ନୀଳଗିରି ୦୭/୦୫ : ଦିନ ଦ୍ୱିପ୍ରହରେ ଖୁଲମ୍ ଖୁଲା ଚାଲିଛି ବାଲି ଚୋରା ଚାଲାଣ। ପ୍ରଶାସନର ସବୁ ଦେଖିବି ଚୁପ୍ ରହିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଯିଏ ଏନେଇ ପ୍ରତିବାଦ କରୁଛି ତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରୁଛନ୍ତି। ଏପରି ଚିତ୍ର ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରୁ ସାମ୍ନାକୁ ଆସିଛି। ସେଠାରେ ସିଙ୍ଗିରି ଠାରୁ କାଠପାଳ ପୋଲ ଓ ସେଠାରୁ ନରସିଂହପୁର ରାସ୍ତାରେ ଏପରି ବେଆଇନ ବାଲି ଚାଲାଣ ହେଉଥିବା ଜଣାପଡ଼ିଛି। ଏହାକୁ ପ୍ରତିବାଦ କରିବାରୁ ନରସିଂହପୁର ଗାଁରେ ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରଣ କରାଯାଇଛି।
ଖବର ଅନୁସାରେ, ନରସିଂହରପୁର ଗାଁର ନବକିଶୋର ନାୟକଙ୍କ ଜାଗାଦେଇ କିଛି ବାଲି ମାଫିଆ ଟ୍ରାକ୍ଟରରେ ବାଲି ନେବା ଆଣିବା କରୁଥିବାରୁ ତାଙ୍କ ପରିବାର ଲୋକ ଏହାକୁ ବିରୋଧ କରିଥିଲେ। ସେଥିପାଇଁ ନବକିଶୋରଙ୍କ ପୁଅ ଶୁକ୍ରବାର ଦିନ ଦୁର୍ବୃତ୍ତମାନଙ୍କ ଆକ୍ରମଣ ଶୀକାର ହୋଇଥିଲେ । ଏନେଇ ସ୍ଥାନୀୟ ଅଯୋଧ୍ୟା ଫାଣ୍ଡିରେ ଅଭିଯୋଗ ପରେ ଆଜି ଘଟଣାକୁ ସମାଧାନ କରାଯାଇଥିଲା।
ଫଳରେ ବାଲି ମାଫିଆମାନେ ରାଗ ରଖି ଶନିବାର ଠେଙ୍ଗା ଓ ମାରଣାସ୍ତ୍ର ଧରି ଆତଙ୍କରାଜ ଆରମ୍ଭ କରିଥିଲେ । ସେହି ଗାଁର ବୀରକିଶୋର ଦାସ, ବସନ୍ତ ବଳିଆରସିଂ, ନନ୍ଦକିଶୋର ଦାସ, ପ୍ରକାଶ ମଲ୍ଲିକ, କୃଷ୍ଣଗୋପାଳ ପଣ୍ଡା, ଚିତ୍ତରଞ୍ଜନ ସିଂହ, ଅରୁଣ ନାୟକ ଓରଫ (ଜଗା), କୃଷ୍ଣଚନ୍ଦ୍ର ପଣ୍ଡା ମିଳିତ ଭାବେ ନବକିଶୋରଙ୍କ ପୁଅ ଓ ପୁତୁରାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ପରେ ତାଙ୍କ ଶଳା ଉମାକାନ୍ତଙ୍କୁ ମାଡ଼ ମାରିବା ସହ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଗୁରୁତର ଭାବେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।
ପରେ ସ୍ୱାସ୍ଥ୍ୟାବସ୍ତା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡିଛି। ଏନେଇ ଅଯୋଧ୍ୟା ଫାଣ୍ଡିରେ ଏକ ଅଭିଯୋଗ ହୋଇଥିବା ଜଣାପଡ଼ି। ବାଲି ଚୋରା ଚାଲାଣକୁ ନେଇ ବାରମ୍ବାର ଗାଁ ଲୋକମାନେ ନୀଳଗିରି ତହସିଲଦାର ଓ ପୋଲିସକୁ ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଏଭଳି ଅପରାଧିକ ଘଟଣା ଘଟିଥିବା ଅଭିଯୋଗ ହୋଇଛି।
from Prameya News7 https://ift.tt/mhHNMU1

No comments: