ପ୍ରଫେଟଙ୍କ ବିରୋଧରେ ଟିପ୍ପଣୀ : ତେଜୁଛି ଭାରତ ବିରୋଧୀ ସ୍ୱର; ଭାରତୀୟ ସାମଗ୍ରୀ ଓ ଚଳଚିତ୍ର ବର୍ଜନ ପାଇଁ ସୋସିଆଲ ମିଡିଆରେ କ୍ୟାମ୍ପେନ Kanak News

କନକ ବ୍ୟୁରୋ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ କୁଟନୈତିକ ସ୍ତରରେ ଭାରତକୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡୁଛି । ବିଜେପିର ଦୁଇ ନେତାଙ୍କ ମନ୍ତବ୍ୟକୁ ନେଇ ଗଲ୍ଫ ଦେଶ କ୍ୱାତର, କ୍ୱଏତ୍, ବାହାରୀନ, ଇରାନ, ଜୋର୍ଦନ, ମାଳଦୀପ, ଇଜିପ୍ଟ ଏବଂ ଓମାନ କଡା ଟିପ୍ପଣୀ ଦେଇଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ସାଉଦି ଆରବ, ଇଣ୍ଡୋନେସିଆ ଏବଂ ୟୁଏଇ । ବିଶ୍ୱର ମୁସଲିମ ସମ୍ପ୍ରଦାୟର ନେତୃତ୍ୱ କରୁଥିବା ଇସଲାମିକ୍ କୋଅପରେସନ୍ ସଂଘ ତଥା ଓଆଇସି ବିଜେପିର ଏହି ଦୁଇ ନେତାଙ୍କ ବୟାକୁ ତୀବ୍ର ବିରୋଧ କରିଛି । ବିଭିନ୍ନ ଗଲଫ ଓ ମୁସଲିମ ବହୁଳ ଦେଶମାନେ ବୟାନ ବିରୋଧରେ ସ୍ୱର ଉତ୍ତୋଳନ କରିବା ସହ ଭାରତ ସରକାରଙ୍କଠୁ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି । ଭାରତୀୟ ସାମଗ୍ରୀ ଓ ଚଳଚିତ୍ର ବର୍ଜନ ପାଇଁ ମଧ୍ୟ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି ।
ନୂପୁରଙ୍କ ବୟାନକୁ ନେଇ ମିଳିତ ଜାତିସଂଘର ମାନାବାଧିକାର ସଂଗଠନକୁ ଓଆଇସି ଅଭିଯୋଗ କରିଛି । ଓଆଇସିର କହିଛି କି ଭାରତରେ ମୁସଲିମାନଙ୍କୁ ଟାର୍ଗେଟ କରାଯାଉଛି ଓ ମୁସଲିମମାନଙ୍କ ବିରୋଧରେ ହିଂସା ବୃଦ୍ଧି ପାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ କଟକଣା ଲଗାଯାଉଛି । ଭାରତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସେପଟେ ଓଆଇସିକୁ କଡା ଜବାବ ଦେଇଛି ଭାରତ । ଓଆଇସିର ଏଭଳି ବୟାନ ସଂକୀର୍ଣ୍ଣ ମନୋଭାବ ଓ ଛୋଟ ବିଚାରଧାରାକୁ ଦର୍ଶାଉଥିବା କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ସେପଟେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତିଜନ ଟିପ୍ପଣୀ ପାଇଁ ବିଜେପି ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସଠୁ ନେଇ ବିିଭିନ୍ନ ରାଜ୍ୟର ଆଂଚଳିକ ଦଳ ଘଟଣାକୁ ନେଇ ବିଜେପିଠୁ ଜବାବ ମାଗୁଛନ୍ତି । ଏପଟେ ନୁପୁର ଶର୍ମାଙ୍କ ନାଁରେ ମୁମ୍ବାଇ, ଦିଲ୍ଲୀ, ହାଇଦ୍ରାବାଦରେ ୩ଟି ମାମଲା ରୁଜୁ ହେବା ସହ ତାଙ୍କୁ ହତ୍ୟା ଏବଂ ଦୁଷ୍ମର୍ମ ଧମକ ଦିଆଯାଇଥିବା ସୂଚନା ରହିଛି ।
ଗୋଟିଏ ପଟେ ଭାରତ ସରକାର ଏହି ସ୍ଥିତିର ମୁକାବିଲା ପାଇଁ ତ୍ବରିତ କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ବେଳେ ଅନ୍ୟପକ୍ଷେ ପାକିସ୍ତାନ ଏବଂ ଓଆଇସି ପ୍ରଫେଟ୍ଙ୍କ ବିରୋଧରେ ଟିପ୍ପଣୀ ପାଇଁ ଭାରତର ନିନ୍ଦା କରିଥିବାରୁ ଭାରତ ଏହାର ତୀବ୍ର ବିରୋଧ କରିଛି । ପାକିସ୍ତାନ ଭାରତର ରାଷ୍ଟ୍ରଦୂତଙ୍କୁ ସମନ୍ କରିଥିବାରୁ ଭାରତ ପାକିସ୍ତାନ ଉପରେ ବର୍ଷିଛି । ଭାରତର ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ଲଗାତାର ଭାବେ ସଂଖ୍ୟାଲଘୁ ଅଧିକାର ଉଲ୍ଲଂଘନ କରୁଥିବା ରାଷ୍ଟ୍ର ଅନ୍ୟ ରାଷ୍ଟ୍ରରେ ସଂଖ୍ୟାଲଘୁଙ୍କ ପ୍ରତି ଦେଖାଯାଉଥିବା ବ୍ୟବହାର ସଂକ୍ରାନ୍ତରେ କିଛି ଟିପ୍ପଣୀ ରଖିବା ହାସ୍ୟାସ୍ପଦ । ପାକିସ୍ତାନ ଦ୍ବାରା ହିନ୍ଦୁ, ଶିଖ୍ , ଖ୍ରୀଷ୍ଟିଆନଙ୍କ ସମେତ ସଂଖ୍ୟାଲଖୁଙ୍କୁ ଯେଭଳି ବ୍ୟବସ୍ଥିତ ନିର୍ଯାତନା ଦିଆଯାଉଛି ତାହା ସାରା ବିଶ୍ବ ଦେଖୁଛି । ତେଣୁ ପାକିସ୍ତାନ ଭାରତରେ ସାମ୍ପ୍ରଦାୟିକ ଐକ୍ୟ ଭାବନା ନଷ୍ଟ ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ନିଜ ରାଷ୍ଟ୍ରର ସଂଖ୍ୟାଲଘୁ ସମ୍ପ୍ରଦାୟର ମଙ୍ଗଳ ଉପରେ ଗୁରୁତ୍ବ ଦେବା ଉଚିତ୍ ।
The post ପ୍ରଫେଟଙ୍କ ବିରୋଧରେ ଟିପ୍ପଣୀ : ତେଜୁଛି ଭାରତ ବିରୋଧୀ ସ୍ୱର; ଭାରତୀୟ ସାମଗ୍ରୀ ଓ ଚଳଚିତ୍ର ବର୍ଜନ ପାଇଁ ସୋସିଆଲ ମିଡିଆରେ କ୍ୟାମ୍ପେନ first appeared on Kanak News.
from Kanak News https://ift.tt/uT6JxQE https://ift.tt/1p3IYZW
No comments: