ପ୍ରାୟତଃ ବର୍ଷାଋତୁ ଆରମ୍ଭ ହୋଇଗଲେ ଆମେ ଜ୍ୱର, ଥଣ୍ଡା ଆଦି କାରଣରୁ ଦେହ ଖରାପକୁ ନେଇ ଟିକେ ଅଧିକ ବ୍ୟସ୍ତ ହୋଇଥାଉ। ଆପଣ ବି ସେମିତି ଅନୁଭବ କରୁଥିବେ। ଖରାଦିନ ପରେ ହଠାତ ବର୍ଷା ଆରମ୍ଭ ହୋଇଗଲେ ବିଶେଷକରି ଛୋଟ ପିଲାମାନଙ୍କର ଦେହ ଖରାପ ହେବା ଆରମ୍ଭ ହୋଇଯାଏ। ଜ୍ୱର, କାଶ, ଥଣ୍ଡା ଆଦି ପରି ଭୂତାଣୁଜନିତ ରୋଗ ଏହି ସମୟରେ ଅଧିକ ଦେଖାଦିଏ। ସାଧାରଣ ଜ୍ୱର ପରେ ପ୍ରାୟତଃ ଏବେ ଟାଇଫଏଡ୍ ଓ ଡେଙ୍ଗୁର ମାତ୍ରା ଅଧିକ ଦେଖାଯାଉଛି।
ହଠାତ୍ ବର୍ଷା ହେଲେ ଏହା ହେବାର କାରଣ ହେଉଛି ପ୍ରକୃତିରେ ଋତୁ ପରିବର୍ତ୍ତନ ସହ ଆମ ଶରୀର ଖାପଖୁଆଇବାକୁ ସମୟ ଲାଗେ। ଏଥିପାଇଁ ଆମକୁ ଆମ ଶରୀରକୁ ସର୍ବଦା ଯେକୌଣସି ପ୍ରକାର ପାରିପାର୍ଶ୍ୱିକ ପରିବର୍ତ୍ତନ ସହ ଖାପଖୁଆଇବାକୁ ପ୍ରସ୍ତୁତ ରଖିବା ଉଚିତ। ତେବେ କିପରି?
ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦରକାର ମୁତାବକ ବଢ଼ାଇ ଆମେ ଆମ ଶରୀରକୁ ନିରୋଗ ରଖିପାରିବା। ଏଥିପାଇଁ କୌଣସି ଔଷଧ ବିନା କେତୋଟି ଖାଦ୍ୟପେୟ ସହିତ ନିଜର ଜୀବନ ଶୈଳୀ ବଦଳାଇବା ଜରୁରୀ ହୋଇଥାଏ। ତେବେ ଆସନ୍ତୁ ସବିଶେଷ ଏହି ବିଷୟରେ ଜାଣିବା।
ରୋଗ ପ୍ରତିରୋଧକ ଶକ୍ତି ବିଷୟରେ କଥା ପଡିଲେ ଆମେ ପ୍ରଥମେ ଭିଟାମିନ ‘ସି’ କଥା ମନକୁ ଆଣିଥାଉ। କାରଣ ଆମେ ସମସ୍ତେ ଅଳ୍ପେ ବହୁତେ ଆମ ଶରୀର ପାଇଁ ଭିଟାମିନ୍ ‘ସି’ ର କାର୍ଯ୍ୟକାରିତା ବିଷୟରେ ଜାଣିଛେ। ଏଣୁ ଆମେ ଏବେ ଏପରି କିଛି ଖାଦ୍ୟ ଉତ୍ସ ବିଷୟରେ କଥା ହେବା ଯାହା ନିୟମିତ ଖାଇବା ଦ୍ୱାରା ଆବଶ୍ୟକ ପରିମାଣର ଭିଟାମିନ୍ ‘ସି’ ଆମକୁ ମିଳିପାରିବ।
ଆମେ ସମସ୍ତେ କମଳା, ଲେମ୍ୱୁ, ଅଁଳା ଆଦି ଫଳ ପ୍ରାୟତଃ ବଜାରରୁ କିଣୁ। କିନ୍ତୁ ସାଧାରଣତଃ କିଛି ଲୋକଙ୍କର ଧାରଣା ଥାଏ ଯେ କେବଳ ଜ୍ୱର କିମ୍ୱା ଅନ୍ୟ ପ୍ରକାର ଦେହ ଖରାପ ବେଳେ ହିଁ ଫଳ ଖିଆଯାଏ, ଯାହା କି ସମ୍ପୂର୍ଣ୍ଣ ଅହେତୁକ ଅଟେ। ଏହିସବୁ ଫଳ ଭିଟାମିନ୍ ‘ସି’ରେ ଭରପୂର ଏବଂ ଆମେ ଏସବୁକୁ ନିୟମିତ ଖାଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବା ସହ ଆହୁରି ଅନେକ ପ୍ରକାରର ଫାଇଦା ମିଳେ।
ଦିନକୁ ଆମକୁ ୯୦ ମିଗ୍ରା ଭିଟାମିନ୍ ଆବଶ୍ୟକ ହୋଇଥାଏ, ଏହି ପରିମାଣର ଭିଟାମିନ୍ ‘ସି’ ଶରୀରକୁ ନ ମିଳିଲେ ଦାନ୍ତ ମାଢ଼ିରୁ ରକ୍ତ ସ୍ରାବ, ସ୍କର୍ଭି, କ୍ଷତ ଭଲ ନ ହେବା, ଏନିମିଆ ପରି ସ୍ୱାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ପ୍ରକାର ବାହ୍ୟ ସଂକ୍ରମଣର ଶିକାର ହେବାକୁ ପଡ଼େ। ତେବେ ପ୍ରଥମେ ଆସନ୍ତୁ କଥା ହେବା ଯେ ଭିଟାମିନ୍ ‘ସି’ ଆମ ଶରୀର ପାଇଁ କ’ଣ ସବୁ କାମ କରେ।
ଭିଟାମିନ୍ ‘ସି’ ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାମ ହେଲା ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଆପଣମାନେ ଜାଣିଥିବେ କି ଅତ୍ୟଧିକ ଜ୍ୱର କିମ୍ୱା କୋଭିଡ୍ ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିୟମିତ ଔଷଧ ସହିତ ଭିଟାମିନ୍ ‘ସି’ର ସପ୍ଲିମେଣ୍ଟ୍ ସଧ୍ୟ ଦିଆଯାଏ। ଏହା ସେମାନଙ୍କର ଦୁର୍ବଳ ହୋଇ ପଡ଼ିଥିବା ପ୍ରତିରୋଧକ ଶକ୍ତିକୁ ଠିକ୍ କରିବାକୁ ହିଁ ଦିଆଯାଇଥାଏ।
ଆପଣମାନେ ଜାଣି ଆଶ୍ଟର୍ଯ୍ୟ ହେବେ ଯେ ଆମ ଶରୀରରେ ନୂଆ ଚର୍ମ ତିଆରି ହେବାରେ ଭିଟାମିନ୍ ‘ସି’ ର ମୁଖ୍ୟ ଭୂମିକା ରହିଥାଏ। ଏହା ଆମ ବାହ୍ୟ ତ୍ୱତାର ଚମକ ଆଣିବାରେ ସାହାଯ୍ୟ କରେ। ଏଣୁ କୌଣସି ପ୍ରକାର କୃତ୍ରିମ କେମିକାଲ୍ଯୁକ୍ତ ମଏଶ୍ଚରାଇଜର୍ ପରିବର୍ତ୍ତେ ଯଦି ଆମେ ନିୟମିତ ଭିଟାମିନ୍ ‘ସି’କୁ ପ୍ରତ୍ୟକ୍ଷ ଭାବେ କମଳା ମାଧ୍ୟମରେ ନେବା ତେବେ ଆମ ଚର୍ମକୁ ସୁସ୍ଥ ରଖିବ। ଯେହେତୁ ଏହି ଭିଟାମିନ୍ ଶରୀରରୁ ରୋଗର କାରଣ ହେଉଥିବା ମୁକ୍ତ ରେଡିକଲ୍ଗୁଡ଼ିକୁ ନଷ୍ଟ କରିଦିଏ ତେଣୁ ଏହା ଦ୍ୱାରା ଆମର ରକ୍ତଚାପ ଓ କୋଲେଷ୍ଟରଲ୍ ମଧ୍ୟ ନିୟନ୍ତ୍ରଣରେ ରୁହେ।
ଏହା ଆମ ଶରୀରରେ ଖାଦ୍ୟରୁ ଆଇରନ୍ ବା ଲୌହ ଶୋଷଣ କରିଥାଏ ଯାହା ଦ୍ୱାରା ଆମ ହିମୋଗ୍ଲୋବିନ୍ର ପରିମାଣ ନିୟନ୍ତ୍ରଣରେ ରହେ। ଏହା କୋଲାଜେନ୍ ତିଆରିରେ ସାହାଯ୍ୟ କରୁଥିବାରୁ ଶରୀରର କ୍ଷତ ଜଲ୍ଦି ଭଲ କରିବାରେ ସହାୟ ହୁଏ। ନିୟମିତ ଭିଟାମିନ୍ ‘ସି’ ଖାଉଥିବା ବ୍ୟକ୍ତିଙ୍କର ମାନସିକ ଚାପଜନିତ ସମସ୍ୟା କମ୍ ଦେଖାଯାଏ। ଏକ ଅଧ୍ୟୟନରୁ ଜଣାଯାଇଛି ଯେ ନିୟମିତ ଏହି ଭିଟାମିନ୍ ସେବନ୍ ୧୦୦ ମିଲି ଗ୍ରାମକୁ ବଢ଼ାଇବା ଦ୍ୱାରା ଆମେ କ୍ୟାନ୍ସର୍ରୁ ଦୂରରେ ରହିବା।
ଏହା ସହିତ ଏବେ ଆମେ ଜାଣିବା ଏହି ଭିଟାମିନ୍ କେଉଁ ଖାଦ୍ୟରୁ ମିଳେ। ସାଧାରଣତଃ ଏକ ବଡ଼ ଆକାର କମଳାରେ ୫୩ ମି.ଗ୍ରା, ଗୋଟିଏ ଲେମ୍ୱୁରେ ୪୫ ମି.ଗ୍ରା, ୧୦୦ ଗ୍ରାମ୍ ଷ୍ଟ୍ରବେରୀରେ ୫୮ ମି.ଗ୍ରା, ୧୦୦ ଗ୍ରା. ପିଜୁଳିରେ ୨୨୮ ମି.ଗ୍ରା, ୧୦୦ ଗ୍ରା ଲିଚୁରେ ୭୨ ମି.ଗ୍ରା, ୧୦୦ ଗ୍ରାମ୍ ପାଚିଲା ଅମୃତଭଣ୍ଡାରେ ୬୩ ମି.ଗ୍ରା, ରହିଥାଏ। ଅଂଳା ରସରେ ସବୁଠାରୁ ଅଧିକ ପରିମାଣରେ ଭିଟାମିନ୍ ‘ସି’ ରହିଥାଏ ଯାହା କି ୧୦୦ ମି.ଲି. ପ୍ରତି ୪୭୮ ମି.ଗ୍ରା।
ଏସବୁ ଆମ ହାତ ପାହାନ୍ତାରେ ମିଳୁଥିବା କିଛି ଫଳ ଯାହା ଆମେ ନିୟମିତ ଖାଇପାରିବା। ଆମର ନିୟମିତ ସ୍ନାକ୍ସ ସମୟରେ ଖାଉଥିବା ଫାଷ୍ଟ୍ଫୁଡ୍ ବଦଳରେ ଆମେ ଏହି ଫଳସବୁ ଖାଇଲେ ଆମେ ନିଶ୍ଚୟ ଏହାର ସକରାତ୍ମକ ପ୍ରଭାବ ପାଇବା। ତେବେ ଭିଟାମିନ୍ ‘ସି’ ତାପ ପ୍ରତି ସଂବେଦନଶୀଳ ବା ସେନ୍ସିଟିଭ୍ ହୋଇଥିବାରୁ ଏହି ଫଳକୁ କଞ୍ଚା କିମ୍ୱା ଖୁବ୍ କମ୍ ତାପରେ ରାନ୍ଧି ଖାଇବା ଉଚିତ।
ଭିଟାମିନ୍ ‘ସି’ ଆମର ରୋଗ ପ୍ରତିରୋଧକ ବ୍ୟବସ୍ଥା, ସଂଯୋଜକ ଟିସୁର, ହୃତ୍ପିଣ୍ଡ ଓ ରକ୍ତବାହୀଗୁଡ଼ିକର ସ୍ୱାସ୍ଥ୍ୟ ଆଦି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତେଣୁ ନିୟମିତ ଆବଶ୍ୟକ ପରିମାଣର ଭିଟାମିନ୍ ‘ସି’ ନ ମିଳିବା ଦ୍ୱାରା ଶରୀରର ବିଭିନ୍ନ କ୍ରିୟାରେ ବାଧା ସୃଷ୍ଟି ହୋଇପାରେ।
ସାଧାରଣତଃ ଖଟା ଫଳଗୁଡ଼ିକ ଭିଟାମିନ୍ ‘ସି’ରେ ଭରପୂର ଥାଆନ୍ତି। ଏଠାରେ ପ୍ରଦତ୍ତ ସମସ୍ତ ଫଳ ନିୟମିତ ଖାଇବା ଦ୍ୱାରା ଆପଣଙ୍କର ଦୈନିକ ଭିଟାମିନ୍ ‘ସି’ ର ଆବଶ୍ୟକତା ପୂରଣ ହୋଇଯିବ। ତେବେ ଏହା ସହ ଖାଦ୍ୟରେ ସନ୍ତୁଳିତ ପରିମାଣର ସବୁଜ ପନିପରିବା ଓ ଶସ୍ୟ ଜାତୀୟ ଓ ଡାଲି ଜାତୀୟ ଦ୍ରବ୍ୟ ମଧ୍ୟ ମିଶେଇ ଖାଇବା ଆବଶ୍ୟକ। ତେବେ ଭିଟାମିନ୍ ‘ସି’ ଯୁକ୍ତ ଖାଦ୍ୟାଭ୍ୟାସ ହିଁ ଆମକୁ ଏକ ସୁସ୍ଥ ଓ ନିରାମୟ ଜୀବନ ଯାପନ ପାଇଁ ସହାୟ ହେବ।
from Latest Odisha News, Breaking News Today | Top Updates on Corona - OTV News https://ift.tt/xrJBhUX
No comments: