ ଗଣରାଜ୍ୟର ରାଷ୍ଟ୍ରପତି ମଧ୍ୟ ଏହି ଶପଥଗ୍ରହଣ ଉତ୍ସବରେ ଭାଗ ନେବେ।
from OTV Khabar http://bit.ly/2Kc4Nx3
No comments: