ସ୍ୱଗୃହକୁ ଫେରୁଛନ୍ତି ମହାବାହୁ: କମ୍ପୁଛି ବଡଦାଣ୍ଡ Pramod Behera

ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା। ୯ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ସାରି ସ୍ୱଗୃହକୁ ଫେରିବେ ମହାବାହୁ। ଯେବେ ଆଷାଢ଼ ଶୁକ୍ଳପକ୍ଷ ଦଶମୀ ଆସେ ସେବେ ମହାପ୍ରଭୁ ବଡ଼ ଦେଉଳକୁ ଫେରନ୍ତି। ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ। ଶ୍ରୀବିଗ୍ରହମାନଙ୍କର ଏହି ବାହୁଡାଯାତ୍ରାକୁ ଦକ୍ଷିଣାଭିମୁଖୀ ଯାତ୍ରା ମଧ୍ୟ କୁହାଯାଏ। ତେବେ ଆସନ୍ତୁ ମହାପ୍ରଭୁଙ୍କ ଏହି ଯାତ୍ରା ବିଷୟରେ ଜାଣିନେବା।

ରଥଯାତ୍ରା ଦିନଠାରୁ ଠାକୁରମାନେ ରଥରୁ ଓହ୍ଲାଇବା ଯାଏ ତିନି ରଥରେ ଧ୍ୱଜ ପୂଜା ହୁଏ। ବିଜେ କାହାଳୀ ବାଜେ ଓ ଠାକୁରମାନଙ୍କର ବାହୁଡା ପହଣ୍ଡି ଆରମ୍ଭ ହୋଇଯାଏ। ଶ୍ରୀବିଗ୍ରହମାନେ ଜଗମୋହନ ଦୁଆର ପାଖେ ପହଞ୍ଚିବା କ୍ଷଣି ରାଘବ ଦାସ ମଠ ପ୍ରଦତ୍ତ ଟାହିୟା ଶ୍ରୀମସ୍ତକରେ ଲାଗି କରାଯିବା ସହିତ ପ୍ରସାଦ ଲାଗି, ବନ୍ଦାପନା, କର୍ପୂର ଆଳତି, ସାତବତୀ, ସଞ୍ଜ କାହାଳି ଓ ଘସା, ବିଡ଼ିଆ ମଣୋହି ଆଦି ବିଧି ରହିଛି।

ପରେ ପରେ ଠାକୁରମାନେ ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଥାନ୍ତି। ସମସ୍ତ ବିଗ୍ରହ ପହଣ୍ଡି ବିଜେ ହୋଇ ରଥାରୂଢ଼ ହେବାପରେ ରୁନ୍ଧା କାର୍ଯ୍ୟ ବଢ଼ିଥାଏ। ଠାକୁରମାନେ ରଥାରୂଢ଼ ହେବା ପୂର୍ବରୁ ବିଶ୍ୱକର୍ମା ମହାରଣା, ଦରଜୀ ସେବକ, କୋଠ ସୁଆଁସିଆ ପ୍ରଭୃତି ସେବକ ତିନି ରଥର ଆବଶ୍ୟକୀୟ ମରାମତି କାର୍ଯ୍ୟ ପୂର୍ବଦିନରୁ କରି ଦେଇଥାନ୍ତି।

ବାହୁଡା ରଥ ଟଣା ହୋଇ ବଳଭଦ୍ରଙ୍କ ରଥ ବଡଶଙ୍ଖ ଯାଏ ଆସିବା ପରେ ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହୁଏ। ଏହାପରେ ଜଗନ୍ନାଥଙ୍କ ରଥ ଟଣା ହୋଇଥାଏ। ବାଟରେ ଠାକୁରଙ୍କ ପାଇଁ ପନ୍ତି ଭୋଗ ହୁଏ।

ବଡଠାକୁର ଓ ସୁଭଦ୍ରାଙ୍କ ରଥ ବଡଦେଉଳ ସିଂହଦ୍ୱାର ନିକଟରେ ପହଞ୍ଚିବା ପୂର୍ବରୁ ଅଳ୍ପ ଦୂର ମାଉସୀ ମା’ ମନ୍ଦିର ପାଖରେ ରୁହେ। ଏଠାରେ ଜଗନ୍ନାଥଙ୍କୁ ଛେନା ପୋଡପିଠା ଭୋଗ ଦିଆଯାଏ। ଏହାପରେ ରଥ ଟଣାହୁଏ।

ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଡଳଦେଉଳ ସିଂହଦ୍ୱାର ପାଖକୁ ଆସି ରାଜାଙ୍କ ନଅର ସାମ୍ନାରେ ରୁହେ। ଲକ୍ଷ୍ମୀ ସୁବେଶ ହୋଇ ପାଲିଙ୍କୀରେ ବିଜେ ହୋଇ ବଡ ଦେଉଳ ସ୍ନାନବେଦୀ ନିକଟସ୍ଥ ଚାହାଣୀ ମଣ୍ଡପରେ ପହଞ୍ଚନ୍ତି। ସେଠାରୁ ଜଗନ୍ନାଥଙ୍କ ରଥକୁ ଚାହାନ୍ତି।

ଏହା ପରେ ଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥ ରଥ ଚାରିପଟେ ବେଢାଏ ବୁଲନ୍ତି। ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଦଇତାମାନେ ଆଜ୍ଞାମାଳ ନିଅନ୍ତି। ଏହାପରେ ଲକ୍ଷ୍ମୀ ନିଜ ମନ୍ଦିରକୁ ଫେରିଯାଆନ୍ତି। ପରେ ଜଗନ୍ନାଥଙ୍କ ରଥ ମନ୍ଦିର ସିଂହଦ୍ୱାର ନିକଟକୁ ଆସେ। ବାହୁଡା ଶେଷ ଦିନ ଠାକୁରମାନେ ରଥରେ ରୁହନ୍ତି।

ମଧ୍ୟାହ୍ନ ଧୂପ ଠାରୁ ଶୁଖିଲା ଭୋଗ ଆରମ୍ଭ ହୁଏ। ପରଦିନ ମଧ୍ୟ ଠାକୁରମାନେ ରଥରେ ଥାଆନ୍ତି। ଏଠାରେ ଏକାଦଶୀ ନୀତି, ଅଧର ପଣା ଭୋଗ, ସୁନାବେଶ ହୁଏ। ଦ୍ୱାଦଶୀ ଦିନ ଠାକୁରମାନେ ରଥରୁ ସିଂହାସନକୁ ବିଜେ ହୁଅନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/PA15FEh
ସ୍ୱଗୃହକୁ ଫେରୁଛନ୍ତି ମହାବାହୁ: କମ୍ପୁଛି ବଡଦାଣ୍ଡ Pramod Behera ସ୍ୱଗୃହକୁ ଫେରୁଛନ୍ତି ମହାବାହୁ: କମ୍ପୁଛି ବଡଦାଣ୍ଡ Pramod Behera Reviewed by SUBHENDU BARAL on July 08, 2022 Rating: 5

No comments:

Powered by Blogger.