ଉତ୍କଳୀୟ ସଂସ୍କୃତିର ଅନ୍ୟତମ ପରିଚୟ ହେଉଛି ଜଗନ୍ନାଥ ସଂସ୍କୃତି। ଏହି ସଂସ୍କୃତିର ପ୍ରାଣଧାର ହେଉଛନ୍ତି ସ୍ୱୟଂ ଶ୍ରୀଜଗନ୍ନାଥ। ପୁରୁଷୋତ୍ତମ ଧାମରେ ଅବସ୍ଥିତ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଭବ୍ୟ ଶ୍ରୀମନ୍ଦିର ବହୁ ଶତାବ୍ଦୀ ଧରି ଆମ ପ୍ରାଚୀନ ସାଂସ୍କୃତିକ ପରମ୍ପରାକୁ ମହିମାନ୍ୱିତ କରିଆସିଛି। ଠିକ ସେମିତି ଶ୍ରୀମନ୍ଦିର ଚାରିପଟେ ଥିବା ସାହିଗୁଡିକ ସହ ଶ୍ରୀଜଗନ୍ନାଥ ସଂସ୍କୃତି ମଧ୍ୟ ଓତପ୍ରୋତ ଭାବେ ଜଡ଼ିତ। ତେବେ ଆସନ୍ତୁ ଶ୍ରୀକ୍ଷେତ୍ରରେ ଥିବା ଜାଗା ଆଖଡ଼ା ଓ ସାହିଯାତ ସମ୍ପର୍କରେ ଜାଣିନେବା।
ଏଇଠି ଥାଏ ଗାଁ ଆଉ ଏଇଠି ପୁଣି ସହର। ଏହା ହିଁ ହେଉଛି ସାହି, ସଂସ୍କୃତି ଓ ସଭ୍ୟତାର ସୂତ୍ରଧର। ଏଠି ପ୍ରତି ଘରର କାନ୍ଥରେ ଥାଆନ୍ତି କଳାସାଅନ୍ତ। ପ୍ରତି ଗଳିକନ୍ଦିରେ ଜଳୁଥାଏ ସଳିତା ଦୀପ। କିଏ ପୁଣି ବୃଷଭ ପିଠିରେ ମଥା ପିଟି ହେଉଥାଏ ଦଣ୍ଡବତ। ଏଠି ସାହି ସାହିରେ ଥାଏ ଜାଗା ଆଖଡ଼ା ଘର। ଭେଣ୍ଡିଅ ମାରୁଥାନ୍ତି ଦଣ୍ଡବୈଠକ। ପୁଣି ସେପଟେ ଶିଳରେ ବଟା ଚାଲିଥାଏ ଭାଙ୍ଗ। ଇଏ ହେଉଛି ସେଇ କ୍ଷେତ୍ର ଯେଉଁଠି ଉଡୁଥାଏ ପତିତପାବନ ନେତ। ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀ ଜଗନ୍ନାଥଙ୍କୁ ନେଇ ଗଢା ହୋଇଛି ଏମିତି ଏ ସାହି।
ପୁରୀରେ ରହିଛି ଏମିତି ଅନେକ ସାହି। ତେବେ ସାତ ସାହି ତା’ ମଧ୍ୟରେ ପ୍ରମୁଖ। କାଳିକାଦେବୀ ସାହିଠୁ ନେଇ ହରଚଣ୍ଡୀ ସାହି, ମାର୍କଣ୍ଡେଶ୍ୱର ସାହି, କୁଣ୍ଢେଇବେଣ୍ଟ ସାହି, ଦୋଳମଣ୍ଡପ ସାହି, ବାଲି ସାହି ଓ ଗୌଡ଼ବାଡ଼ ସାହି ଏମିତି ପ୍ରତି ସାହିରେ ରହିଛି ଜାଗା ଘର ଓ ଆଖଡ଼ା ଘର। ଶ୍ରୀକ୍ଷେତ୍ରରେ ପାରମ୍ପରିକ ଭାବେ ୭ଟି ଆଖଡ଼ାକୁ ସ୍ୱୀକାର କରାଯାଏ। ତେବେ ଏଥିରେ ମାଟିମଣ୍ଡପ ସାହିକୁ ସାମିଲ୍ କରାଯାଇ ଏହି ସଂଖ୍ୟା ୮କୁ ବୃଦ୍ଧି ହୋଇଛି।
ଏହିସବୁ ସାହି ଆଖଡ଼ା ଅଧୀନରେ ରହିଛି ମୋଟ ୬୨ଟି ଜାଗା ଘର। ଜାଗାଘରେ ଦେଖିବାକୁ ମିଳେ ଭେଣ୍ଡିଆମାନଙ୍କ କୁସ୍ତିକସରତ। କିଏ ଦଣ୍ଡବୈଠକ ମାରେ ତ କିଏ ପୁଣି ମୁଦ୍ଗର ବୁଳାଏ। ସମସ୍ତେ ଲାଗିଥାନ୍ତି ଶରୀରଚର୍ଯ୍ୟାରେ। ସକାଳ ଓ ସଞ୍ଜରେ ସାହିର ଟୋକା ଟୋକାଳିଆ ଏକାଠି ହୋଇ ନିଜକୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ବ୍ୟାୟାମ କରିବାରେ ଲାଗିପଡନ୍ତି। ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରର ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବରେ ଜାଗା ଆଖଡ଼ାକୁ ସର୍ବୋଚ୍ଚ ସ୍ଥାନ ପ୍ରଦାନ କରାଯାଇଥାଏ।
ଜାଗାଗୁଡିକୁ ୪ ଭାଗରେ ବିଭକ୍ତ କରାଯାଇଥାଏ। ସେଗୁଡିକ ହେଲା ରାଜ ଅଙ୍ଗିଲା, ବକ୍ସି ଖଞ୍ଜା, ବଡ୍ତି ଓ ବହୁମାନ। ଯେଉଁ ଜାଗା ରାଜାଙ୍କର ପ୍ରତ୍ୟକ୍ଷ ଅର୍ଥଦାନରେ ପ୍ରତିଷ୍ଠିତ ହୋଇଥିଲା ତାକୁ ଅଙ୍ଗିଲା କୁହାଯାଏ। ସେହିପରି ବକ୍ସି ପରିଚ୍ଛାମାନଙ୍କ ଅଧିନାୟକତ୍ୱରେ ଗଠିତ ଜାଗାକୁ ବକ୍ସି ଖଞ୍ଜା, ବଳିଷ୍ଠ ସାଧୁ ବୈଷ୍ଣବଙ୍କ ଦ୍ୱାରା ଗଢା ଜାଗାକୁ ବଡ଼ତି ଓ ଯେଉଁ ଜାଗାଗୁଡ଼ିକ ବଦାନ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଗଢା ହୋଇଥିଲା ତାକୁ ବହୁମାନ କୁହାଯାଏ।
ଶରୀରଚର୍ଯ୍ୟା ଠାରୁ ଆରମ୍ଭ କରି ନୃତ୍ୟ-ସଙ୍ଗୀତ ସାଧନା, କଳା ଭାସ୍କର୍ଯ୍ୟ ପ୍ରତି ରୁଚି, ଶ୍ରୀକ୍ଷେତ୍ରର ସୁରକ୍ଷା ଦାୟିତ୍ୱ ଥିଲା ଜାଗା ଘର ଭେଣ୍ଡିଆମାନଙ୍କ ଉପରେ। ପୂର୍ବେ ଶ୍ରୀମନ୍ଦିର ଉପରେ ବାହ୍ୟଶତ୍ରୁ ଆକ୍ରମଣ ଆଶଙ୍କାରେ ରାଜାମାନେ ମନ୍ଦିର ଚାରିପଟେ ଥିବା ଏହି ସାହିଗୁଡିକରେ ଜାଗାଘର ପ୍ରତିଷ୍ଠା କରିଥିଲେ। ଜାଗାର ମୁଖ୍ୟ ନିୟନ୍ତ୍ରକ ଥିଲେ ସାହି ନାୟକ।
ତେବେ ସାଙ୍ଗ, ଭାଙ୍ଗ, ସଙ୍ଗୀତ ଓ ପଙ୍ଗତ- ଏ ହେଉଛି ଶ୍ରୀକ୍ଷେତ୍ରର ଜାଗା ଆଖଡ଼ା ସମ୍ପର୍କରେ ସର୍ବବାଦୀ ମତ। ଜାଗାର ସଦସ୍ୟମାନଙ୍କୁ ସାଙ୍ଗ ଏବଂ ପ୍ରମୁଖ ସାଙ୍ଗକୁ ବଡ଼ସାଙ୍ଗ କୁହାଯାଏ। ପ୍ରତ୍ୟକ ଜାଗା ଘରେ ଆରାଧ୍ୟ ଦେବତା ମୁଖ୍ୟତଃ ମହାବୀର ହନୁମାନ ଓ ନୃସିଂହ ଥାଆନ୍ତି। ତାଙ୍କୁ ସ୍ମରଣ କରି ଜାଗା ଘରର ଭେଣ୍ଡିଆମାନେ କୁସ୍ତି କସରତ କରନ୍ତି। ଜାଗା ଘରକୁ ମହିଳାମାନଙ୍କର ପ୍ରବେଶ ନିଷେଧ ରହିଥାଏ। ଜାଗାଘରେ ସବୁଠୁ ଆକର୍ଷଣ ଥାଏ ଭାଙ୍ଗ ବଟା।
from Latest Odisha News, Breaking News Today | Top Updates on Corona - OTV News https://ift.tt/WoFhX5n
No comments: