ନୂଆଦିଲ୍ଲୀ, ୨୮/୦୪: କୁହାଯାଏ କଠିନ ପରିଶ୍ରମ ଦ୍ୱାରା ନିଜ ଭାଗ୍ୟ ନିଜେ ଗଢିପାରିବ। ଏପରି କିଛି କରି ଦେଖାଇଛନ୍ତି ମଧ୍ୟ ପ୍ରଦେଶର ୨୫ ବର୍ଷିୟ ବଂଶିତା । ନିଜର ପ୍ରଥମ ପ୍ରୟାସରେ ହିଁ ବଂଶିତା ସିଭିଲ ଜଜ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ରୋଚକ କଥା ହେଉଛି, ବଂଶିତାଙ୍କ ବାପା ମଧ୍ୟ ପ୍ରଦେଶର ନୀମଚ ଜିଲ୍ଲାରେ ଜଣେ ଜଜଙ୍କ ଗାଡି ଡ୍ରାଇଭର। ଏହାରି ଭିତରେ ବଂଶିତାଙ୍କ ସଫଳତା ପୂରା ପରିବାର ପାଇଁ ଗର୍ବର ବିଷୟ।
ନୀମଚ ଜିଲ୍ଲାରେ ଜଣେ ଜଜଙ୍କ କାର ଚଲାଉଥିବା ଅରବିନ୍ଦ କୁମାର ଗୁପ୍ତା ନିଜ ଝିଅର ସଫଳତାରେ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଅରବିନ୍ଦ ଗୁପ୍ତା କହିଛନ୍ତି, 'ମୁଁ ଆଜି ବେଶି ଖୁସି, ମୋ ଝିଅ ବଂଶିତା ନିଜର ପ୍ରଥମ ପ୍ରୟାସରେ ସିଭିଲ ଜଜ ପରୀକ୍ଷାରେ ସଫଳ ହୋଇଛି। ମୋ ଝିଅକୁ ନେଇ ଗର୍ବିତ। ଜଜଙ୍କ ଡ୍ରାଇଭର ଭାବେ ୨୦ ବର୍ଷ ଧରି କାମ କରିଥିବା ଅରବିନ୍ଦ କୁହନ୍ତି, ବଂଶିତା ଜୟପୁରର ଏକ ମହାବିଦ୍ୟାଳୟରୁ ଆଇନ ପାଠ ପଢିଥିଲେ। ଏହାପରେ ଇନ୍ଦୋରର ଏକ କୋଚିଂ ସଂସ୍ଥାରେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ'।
ଅନ୍ୟପଟେ ନିଜର ସଫଳତା ଉପରେ ବଂଶିତା କହିଛନ୍ତି, 'ମୋ ବାପାଙ୍କ ପେଶା ପ୍ରତି ମୋ ମନରେ ବେଶ ସମ୍ମାନ ରହିଛି। ସେ ସବୁବେଳେ ମୋର ଧୈର୍ଯ୍ୟ ବଢାଇଛନ୍ତି। ଦଶମ ଶ୍ରେଣୀରେ ପଢିବା ଯାଏଁ ପାଇଲଟ ହେବାକୁ ଇଚ୍ଛା ଥିଲା। କିନ୍ତୁ ଥରେ ବାପାଙ୍କ ସହ କୋର୍ଟ ଯିବା ପରେ ଏହା ବଦଳି ଯାଇଥିଲା ଏବଂ ବିଚାରପତି ହେବାକୁ ସ୍ଥିର କରିଥିଲି'। ଏହାପରେ ବଂଶିତା ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ପରିଶ୍ରମ କରିଥିଲେ। ଆଜି ସେ ନିଜ ସ୍ୱପ୍ନ ପୂରଣ କରିଛନ୍ତି।
from Prameya News7 https://ift.tt/dQ0KJvL
No comments: