
ମୁମ୍ବାଇ: ସାକ୍ଷୀ ତନ୍ୱାର । ଟେଲିଭିଜନ ଦୁନିଆର ସେ ହେଉଛନ୍ତି କୁଇନ୍ । ଅଭିନୟ ପାଇଁ ସେ ଆଜି କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ‘କାହାଣୀ ଘର୍ ଘର୍କି’ର ପାର୍ବତୀଠୁ ନେଇ ‘ବଡ଼େ ଅଛେ ଲଗ୍ତେ ହୈଁ’ର ପ୍ରିୟା ପର୍ଯ୍ୟନ୍ତ ସବୁ ଚରିତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ସାକ୍ଷୀ। ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ୍ ବି ଯୋଗାଇଛନ୍ତି।
ଖାଲି ମନୋରଞ୍ଜନ ନୁହେଁ, ସାକ୍ଷୀ ଏବେ ଏମିତି କିଛି ପଦକ୍ଷେପ ନେଇଛନ୍ତି ଯାହାକୁ ଶୁଣି ଆପଣ ନିଶ୍ଚିତ ଖୁସି ହେବେ। ଆଉ ତାଙ୍କ ମହାନତା ଲାଗି ଆପଣ ତାଙ୍କୁ ନିଶ୍ଚିତ ଭାବେ ଧନ୍ୟବାଦ ଦେବେ। କଥାଟା କ’ଣ ଜାଣିଛନ୍ତି ?

ଅବିବାହିତ ସାକ୍ଷୀ ୪୫ ବର୍ଷ ବୟସରେ ଏବେ ଛୋଟ ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି। ଏହି କଥା ସେ ଗଣମାଧ୍ୟମରେ ପ୍ରକାଶ କରିବା ପରେ ତାଙ୍କ ଫ୍ୟାନ୍ମାନେ ପ୍ରଂଶସାରେ ଶତମୁଖ ହୋଇଛନ୍ତି।
ଏହା ଛଡ଼ା ସାକ୍ଷୀ ନିଜ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଏକ ଫଟୋ ଶେୟାର କରି ଲେଖିଛନ୍ତି,- ‘‘ବାପା ମା’ଙ୍କ ଆଶୀର୍ବାଦ ଓ ପରିବାର ଲୋକଙ୍କ ସହଯୋଗରେ ମୁଁ ଏକ ଶିଶୁ କନ୍ୟାକୁ ଆଡପ୍ଟ କରିଛି। ସେ ଖୁବ୍ ଜଲ୍ଦି ୯ ମାସର ହୋଇଯିବ । ତା’ ଆଗମନରେ ମୋ ଜୀବନରେ ଖୁସି ଭରି ଯାଇଛି। ଆଉ ଏହା ମୋ ଜୀବନର ଏକ ସୁନ୍ଦର ମୁହୂର୍ତ୍ତ। ମୋର ସେହି କୁନି ଝିଅର ନା’ ହେଉଛି ‘ଦିତ୍ୟା’। ଯାହାର ଅର୍ଥ ମା’ ଲକ୍ଷୀ ଓ ପ୍ରାର୍ଥନାର ଉତ୍ତର ଦେବା। ”
ସୂଚନାଯୋଗ୍ୟ, ମିଷ୍ଟର ପରେଫେକ୍ସନିଷ୍ଟ୍ଙ୍କ ସହ ସୁପରହିଟ୍ ବଲିଉଡ୍ ଫିଲ୍ମ ‘ଦଙ୍ଗଲ୍’ରେ ଡେବ୍ୟୁ କରି ପ୍ରଚୁର ଭଲ ପାଇବା ସାଉଁଟିଥିବା ସାକ୍ଷୀ ଏତେ ସବୁ ସଫଳତା ଆଉ ମନୋରଞ୍ଜନ ଭେଟିଦେବା ପରେ ଦର୍ଶକଙ୍କୁ ଏମିତି ନିଆରା ଭେଟି ଦେଇଛନ୍ତି। ଯାହା ମାନବିକତାର ମୂଲ୍ୟବୋଧକୁ ସୂଚାଉଛି ବୋଲି ତାଙ୍କର ଅନେକ ଫ୍ୟାନ୍ ମତବ୍ୟକ୍ତ କରିଛନ୍ତି।
from Odisha Reporter
No comments: