ଚୀନ ତିଆରି କରୁଛି ଆଉ ଏକ ଜହ୍ନ : ୨୦୨୦ ବେଳକୁ ଚୀନ ଆକାଶରେ ସବୁବେଳେ ପୂର୍ଣ୍ଣମୀ

ବେଜିଂ ୨୦/୧୦: ବିଶ୍ବରେ ଏକ ବଡ଼ ଚମତ୍କାର ହେବାକୁ ଯାଉଛି। ଚୀନ ଆଉ ଏକ ଜହ୍ନ(ଚନ୍ଦ୍ର) ତିଆରି କରୁଛି। ୨୦୨୦ମସିହା ସୁଦ୍ଧା ଏହି ବିକଳ୍ପ ଏବଂ ମନୁଷ୍ୟକୃତ ଜହ୍ନ ଚୀନର ଆକାଶରେ ଚମକିବ। ବିଦ୍ୟୁତ ଖର୍ଚ୍ଚ ହ୍ରାସ ସାଙ୍ଗକୁ ରାତିରେ ସହରାଞ୍ଚଳରେ ନିରବଛ୍ଛିନ୍ନ ଆଲୋକ ବ୍ୟବସ୍ଥା ପାଇଁ ଚୀନ ଏହି ଜହ୍ନ ତିଆରି କରୁଥିବା ଜଣାପଡ଼ିଛି। ଏକ ଉପଗ୍ରହ ମାଧ୍ୟମରେ ଏହି ଜହ୍ନ ତିଆରି କରାଯିବ। ସୂର୍ଯ୍ୟଙ୍କ ରଶ୍ମିକୁ ପ୍ରତିଫଳିତ କରି ଏହା ସମ୍ପୂର୍ଣ୍ଣ ପ୍ରାକୃତିକ ପଦ୍ଧତିରେ ନିର୍ମିତ ହେଉଛି। ଜହ୍ନ ଓ ମନୁଷ୍ୟକୃତ ଜହ୍ନ ମଧ୍ୟରେ କୈାଣସି ପ୍ରଭେଦ ବାରିହେବ ନାହିଁ ବୋଲି ଚୀନ ପକ୍ଷରୁ ଦାବି କରାଯାଇଛି। ଅବଶ୍ୟ ସତ ଜହ୍ନଠାରୁ ଏହି ସାଟେଲାଇଟ ଜହ୍ନ ଅଧିକ ଆଲୋକପ୍ରଦାନକାରୀ ହେବ। ଜହ୍ନ ୧୫ଦିନ ବଢ଼ିବା ଛିଡ଼ିବା ଭଳି ପ୍ରକ୍ରିୟା ଏଥିରେ ରହିବ ନାହିଁ। ଅର୍ଥାତ୍ ଏବେ ଚୀନରେ ସବୁବେଳେ ପୂର୍ଣ୍ଣ ଜହ୍ନ ଦେଖିବାକୁ ମିଳିବ। ନିର୍ମାଣ ଚାଲିଥିବା ଏହି ସାଟେଲାଇଟ ଜହ୍ନ ୨୦୨୦ମସିହାରେ ପରୀକ୍ଷାମୂଳକ ଭାବେ ଚୀନର ଦକ୍ଷିଣ-ପଶ୍ଚିମ ରାଜ୍ୟର ଚେଙ୍ଗଡ଼ୁ ସହରରେ ଲଞ୍ଚ କରାଯିବ। ଏହା ପ୍ରକୃତ ଜହ୍ନଠାରୁ ୮ଗୁଣ ଅଧିକ ଉଜ୍ଜଳ ଦିଶିବ ଏବଂ ୫୦ବର୍ଗ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ଆଲୋକିତ କରିବାଭଳି କ୍ଷମତା ସମ୍ପନ୍ନ ହେବ ବୋଲି ଚୀନର ଏକ ଖବରକାଗଜ ପକ୍ଷରୁ ଜଣାପଡ଼ିଛି।

ଏହି ପ୍ରଥମ ମନୁଷ୍ୟକୃତ ଜହ୍ନ ସି-ଚୁନଠାରେ ଥିବା ଜୀଚାଙ୍ଗ ଉପଗ୍ରହ ଉତକ୍ଷେପଣ କେନ୍ଦ୍ରରୁ ଲଞ୍ଚ କରାଯିବ। ଯଦି ଏହା ସଫଳ ହୁଏ ତାହେଲେ ୨୦୨୨ବେଳକୁ ଚୀନ ବିଭିନ୍ନ ସହରର ଆକାଶରେ ମନୁଷ୍ୟକୃତ ଜହ୍ନମାନ ଦେଖାଯିବ ବୋଲି ଟିଆନ୍ ଫୁ ନ୍ୟୁ ଏରିଆ ସାଇନ୍ସ ସୋସାଇଟିର ମୁଖ୍ୟ ୟୁ ଚୁଙ୍ଗଫେଙ୍ଗ ପ୍ରକାଶ କରିଛନ୍ତି। ଏହି ସଂସ୍ଥା ହିଁ ମନୁଷ୍ୟକୃତ ଜହ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଯାଉଛି।

ସୂର୍ଯ୍ୟଙ୍କ ରଶ୍ମିକୁ ପ୍ରତିଫଳିତ କରି ଏହି ଜହ୍ନ ତିଆରି ଦ୍ବାରା ଚୀନରେ ଆଉ ଷ୍ଟ୍ରିଟ ଏାଇଟର ଆବଶ୍ୟକତା ରହିବ ନାହିଁ। ଏ ବାବଦୀୟ ବିଜୁଳିଖର୍ଚ୍ଚ ମଧ୍ୟ କମିଯିବ। ଫଳରେ ଚୀନ ବିଜୁଳି ବାବଦକୁ ୧୭୦ନିୟୁତ ଡଲାର ଆମେରିକୀୟ ଡଲାର ସଞ୍ଚୟ କରିପାରିବ।

ଉପଗ୍ରହ ମାଧ୍ୟମରେ ଜହ୍ନ ସୃଷ୍ଟି ଦ୍ବାରା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିଶେଷ ଫାଇଦା ମିଳିବ। ପ୍ରାକୃତିକ ବିପର୍ଯ୍ୟୟ ବେଳେ ବିଦ୍ୟୁତ ସରବରାହରେ ବ୍ୟାଘାତ ଉପୁଜିଲେ ମଧ୍ୟ ଚୀନର ରାସ୍ତାଘାଟ ଆଲୋକିତ ରହିବ।

ଆମେରିକା ଓ ରୁଷ ସହ ମହାକାଶ ଗବେଷଣା କ୍ଷେତ୍ରରେ ଚୀନ ପ୍ରତିଯୋଗିତା ଆରମ୍ଭ କରିଥିବାରୁ ଆଗାମୀ ଦିନରେ ଚୀନ ଏଭଳି ବହୁ ଚମକପ୍ରଦ ଘଟଣା ସୃଷ୍ଟି କରିବାକୁ ଯାଉଛି। ଏଭଳି ବହୁ ପ୍ରକଳ୍ପ ଚୀନ ଆରମ୍ଭ କରିସାରିଥିବା ମଧ୍ୟ ସୂଚନା ମିଳିଛି। ଏଥିସହିତ ଜହ୍ନ ବା ଚନ୍ଦ୍ରଙ୍କ ଅନ୍ଧାରପଟକୁ ନେଇ ମଧ୍ୟ ଚୀନ ଏକ ବଡ଼ଧରଣର ଗବେଷଣା ଚଳାଇଛି।

ସୂଚନାଯୋଗ୍ୟ ଯେ, ମନୁଷ୍ୟକୃତ ଜହ୍ନ ତିଆରି କରିବା କ୍ଷେତ୍ରରେ ଚୀନ ପ୍ରଥମ ଦେଶ ନୁହେଁ। ଏଥିପୂର୍ବରୁ ୧୯୯୦ମସିହାରେ ରୁଷ ଏଭଳି ପରୀକ୍ଷା କରିସାରିଛି। ଏକ ପ୍ରକାଣ୍ଡ ଦର୍ପଣ ସାହାଯ୍ୟରେ ସୂର୍ଯ୍ୟଙ୍କ ରଶ୍ମିକୁ ପୃଥିବୀକୁ ପ୍ରତିଫଳିତ କରିବାରେ ରୁଷ ସକ୍ଷମ ହୋଇଥିଲା। ରୁଷର ଏହି ପରୀକ୍ଷାର ନାଁ ଯ୍ନାମୟ ବା ବେନର।



from News7 https://ift.tt/2CUG8Kt
ଚୀନ ତିଆରି କରୁଛି ଆଉ ଏକ ଜହ୍ନ : ୨୦୨୦ ବେଳକୁ ଚୀନ ଆକାଶରେ ସବୁବେଳେ ପୂର୍ଣ୍ଣମୀ ଚୀନ ତିଆରି କରୁଛି ଆଉ ଏକ ଜହ୍ନ : ୨୦୨୦ ବେଳକୁ ଚୀନ ଆକାଶରେ ସବୁବେଳେ ପୂର୍ଣ୍ଣମୀ Reviewed by SUBHENDU BARAL on October 20, 2018 Rating: 5

No comments:

Powered by Blogger.