
ମୁମ୍ବାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ଆଧାରିତ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଫିଲ୍ମକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ଟ୍ରେଲର ରିଲିଜ ପରେ, କଂଗ୍ରେସ ପାଇଁ ସ୍ୱତନ୍ତ୍ର ଭାବେ ସ୍କ୍ରିନିଂ କରିବାକୁ ମହାରାଷ୍ଟ୍ର ଯୁବ କଂଗ୍ରେସ ସଭାପତି ଫିଲ୍ମର ପ୍ରଯୋଜକଙ୍କୁ ଚିଠି ଲେଖିଛନ୍ତି।
ଅଭିଯୋଗ ଯେ, ଫିଲ୍ମର କିଛି ଦୃଶ୍ୟରେ ନିର୍ବାଚନ ପୂର୍ବରୁ ଦଳ ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମ୍ମାନହାନୀ ପାଇଁ ଯୋଜନା କରାଯାଇଛି ବୋଲି ଯୁବ କଂଗ୍ରେସ କହିଛି। ଏଣୁ ଜାନୁଆରି ୧୧ରେ ଫିଲ୍ମର ରିଲିଜ ପୂର୍ବରୁ ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଉ। ଏହାଛଡ଼ା ତଥ୍ୟ ବାହାରର ଦୃଶ୍ୟକୁ ପୁଣିଥରେ ସଂପାଦନ କରାଯାଉ ବୋଲି ଦାବି ହୋଇଛି । ମଧ୍ୟପ୍ରଦେଶ କଂଗ୍ରେସ ମଧ୍ୟ ଏନେଇ ଆପତ୍ତି ଉଠାଇଛି।
କଂଗ୍ରେସର ବିରୋଧକୁ ନେଇ ରାହୁଲଙ୍କୁ ଇସାରା ଦେଇଛନ୍ତି ଫିଲ୍ମରେ ମନମୋହନଙ୍କ ଭୂମିକାରେ ଅଭିନୟ କରିଥିବା ଅନୁପମ ଖେର। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବାକ୍ ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖିବାକୁ ଦେଉଥିବା ପରାମର୍ଶ ଏବେ କାର୍ଯ୍ୟକାରୀ କରିବା କଥା ବୋଲି ସେ କହିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ମଧ୍ୟ ବାକ୍ ସ୍ୱାଧୀନତା ନେଇ କଂଗ୍ରେସକୁ ଘେରିଛନ୍ତି।
‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଫିଲ୍ମର ଟ୍ରେଲର ସଂପର୍କରେ ବିଜେପିର ଟ୍ୱିଟକୁ ନେଇ କଂଗ୍ରେସ କହିଛି ଯେ, ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରାଯାଇଛି। ଏହାସହ ଅନୁପମ ଖେର ଜଣେ ଭଲ ଅଭିନେତା ହୋଇଥିଲେ ବି ବିଜେପିର ଏଜେଣ୍ଟ ଭଲି କାମ କରିଥିବା କଂଗ୍ରେସ ସାଂସଦ କହିଛନ୍ତି।
ମନମୋହନଙ୍କ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳରେ ୨୦୦୪ରୁ ୨୦୦୮ ଯାଏ ଗଣମାଧ୍ୟମ ପରାମର୍ଶଦାତା ଥିବା ସଂଜୟ ବାରୁଙ୍କ ଲିଖିତ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ପୁସ୍ତକ ୨୦୧୪ରେ ରିଲିଜ ହୋଇଥିଲା। ଏବେ ତାକୁ ନେଇ ଫିଲ୍ମ କରାଯାଇଛି। ଗତକାଲି ଟ୍ରେଲର ରିଲିଜ ହୋଇଥିବାବେଳେ ଜାନୁଆରି ୧୧ରେ ଫିଲ୍ମ ରିଲିଜ ହେବାକୁ ସ୍ଥିର ହୋଇଛି।
from OTV Khabar http://bit.ly/2ESZ7q3
No comments: