କାମ ଦେଲାନି ଟିମ୍ ଡେଭିଡଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇକୁ ୩ ରନରେ ହରାଇଲା ହାଇଦ୍ରାବାଦ, ବଦଳିଲା ପ୍ଲେ ଅଫ ସମୀକରଣ

ମୁମ୍ବାଇ: କାମ ଦେଲାନି ଟିମ୍ ଡେଭିଡଙ୍କ ବିସ୍ଫୋରକ ବ୍ୟାଟିଂ। ରୋମାଞ୍ଚକର ମୁକାବିଲାରେ ବାଜି ମାରିଲା ସନରାଇଜର୍ସ ହାଇଦ୍ରାବାଦ। ଆଇପିଏଲର ୬୫ତମ ମୁକାବିଲାରେ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ରନରେ ପରାସ୍ତ କରିଛି। ହାଇଦ୍ରାବାଦ ୧୩ମ ମୁକାବିଲାରେ ଷଷ୍ଠ ବିଜୟ ସହ ପ୍ଲେ ଅଫ ଆଶା ଉଜ୍ଜିବୀତ ରଖି ପାରିଛି। ପ୍ଲେ ଅଫର ସମୀକରଣ ବଦଳିଛି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ୧୦ମ ପରାଜୟ ଭୋଗିଛି। ଏବେ ତିନୋଟି ଦଳର ପଏଣ୍ଟ ସଂଖ୍ୟା ୧୨ରେ ରହିଛି। ହେଲେ ଖରାପ ନେଟ୍ ରନ ରେଟ୍ କାରଣରୁ ହାଇଦ୍ରାବାଦ ଅଷ୍ଟମ ସ୍ଥାନରେ ରହିଛି।

ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ  ୭ ଓ୍ଵିକେଟ୍ ହରାଇ ୧୯୦ ରନ କରି ପାରିଛି। ହାଇଦ୍ରାବାଦ ବିଜୟରେ ରାହୁଲ ତ୍ରିପାଠୀ, ଉମରାନ ମଲିକ ଏବଂ ଭୁବନେଶ୍ଵର କୁମାର ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଟି ନଟରାଜନଙ୍କ ୧୮ତମ ଓଭରରେ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରି ୪ ଛକା ସହ ୨୬ ରନ ସଂଗ୍ରହ କରିଥିଲେ। ହେଲେ ୧୯ମ ଓଭର ଭୁବନେଶ୍ଵର କୁମାର ମେଡେନ ନେଇ ଖେଳର ମୋଡ ହାଇଦ୍ରାବାଦ ଆଡକୁ ମୋଡିଥିଲେ।

ରାହୁଲ ତ୍ରିପାଠୀଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା। ହାଇଦ୍ରାବାଦ ପକ୍ଷରୁ ରାହୁଲ ତ୍ରିପାଠୀ ୪୪ ବଲରୁ ୭୬ ରନର ଇନିଂସ ଖେଳିଛନ୍ତି। ପ୍ରିୟମ ଗର୍ଗ ୨୬ ବଲରୁ ୪୨ ଏବଂ ନିକୋଲାସ ପୁରନ ୨୨ ବଲରୁ ୩୮ ରନର ଦ୍ରୁତ ଇନିଂସ ଖେଳିଥିଲେ। ଏକଦା ୧୭ ଓଭରରେ ୧୭୨ ରନ କରିଥିବା ହାଇଦ୍ରାବାଦ ଶେଷ ଆଡକୁ ବଡ ସଟ୍ ଖେଳିବାରେ ବିଫଳ  ହୋଇଥିଲା। ଫଳରେ ଦଳ ୨୦୦ ଛୁଇଁ ପାରିନଥିଲା। ମୁମ୍ବାଇ ପକ୍ଷରୁ ରମନଦୀପ ସିଂହ ୨୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଡାନିଏଲ ସାମ୍ସ ଓ ରିଲେ ମେରେଡିଥ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଓ୍ଵିକେଟ୍ ହରାଇ ୧୯୦ ରନ କରିପାରିଛି। ଅଧିନାୟକ ରୋହିତ ଶର୍ମା ୪୮ ରନ ଏବଂ ଇଶାନ କିଷନ ୪୩ ରନ କରି ପ୍ରଥମ ଓ୍ଵିକେଟରେ ୯୫ ରନ ଦଳର ବିଜୟ ମୂଳଦୁଆ ପକାଇଥିଲେ। ହେଲେ ଦୁଇ ବ୍ୟାଟସମ୍ୟାନଙ୍କ ଆଉଟ୍ ପରେ ମୁମ୍ବାଇ ଦିଗହରା ହୋଇ ପଡିଥିଲା। ମଧ୍ୟ କ୍ରମରେ ଦଳ ନିୟମିତ ଓ୍ଵିକେଟ୍ ହରାଇଥିଲା। ଶେଷ ଆଡକୁ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୮ ବଲରୁ ୩ ଚୌକା ଏବଂ ୪ ଛକା ସହ ୪୬ ରନ କରିଥିଲେ। ହେଲେ ସେ ରନ ଆଉଟ୍ ହେବା ମୁମ୍ବାଇକୁ ମହଙ୍ଗା ପଡିଥିଲା। ଶେଷରେ ସନରାଇଜର୍ସ  ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ୩ ଓ୍ଵିକେଟରେ ହରାଇବାରେ ସଫଳ ହୋଇଛି। ହାଇଦ୍ରାବାଦ ପକ୍ଷରୁ ଉମରାନ ମଲିକ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଭୁବନେଶ୍ଵର କୁମାର ଗୋଟିଏ ମେଡେନ ସହ ୨୬ ରନରେ ଗୋଟିଏ ଏବଂ ଫଜଲ ଫାରୁକି ୩୧ ରନ ଦେଇ ଗୋଟିଏ ସଫଳତା ପାଇଛନ୍ତି।



from Prameya News7 https://ift.tt/59yhLoV
କାମ ଦେଲାନି ଟିମ୍ ଡେଭିଡଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇକୁ ୩ ରନରେ ହରାଇଲା ହାଇଦ୍ରାବାଦ, ବଦଳିଲା ପ୍ଲେ ଅଫ ସମୀକରଣ କାମ ଦେଲାନି ଟିମ୍ ଡେଭିଡଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇକୁ ୩ ରନରେ ହରାଇଲା ହାଇଦ୍ରାବାଦ, ବଦଳିଲା ପ୍ଲେ ଅଫ ସମୀକରଣ Reviewed by SUBHENDU BARAL on May 17, 2022 Rating: 5

No comments:

Powered by Blogger.