ସୁବର୍ଣ୍ଣରେଖାରେ ଧିରେ ଧିରେ ଖସୁଛି ଜଳସ୍ତର : ହେଲେ, ଏବେ ବି ହଟିନି ବିପଦ; ପାଣିରେ ବୁଡି ରହିଛି ବାଲେଶ୍ୱର ଜିଲ୍ଲାର ୧୫୧ ଗାଁ Kanak News

କନକ ବ୍ୟୁରୋ : ଉପରମୁଣ୍ଡରେ ବର୍ଷା କମିବା ପରେ ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ବିପତି ଟଳିଯାଇଥିଲେ ବି ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ଏବଂ ଜଳେଶ୍ୱର ବ୍ଲକର ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ୪ଟି ବ୍ଲକ ସହିତ ବାଲେଶ୍ୱର ସଦର ଏବଂ ରେମୁଣା ବ୍ଲକର ମୋଟ ୧୫୧ଟି ଗାଁ ପାଣି ଘେରରେ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟାଅଞ୍ଚଳରେ ଫସିରହିଥିବା ୪୦ ହଜାରରୁ ଅଧିକ ଲୋକଙ୍କୁୁ ନିରାପଦ ସ୍ଥାନକୁ ସ୍ଥାନନ୍ତର କରାଯାଇଛି । ଗତକାଲି ମଧ୍ୟାହ୍ନରେ ପିକ ଫ୍ଲଡ ଅତିକ୍ରମ କରିସାରିଛି । ଆଉ ଟିକେ ଉପରକୁ ଜଳସ୍ତର ଉଠିଥିଲେ ପରିସ୍ଥିତି ଆହୁରି ସଙ୍ଗୀନ ହୋଇ ଯାଇଥାନ୍ତା ।
ବାଲେଶ୍ୱର ସହ ମୟୂରଭଞ୍ଜର କିଛି ଅଞ୍ଚଳ ମଧ୍ୟ ପ୍ରବାହିତ ହୋଇଛି । ତଳିଆ ଅଞ୍ଚଳରେ ଉଛୁଳୁଛି ବନ୍ୟାପାଣି । ରାସ୍ତା ଉପରେ ପାଣି ଚାଲୁଛି । ଚାଷଜମି, ଜନବସତି ସବୁ ଏକାକାର ହୋଇ ଯାଇଛି । ଯୁଆଡେ ଚାହିଁଲେ ଖାଲି ପାଣି ହିଁ ପାଣି ଦେଖିବାକୁ ମିଳିଛି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ପ୍ରଶାସନ । ଏନଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଉ ଦୁଇ ଦିନ ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ରହିବ ବନ୍ୟା ସ୍ଥିତି । ଏବଂ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଗାଲୁଡିହ ଡ୍ୟାମରୁ ପାଣି ନିଷ୍କାସନ ହ୍ରାସ ପାଇଛି । ରାଜଘାଟରେ ସେଣ୍ଟ୍ରାଲ ୱାଟର କମିଶନଙ୍କ ଟିମ୍ ପହଞ୍ଚି ଜଳସ୍ତରର ତଦାରଖ କରିଛନ୍ତି । ନଦୀବନ୍ଧର ଦୁର୍ବଳ ସ୍ଥାନଗୁଡିକ ଉପରେ ନଜର ରଖିଛନ୍ତି ସ୍ୱତନ୍ତ୍ର ଟିମ୍ ।
ବନ୍ୟା ମୁକାବିଲା ପାଇଁ ୫ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ତେବେ ବନ୍ୟା ଭିତରେ ପୁଣି ବର୍ଷା ଆଶଙ୍କା, ଚିନ୍ତା ବଢ଼ାଇ ଦେଇଛି । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରୀୟ ରହିଛି । ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସାଟେଲାଇଟ୍ ଚିତ୍ର ମଧ୍ୟ ଦର୍ଶାଉଛି । ଆସନ୍ତା ଦୁଇଦିନ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ରାଜ୍ୟ ୨୦ଟି ଜିଲ୍ଲାରେ ମଙ୍ଗଳବାର ଦିନ ବର୍ଷା ହୋଇପାରେ । ପୂର୍ବ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ଆଶଙ୍କା ମଧ୍ୟ ରହିଛି । ସେହିପରି ବୁଧବାର ଦିନ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବା ନେଇ ଆଇଏମଡି ପୂର୍ବାନୁମାନ କରିଛି ।
The post ସୁବର୍ଣ୍ଣରେଖାରେ ଧିରେ ଧିରେ ଖସୁଛି ଜଳସ୍ତର : ହେଲେ, ଏବେ ବି ହଟିନି ବିପଦ; ପାଣିରେ ବୁଡି ରହିଛି ବାଲେଶ୍ୱର ଜିଲ୍ଲାର ୧୫୧ ଗାଁ first appeared on Kanak News.
from Kanak News https://ift.tt/vwMzCk5 https://ift.tt/K3cWjDm
No comments: