ମୁମ୍ବାଇ: ରାଜସ୍ଥାନ ରୟାଲ୍ସର ବ୍ୟାଟସମ୍ୟାନ ଜୋସ୍ ବଟଲର ଆଇପିଏଲ ୨୦୨୨ରେ ନିଜର ଜଲଓ୍ଵା ଜାରି ରଖିଛନ୍ତି। ତେବେ ମୁମ୍ବାଇ ବିପକ୍ଷ ଆଇପିଏଲର ୪୪ତମ ମୁକାବିଲାରେ ବଟଲର ନିଜ ନାମରେ ଏକ ଅଲୋଡା ରେକର୍ଡ କରିଛନ୍ତି। ବଟଲର ଆଇପିଏଲର ୧୫ତମ ସଂସ୍କରଣରେ ପ୍ରଥମ ଖେଳାଳି ଭାବେ ୫୦୦ ରନ କରିଛନ୍ତି। ମାତ୍ର ଏହି ମ୍ୟାଚରେ ସେ ଆଇପିଏଲ ୨୦୨୨ର ସବୁଠୁ ଧିମା ଅର୍ଦ୍ଧଶତକ ହାସଲ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ତାଙ୍କୁ ରନ ପାଇଁ ସଂଘର୍ଷ କରିବାକୁ ପଡିଛି।
ଆଇପିଏଲ ୨୦୨୨ରେ ନିଜର ନବମ ମ୍ୟାଚରେ ଜୋସ୍ ବଟଲର ୫୨ ବଲରୁ ୫ ଚୌକା ଏବଂ ୪ ଛକା ସହ ୬୭ ରନର ଇନିଂସ ଖେଳିଛନ୍ତି। ତେବେ ସେ ୪୮ ବଲରୁ ହିଁ ଅର୍ଦ୍ଧଶତକ ପୂରଣ କରିଥିଲେ। ଆଇପିଏଲ ୨୦୨୨ରେ ଏତେ ଅଧିକ ବଲରେ କୌଣସି ବ୍ୟାଟସମ୍ୟାନ ଅର୍ଦ୍ଧଶତକ ହାସଲ କରିନଥିଲେ। ବଟଲରଙ୍କ ପୂର୍ବରୁ ଚଳିତ ସିଜିନରେ ସବୁଠୁ ଅଧିକ ବଲରେ ଅର୍ଦ୍ଧଶତକ ହାସଲ କରିବାର ଅଲୋଡା ରେକର୍ଡ ବିରାଟ କୋହଲିଙ୍କ ନାମରେ ଥିଲା। ସେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୪୫ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ।
ଜୋସ୍ ବଟଲର ଆଇପିଏଲ ୨୦୨୨ରେ ୯ଟି ମ୍ୟାଚରେ ୩ ଶତକ ଏବଂ ୩ ଅର୍ଦ୍ଧଶତକ ସହ ୫୬୬ ରନ କରିବା ସହ ଅରେଞ୍ଜ କ୍ୟାପର ଅଧିକାରୀ। ତେବେ ବଟଲରଙ୍କ ଏହି ଇନିଂସ ଦମରେ ରାଜସ୍ଥାନ ରୟାଲ୍ସ ୬ ଓ୍ଵିକେଟ୍ ହରାଇ ୧୫୮ ରନ କରିଛି। ସେ ଲଗାତାର ଦଳ ପାଇଁ ମ୍ୟାଚ୍ ବିଜୟୀ ଇନିଂସ ଖେଳି ଚାଲିଛନ୍ତି।
from Prameya News7 https://ift.tt/hjHOT0w
No comments: