ଅମ୍ଵତି ରାୟୁଡୁଙ୍କ ଅର୍ଦ୍ଧଶତକ ବୃଥା, ୧୧ ରନରେ ଜିତିଲା ପଞ୍ଜାବ କିଙ୍ଗ୍ସ, ଚେନ୍ନାଇର ଷଷ୍ଠ ପରାଜୟ

ମୁମ୍ବାଇ: ଅମ୍ଵତି ରାୟୁଡୁଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ଵେ ଆଇପିଏଲର ୩୮ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗ୍ସ ରୋମାଞ୍ଚକର ମୁକାବିଲାରେ ପଞ୍ଜାବ କିଙ୍ଗ୍ସଠୁ ପରାଜିତ ହୋଇଛି। ପଞ୍ଜାବ କିଙ୍ଗ୍ସ ଚାରି ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୧ ରନରେ ପରାସ୍ତ କରି ଚଳିତ ଆଇପିଏଲର ଚତୁର୍ଥ ବିଜୟ ହାସଲ କରିଛି। ଅନ୍ୟପଟେ ଆଠଟି ମ୍ୟାଚରୁ ଷଷ୍ଠ ପରାଜୟ ସହ ଚେନ୍ନାଇର ପ୍ଲେ ଅଫ ଆଶା ମୁସ୍କିଲ ହୋଇ ପଡିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ଶିଖର ଧାଓ୍ଵନଙ୍କ ଅପରାଜିତ ୮୮ ରନ ଏବଂ ଭାନୁକ ରାଜପକ୍ଷେଙ୍କ ୪୨ ରନ ବଳରେ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୭ ରନ କରିଥିଲା। ଜବାବରେ ଚେନ୍ନାଇ ରବିନ ଉଥପ୍ପାଙ୍କ ୭୮ ରନ ସତ୍ତ୍ଵେ ୬ ଓ୍ଵିକେଟ୍ ହରାଇ ୧୭୬ ରନ କରିବାକୁ ସକ୍ଷମ ହୋଇଛି। ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ପଞ୍ଜାବ ମ୍ୟାଚ୍ ଜିତି ନେଇଛି। କାଗିସୋ ରାବଡା ଏବଂ ଋଷି ଧାଓ୍ଵନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

୧୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଚେନ୍ନାଇ ସୁପର କିଙ୍ଗ୍ସର ଆରମ୍ଭ ନିରାଶଜନକ ଥିଲା। ଦଳୀୟ ସ୍କୋର ୧୦ ରନରେ ରବିନ ଉଥପ୍ପା(୧) ଆଉଟ୍ ହୋଇଥିଲେ। ମିଚେଲ୍ ସାଣ୍ଟନର(୯) ପାଭିଲିୟନ ଫେରିଥିଲେ। ଶିବମ ଦୁବେ(୮) ନିରାଶ କରିଥିଲେ। ୪୦ ରନରେ ୩ ଓ୍ଵିକେଟ୍ ହରାଇ ଚାପରେ ଥିବା ଚେନ୍ନାଇର ଇନିଂସ ରବିନ ଉଥପ୍ପା ସମ୍ଭାଳିଥିଲେ। ସେ ଋତୁରାଜ ଗାଏକଓ୍ଵାଡଙ୍କ ସହ ମିଶି ୪୯ ରନ ଯୋଡିଥିଲେ। ଗାଏକଓ୍ଵାଡ ୨୭ ବଲରୁ ୩୦ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ରବିନ ଉଥପ୍ପା ଆଇପିଏଲରେ ୨୨ତମ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଦଳୀୟ ସ୍କୋର ୧୫୩ ରନରେ ରାୟୁଡୁ ଆଉଟ୍ ହେବା ଚେନ୍ନାଇକ ଧକ୍କା ଲାଗିଥିଲା। ସେ ୩୯ ବଲରୁ ୭ ଚୌକା ଏବଂ ୬ ଛକା ସହ ୭୮ ରନ କରିଥିଲେ। ଧୋନୀ ୧୨ ରନ କରି ଆଉଟ୍ ହେବା ପରେ ଚେନ୍ନାଇର ପରାଜୟ ନିଶ୍ଚିତ ହୋଇଯାଇଥିଲା। ଅଧିନାୟକ ଜାଡେଜା ୨୧ ରନରେ ଅପରାଜିତ ଥିଲେ ହେଁ ଦଳକୁ ଜିତାଇ ପାରିନଥିଲେ।

ପଞ୍ଜାବ କିଙ୍ଗ୍ସ ତରଫରୁ କାଗିସୋ ରାବଡା ୨୩ ରନ ଦେଇ ୨ଟି, ଋଷି ଧାଓ୍ଵନ ୩୯ ରନ ଦେଇ ୨ଟି ସଫଳତା ପାଇଛନ୍ତି। ସନ୍ଦୀପ ଶର୍ମା ଏବଂ ଅର୍ଶଦୀପ ସିଂହ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ବିଶେହ କରି ଶେଷ ଆଡକୁ ରାବଡା ଏବଂ ଅର୍ଶଦୀପ ବ୍ୟାଟରଙ୍କ ଉପରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଥିଲେ।

ପଞ୍ଜାବ କିଙ୍ଗ୍ସ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସର ଦୁଇ ଓପନର ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ଏବଂ ଶିଖର ଧାଓ୍ଵନ ୩୭ ରନ ଯୋଡିଥିଲେ। ମୟଙ୍କ ୧୮ ରନ କରି ବିଦାୟ ନେଇଥିଲେ। ଏହା ପରେ ଶିଖର ଧାଓ୍ଵନ ଏବଂ ଭାନୁକ ରାଜପକ୍ଷେ ଦ୍ରୁତ ବ୍ୟାଟିଂ କରିଥିଲେ। ଉଭୟ ଦ୍ଵିତୀୟ ଓ୍ଵିକେଟରେ ୧୧୦ ରନର ଶତକୀୟ ଭାଗିଦାରୀ ଯୋଡିଥିଲେ। ଭାନୁକ ୩୨ ବଲରୁ ୨ଟି ଲେଖାଏଁ ଚୌକା ଏବଂ ଛକା ବଳରେ ୪୨ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଲିୟାମ ଲିଭିଙ୍ଗଷ୍ଟୋନ ବିସ୍ଫୋରକ ବ୍ୟାଟିଂ କରି ୭ ବଲରୁ ୧୯ ରନ କରିଥିଲେ। ଶିଖର ଧାଓ୍ଵନ ଦମଦାର ଅର୍ଦ୍ଧଶତକ ହାସଲ କରିବା ସହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତାଙ୍କର ୮୮ ରନର ଅପରାଜିତ ଇନିଂସ  ବଳରେ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୭ ରନ କରି ପାରିଛି। ଜୋନି ବେୟାରଷ୍ଟୋ ୬ ରନରେ ଅପରାଜିତ ଥିଲେ।



from Prameya News7 https://ift.tt/9gTSuHP
ଅମ୍ଵତି ରାୟୁଡୁଙ୍କ ଅର୍ଦ୍ଧଶତକ ବୃଥା, ୧୧ ରନରେ ଜିତିଲା ପଞ୍ଜାବ କିଙ୍ଗ୍ସ, ଚେନ୍ନାଇର ଷଷ୍ଠ ପରାଜୟ ଅମ୍ଵତି ରାୟୁଡୁଙ୍କ ଅର୍ଦ୍ଧଶତକ ବୃଥା, ୧୧ ରନରେ ଜିତିଲା ପଞ୍ଜାବ କିଙ୍ଗ୍ସ, ଚେନ୍ନାଇର ଷଷ୍ଠ ପରାଜୟ Reviewed by SUBHENDU BARAL on April 25, 2022 Rating: 5

No comments:

Powered by Blogger.