ଆଜି ମହାପ୍ରଭୁଙ୍କ ବାହୁଡାଯାତ୍ରୀ : ନବଦିନାତ୍ମକ ଯାତ୍ରା ସାରି ଫେରିବେ ଶ୍ରୀଜୀଉ; ଜନ୍ମବେଦୀରୁ ଫେରିବେ ନୀଳକନ୍ଦର Kanak News

କନକ ବ୍ୟୁରୋ : ବିଶ୍ବନିୟନ୍ତା ମହାବାହୁଙ୍କ ବାହୁଡ଼ାଯାତ୍ରା। ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡ଼ିବେ ମହାପ୍ରଭୁ । ଅଭିମାନିନୀ ମା’ ଲକ୍ଷ୍ମୀଙ୍କ କରିବେ ମାନଭଞ୍ଜନ । ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାତି ୮ଟା ୪୫ରେ ମହାପ୍ରଭୁଙ୍କ ପହୁଡ଼ ଆଳତି ପରେ ବାହୁଡ଼ା ପହଣ୍ଡି ପାଇଁ ରାତି ୮ଟା ୫୫ରେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଛି । ପରେ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଆରମ୍ଭ ହୋଇଛି। ତିନି ରଥରେ ବି ଚାରମାଳ ବନ୍ଧା ଶେଷ ହୋଇଛି ।
ସେପଟେ ବାହୁଡ଼ା ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଶନିବାର ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହେବ । ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ ପରେ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ । ତେବେ ନୀତି ସଅଳ ସରିଲେ ରଥଯାତ୍ରା ଭଳି ପହଣ୍ଡି ଓ ରଥଟଣା ବି ସଅଳ ଆରମ୍ଭ ହୋଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାହୁଡ଼ା ପହଣ୍ଡି ପାଇଁ ଶୁକ୍ରବାର ରାତିରେ କୋଠ ସୁଆଁସିଆମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଛନ୍ତି। ବିଳମ୍ବିତ ରାତିରେ ଆଡ଼ପମଣ୍ଡପରେ ଚାରବନ୍ଧା ନୀତି ଶେଷ ପୂର୍ବକ ବାହୁଡ଼ାଯାତ୍ରାର କ୍ଷେତ୍ର ପ୍ରସ୍ତୁତ ହୋଇଛି। ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହେବ। ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସମ୍ପନ୍ନ ହେବ ।
ସକାଳ ୭ଟାରେ ଦଇତାପତି ସେବକମାନେ ସେନାପଟା ଲାଗି ପାଇଁ ପ୍ରବେଶ କରିବେ । ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ରଥ ଉପରେ ଅପରାହ୍ଣ ୧ଟାରୁ ସାଢ଼େ ୨ଟା ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ । ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ । ଅପରାହ୍ଣ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ । ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ ।
The post ଆଜି ମହାପ୍ରଭୁଙ୍କ ବାହୁଡାଯାତ୍ରୀ : ନବଦିନାତ୍ମକ ଯାତ୍ରା ସାରି ଫେରିବେ ଶ୍ରୀଜୀଉ; ଜନ୍ମବେଦୀରୁ ଫେରିବେ ନୀଳକନ୍ଦର first appeared on Kanak News.
from Kanak News https://ift.tt/aFB5jbg https://ift.tt/67dbCLY
No comments: