ଏଠି ସକାଳୁ ସଂଜ ଶୁଭେ କେବଳ ସେଇ ଗୋଟିଏ ଡାକ ହେ ଜଗନ୍ନାଥ...ଜୟ ଜଗନ୍ନାଥ...। ଏ ଡାକ ଭକ୍ତିଭାବର, ଏ ଡାକ ଶଖା ଭାବର, ଏ ଡାକ ବିଶ୍ୱାସର...। ଆଉ ଏଇ ବିଶ୍ୱାସର ନାଁ ହେଉଛି ଜଗନ୍ନାଥ। ଯେଉଁ ଭୂଇଁର ନାଁ ଶ୍ରୀକ୍ଷେତ୍ର, ଇଏ ସେଇ କ୍ଷେତ୍ର ଯାହା ସହ ଯୋଡି ହୋଇ ରହିଛି କୋଟି କୋଟି ଓଡିଆଙ୍କର ଭାବାବେଗ। ଆଶା ଓ ମନୋବାଞ୍ଛା ପୂର୍ତ୍ତିର କାମନା ନେଇ ଆଗକୁ ବଢୁଥିବା ଭିନ୍ନ ଭିନ୍ନ ପାଦ, ଭିନ୍ନ ଭିନ୍ନ ପଥରୁ ଆସି ଯେଉଁଠି ଏକାଠି ଯୋଡିହୋଇଯାଏ, ସେ ଜାଗା ଜଗାର।
ଏଠି ଜଗତର ସ୍ୱାମୀ ଜଗନ୍ନାଥ କେବଳ ମନ୍ଦିରରେ ନୁହଁ ବରଂ କୋଣ କୋଣରେ ବାସ କରନ୍ତି। ଏଠି ଭକ୍ତର ହୃଦୟ ସେ, ଉଠାଦୋକାନୀର ଜୀବିକାରେ ସିଏ, ମହୋଦଧୀର ଢେଉରେ ବି ସିଏ। ତାଙ୍କ କରୁଣାରୁ କାଣିଚାଏ ପାଇବା ପାଇଁ ବ୍ୟାକୁଳ ପ୍ରତିଟି ପ୍ରାଣ। ଏହି କରୁଣାର ଅନ୍ୟନାମ ହେଉଛି ମହାପ୍ରସାଦ।
ଜଗନ୍ନାଥ ପରମବ୍ରହ୍ମ ହେଲେ, ତାଙ୍କ ମହାପ୍ରସାଦ ସେଇ ଅମୃତ ଯାହାକୁ ପାଇବା ପାଇଁ ମଣିଷ କ’ଣ, ଦେବତାମାନେ ବି ଆତୁର। ସଂଜୀବନି ତୁଲ୍ୟ ସେ ମହାପ୍ରସାଦ, ଯାହାକୁ ପାଇବା ପାଇଁ ସମସ୍ତେ ଅଧୀର। ତାକୁ ଟିକେ ତୁଣ୍ଡରେ ପକାଇ ମୁଣ୍ଡରେ ହାତ ପୋଛିଦେଲେ ମିଳିଥାଏ ଜନ୍ମ ଜନ୍ମର ପାପରୁ ମୁକ୍ତି। ସେଇଥିପାଇଁ ତ ଭକ୍ତ ମନ ଗାଇଉଠେ, “ବୈକୁଣ୍ଠ ଯଦି ଯାଇ ନାହୁଁ ମନ ଶ୍ରୀକ୍ଷେତ୍ର ଥରେ ଯା... ଅମୃତ ଯଦି ଚାଖିନାହୁଁ ମନ କୈବଲ୍ୟ ଥରେ ଖା...”।
ଦୂର ଦୂରରେ ଥିବା ଭକ୍ତଙ୍କ ପାଇଁ ଏଇ ମହାପ୍ରସାଦର ଦର୍ଶନ ହିଁ କାଳିଆ ଦର୍ଶନ ସହ ସମାନ। ଇଏ ଏମିତି ଏକ ଭୋଗ ଯାହା ଥରେ ଭୋଗ ଭାବରେ ଲାଗିସାରିବା ପରେ ବି ପୁଣି ଥରେ ଲାଗି ହୋଇଥାଏ। କାରଣ ଏହା ହେଉଛି ମହାପ୍ରସାଦ। ଏକ ବିଶ୍ୱାସ। ସେଇଥିପାଇଁ ତ ସଂପର୍କ ଯୋଡିବାରୁ ନେଇ ଶୁଭ କାମ ଯାଏଁ, ସବୁଠି ଆଗରେ ଥାଏ ସେ। ଜଗନ୍ନାଥ ମାନବବାଦୀ ଓ ତାଙ୍କ ପ୍ରତିଟି ନୀତି କାନ୍ତୀରେ ପ୍ରତୀୟମାନ ହୁଏ ମାନବୀୟ ଳୀଳା। ଏ ଲୀଳାରୁ ବା ଭୋଗ ବାଦ୍ ଯାନ୍ତା କିପରି?
ମଣିଷ ତା’ ଦିନ ଚର୍ଯ୍ୟାରେ ଯେମିତି ଖାଦ୍ୟ ପାନୀୟ ଗ୍ରହଣ କରିଥାଏ, ମହାପ୍ରଭୁ ମଧ୍ୟ ଠିକ ସେମିତି ଭୋଜନ ଗ୍ରହଣ କରିଥାନ୍ତି। ଯେଉଁ ଭୋଗକୁ ଆହୁରି ସ୍ବାଦିଷ୍ଟ ଓ ସଂସ୍କୃତି ସଂପନ୍ନ କରିଥାଏ କାଳିଆର ସେ ଭୋଗ ଥାଳି, ଯେଉଁଥିରେ ପ୍ରତିଦିନ ପରଷାଯାଇଥାଏ ଭଳିକି ଭଳି ପିଠା ପଣାରୁ ନେଇ ଅନ୍ନ, ଡାଲି, ସାକର, ବେସର, କ୍ଷୀରି , ଖଟା, ପଖାଳ ଇତ୍ୟାଦି। ଏମିତିକି ଶ୍ରୀଜିଉଙ୍କୁ ପରସା ଯାଉଥିବା କେତେକ ପିଠା ପ୍ରାୟତଃ ଶ୍ରୀମନ୍ଦିର ଛଡା ଅନ୍ୟ କେଉଁଠି ଦେଖିବାକୁ ମିଳେନା।
ମହାପ୍ରଭୁଙ୍କ ଭୋଜନ ନୀତିକୁ ମଣୋହି କୁହାଯାଏ। କିନ୍ତୁ ଏ ମଣୋହି ରତ୍ନସିଂହାସରେ ବୀରାଜମାନ କରିଥିବା ମହାପୁରୁଙ୍କୁ ଭୋଗ ଲାଗି ସାରିବା ପରେ ହୋଇଯାଏ ଅମୃତ ମଣୋହୀ। ଯାହାକୁ ରାଜଭୋଗ ମଧ୍ୟ କୁହାଯାଇଥାଏ। ପୁନଶ୍ଚ ଏହି ଭୋଗ ମାତା ବିମଳାଙ୍କୁ ଅର୍ପଣ ହେବା ପରେ ଯାଇଁ ପାଲଟିଥାଏ ମହାପ୍ରସାଦ।
ପ୍ରତିଦିନ ଗୋପାଳବହ୍ଲଭ ନୀତିରୁ ଆରମ୍ଭ ହୁଏ ବଡ ଦେଉଳରେ ବଡ ଦିଅଁଙ୍କ ଭୋଗ ନୀତି। ଯାହା କ୍ରମେ ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ, ଓ ପରେ ବଡ ସିଂହାରରେ ଶେଷ ହୋଇଥାଏ।
from Latest Odisha News, Breaking News Today | Top Updates on Corona - OTV News https://ift.tt/AfzwpjL
Reviewed by SUBHENDU BARAL
on
June 29, 2022
Rating:
No comments: