ଯୋଗ ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖେ। ସବୁ ବୟସର ଲୋକମାନେ ନିୟମିତ ଭାବରେ ଯୋଗାସନଜୁ ସେମାନଙ୍କ ଜୀବନଶୈଳୀରେ ସାମିଲ କରି ପାରିବେ। ଯୋଗର ନିୟମିତ ଅଭ୍ୟାସ ବିଭିନ୍ନ କ୍ରନିକ୍ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା କମାଇବା ଠାରୁ ଆରମ୍ଭ କରି ସାମଗ୍ରିକ ଫିଟ୍ନେସ୍ ପର୍ଯ୍ୟନ୍ତ ଅନେକ ଲାଭ ଦେଇଥାଏ।
ତେବେ ଯୋଗାସନରୁ ସର୍ବାଧିକ ଲାଭ ପାଇବା ପାଇଁ ସଠିକ୍ ଉପାୟରେ ଯୋଗ ଅଭ୍ୟାସ କରିବା ଅତ୍ୟନ୍ତ ଜରୁରୀ। ଏହା ବ୍ୟତୀତ, ଯୋଗ କରିବା ସମୟରେ ଏହା ସହ ଜଡିତ କେତେକ ସତର୍କତାର ଯତ୍ନ ନେବା ମଧ୍ୟ ଜରୁରୀ।
କେତେକ ପରିସ୍ଥିତିରେ, ଯୋଗ ଅଭ୍ୟାସ ଆପଣଙ୍କ ସମସ୍ୟାର ବିପଦକୁ ମଧ୍ୟ ବଢାଇପାରେ, ତେଣୁ ଯୋଗର ସଠିକ୍ ପଦ୍ଧତି ଏବଂ ସତର୍କତା ବିଷୟରେ ଲୋକଙ୍କ ପାଖରେ ସଠିକ୍ ସୂଚନା ରହିବା ଆବଶ୍ୟକ। ତେବେ ଆସନ୍ତୁ ଏହାକୁ ନେଇ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପରାମର୍ଶ ବିଷୟରେ ଜାଣିନେବା।
ଯୋଗର ଲାଭ:
ନିୟମିତ ଯୋଗାସନ ଅଭ୍ୟାସ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ଠିକ୍ ରଖେ। ଯୋଗ ଶରୀରର ଶକ୍ତି, ସନ୍ତୁଳନ ଏବଂ ନମନୀୟତାରେ ଉନ୍ନତ ଆଣିଥାଏ। ପିଠି କାନ୍ଧ ଯନ୍ତ୍ରଣାରୁ ମୁକ୍ତି କରିବାରେ ଏହା ସାହାଯ୍ୟ କରେ। ଏହା ଆଣ୍ଠୁଗଣ୍ଠି ବିନ୍ଧା ଲକ୍ଷଣକୁ ହ୍ରାସ କରିବା ସହିତ ସୁଖନିଦ୍ରା ଦେଇଥାଏ।
ଯୋଗ ସମୟରେ କ’ଣ କରିବେ:
- ଯୋଗ ଅଭ୍ୟାସ ପାଇଁ ପରିବେଶ, ଶରୀର ଏବଂ ମନର ପରିଷ୍କାରତା ଜରୁରୀ
- ଖାଲି ପେଟରେ ଆସନ ଅଭ୍ୟାସ କରାଯିବା ଉଚିତ। ଉଷୁମ ପାଣିରେ ଅଳ୍ପ ପରିମାଣର ମହୁ ପକେଇ ପିଇବା ଲାଭଦାୟକ।
- ମନକୁ ଶାନ୍ତ କରିବା ପାଇଁ ଯୋଗାସନ ସମୟରେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଆବଶ୍ୟକ।
- ଯୋଗ ଅଭ୍ୟାସ ବେଳେ ଶରୀର ଏବଂ ନିଶ୍ୱାସ ପ୍ରତି ସଚେତନ ରହିବା ଜରୁରୀ
- କୌଣସି ପ୍ରକାରର ଆଘାତକୁ ଏଡାଇବା ପାଇଁ ଯୋଗ ପୂର୍ବରୁ ବଡି ୱାର୍ମ ଅପ୍ ଏବଂ ପରେ ଷ୍ଟ୍ରେଚ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ
- ଯୋଗରୁ ସର୍ବାଧିକ ଲାଭ ପାଇବା ପାଇଁ ସାତ୍ତ୍ୱିକ ଆହାର ଖାଇବାକୁ ଚେଷ୍ଟା କରନ୍ତୁ
- ଯୋଗ ଅଭ୍ୟାସ ପୂର୍ବରୁ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ
ଯୋଗ କରିବା ବେଳେ ସାବଧାନତା:
- ଥକ୍କାପଣ ଓ ଅସୁସ୍ଥ ସମୟରେ ଅତି ଜୋର୍ରେ ଯୋଗ କରିବା ଅନୁଚିତ
- ମାସିକ ଧର୍ମ ସମୟରେ କଠିନ ଯୋଗାସନକୁ ଦୂରେଇ ରହିବା ଉଚିତ। ଏହି ସମୟରେ ବିଶ୍ରାମ କୌଶଳ ଓ ପ୍ରାଣାୟମ ପ୍ରତି ଧ୍ୟାନ ଦେବା ଉଚିତ
- ଭୋଜନ ପରେ ଯୋଗ କରିବ ଅନୁଚିତ
- ଯୋଗ କରିବାର ୩୦ମିନିଟ୍ ଭିତରେ ଗାଧାନ୍ତୁ ନି କି ପାଣି ପିଅନ୍ତୁ ନାହିଁ
- ସର୍ଜରୀ ବା କୌଣସି ଫ୍ୟାକ୍ଚର ହୋଇଥିଲେ ଯୋଗରୁ ଦୂରେଇ ରୁହନ୍ତୁ
- ପ୍ରତିକୁଳ ପାଣିପାଗ ଯଥା ଅଧିକ ଗରମ, ଅଧିକ ଥଣ୍ଡା ବା ଆର୍ଦ୍ର ପାଣିପାଗରେ ଅଭ୍ୟାସ ବେଳେ ସାବଧାନତା ଅବଲମ୍ବନ କରନ୍ତୁ
from Latest Odisha News, Breaking News Today | Top Updates on Corona - OTV News https://ift.tt/l2nIVaQ
No comments: