ପୁଣେ: ଚଳିତ ଆଇପିଏଲରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଦମଦାର ପ୍ରଦର୍ଶନ ଜାରି ରହିଛି। ଶନିବାର ଖେଳାଯାଇଥିବା ମୁକାବିଲାରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଲକ୍ଷ୍ନୌ ବିଶାଳ ବିଜୟ ହାସଲ କରିଛି। ଦଳ କୋଲକାତା ନାଇଟ୍ ରାଇଡର୍ସକୁ ୭୫ ରନରେ ପରାସ୍ତ କରି ୧୧ଶ ମ୍ୟାଚରୁ ଅଷ୍ଟମ ବିଜୟ ହାସଲ କରିଛି। ଏହି ବିଜୟ ସହ ଲକ୍ଷ୍ନୌ ଗୁଜରାଟ ଟାଇଟନ୍ସକୁ ପଛରେ ପକାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ପ୍ରାୟତଃ ପ୍ଲେ ଅଫ ଦୌଡରୁ ବାଦ୍ ପଡିଛି। କୋଲକାତା ୧୧ଶ ମୁକାବିଲାରୁ ସପ୍ତମ ପରାଜୟ ଭୋଗିଛି। ଦଳ ଆଜି ଲକ୍ଷ୍ନୌ ହାତରୁ ଶୋଚନୀୟ ଭାବେ ପରାଜିତ ହୋଇଛି।
ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି କ୍ଵିଣ୍ଟନ ଡି କକଙ୍କ ୫୦ ରନ, ଦୀପକ ହୁଡ୍ଡା ଦ୍ରୁତ ୪୧ ରନ ଏବଂ ମାର୍କସ ଷ୍ଟୋଇନିସ ୨୮ ରନ ବଳରେ ୭ ଓ୍ଵିକେଟ୍ ହରାଇ ୧୭୬ ରନ କରିଥିଲା। ଜବାବରେ କୋଲକାତା ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୪.୩ ଓଭରରେ ୧୦୧ ରନରେ ଅଲଆଉଟ୍ ହୋଇଛି। ଆନ୍ଦ୍ରେ ରସେଲଙ୍କ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ ଲକ୍ଷ୍ନୌ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ। ରସେଲ ୧୯ ବଲରୁ ୪୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନଥିଲା। ସୁନିଲ ନାରିନ ୨୨ ରନ କରିଛନ୍ତି। ଅଭେଶ ଖାନ ୧୯ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ ଜାସନ ହୋଲଡର ୩୧ ରନ ଦେଇ ୩ଟି ସଫଳତା ପାଇଛନ୍ତି। ମୋହସିନ ଖାନ, ଦୁଷ୍ମନ୍ତା ଚମିରା ଏବଂ ରବି ବିଷ୍ଣୋଇ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
from Prameya News7 https://ift.tt/JyF5e9I

No comments: