ନୂଆଦିଲ୍ଲୀ ୧୯।୦୪: ସମଗ୍ର ଦୁନିଆରେ ଇଣ୍ଡିଆନ ପ୍ରିମିୟର(ଆଇପିଏଲ)ର ରୋମାଞ୍ଚ ଜାରି ରହିଛି। ଏଥର ଆଇପିଏଲରେ ୮ଟି ପରିବର୍ତ୍ତେ ୧୦ଟି ଦଳ ଅଂଶଗ୍ରହଣ କରିଛନ୍ତି। ପାଞ୍ଚ ଥରର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚାରି ଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସର ଅବସ୍ଥା ଶୋଚନୀୟ ରହିଛି। ଅନ୍ୟପଟେ ନୂତନ ଦଳ ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ପ୍ରଭାବଶାଳୀ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷରେ ଅଛନ୍ତି। ପ୍ରାୟ ସବୁ ନିଜ ନିଜର ଅଧା ମ୍ୟାଚ୍ ଖେଳି ସାରିଛନ୍ତି। ପ୍ରତ୍ୟେକ ଥର ପରି ଏହି ସିଜିନରେ ମଧ୍ୟ ନୂତନ ତାରକାଙ୍କ ଆବିର୍ଭାବ ଘଟୁଛି। ସେଥିରୁ ଉମରାନ ମଲିକଙ୍କ ପରି ଦ୍ରୁତ ବୋଲର ନିଜ ଗତିରେ ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇଛନ୍ତି। ଗତ କିଛି ବର୍ଷରେ ଅନେକ ଖେଳାଳିଙ୍କୁ ଆଇପିଏଲରେ ଦମଦାର ପ୍ରଦର୍ଶନ କାରଣରୁ ଭାରତୀୟ ଦଳରେ ସ୍ଥାନ ମିଳିଛି।
ଭାରତୀୟ ଦଳ ୨୦୧୩ ପରଠୁ କୌଣସି ଆଇସିସି ଟ୍ରଫି ଜିତି ପାରି ନାହିଁ। ଶେଷ ଥର ଭାରତୀୟ ଦଳ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ଵରେ ଇଂଲଣ୍ଡରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଟାଇଟଲ୍ ଜିତିଥିଲା। ଏହା ପରେ ଦିନିକିଆ ବିଶ୍ଵକପ୍ ୨୦୧୫, ୨୦୧୯, ତିନୋଟି ଟି-୨୦ ବିଶ୍ଵ କପ୍ ୨୦୧୪, ୨୦୧୬, ୨୦୨୧ ଏବଂ ଆଇସିସି ଟେଷ୍ଟ ଚାମ୍ପିଅନଶିପ ୨୦୨୧ରେ ଭାରତୀୟ ଦଳର ହାତ ଖାଲି ରହିଛି। ଏହା ବ୍ୟତୀତ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୧୭ରେ ମଧ୍ୟ ଭାରତ ଫାଇନାଲରେ ପାକିସ୍ତାନ ହାତରୁ ହାରିଥିଲା।
ଚଳିତ ବର୍ଷ ଶେଷ ଆଡକୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ଵ କପ୍ ଖେଳାଯିବ। ଏହା ପରେ ୨୦୨୩ରେ ଭାରତରେ ଦିନିକିଆ ବିଶ୍ଵ କପ୍ ଖେଳାଯିବ। ଏହାକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ଦଳର ଦାୟିତ୍ଵ ରୋହିତ ଶର୍ମାଙ୍କ ହାତରେ ଦେଇଛି। ରୋହିତ ନିଜର ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ଥର ଚାମ୍ପିଅନ କରାଇଛନ୍ତି। ଏବେ ଭାରତର ଦିଗଜ ଖେଳାଳି ରାହୁଲ ଦ୍ରାବିଡ ଦଳର କୋଚ୍ ଅଛନ୍ତି। ବିସିସିଆଇ ଏବଂ ପ୍ରଶଂସକଙ୍କ ଆଶା ରହିଛି ଯେ, ରୋହିତ-ରାହୁଲଙ୍କ ଯୋଡି ଭାରତ ପାଇଁ ଆଇସିସି ଟାଇଟଲର ମରୁଡି ଶେଷ କରିବେ। ଆସନ୍ତୁ ଜାଣିବା ଆଇପିଏଲରେ ଏ ପର୍ଯ୍ୟନ୍ତ ପ୍ରଦର୍ଶନ ଆଧାରରେ କେଉଁ ଖେଳାଳି ଭାରତୀୟ ଦଳରେ ଦାବିଦାର ହୋଇଛନ୍ତି।
ଟି-୨୦ ବିଶ୍ଵ କପ୍ ଏବଂ ଦିନିକିଆ ବିଶ୍ଵ କପ୍ ପାଇଁ ସମ୍ଭାବିତ ୨୩ ଜଣିଆ ଭାରତୀୟ ଦଳ
ବ୍ୟାଟସମ୍ୟାନ- ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶୁଭମାନ ଗିଲ।
ଓ୍ଵିକେଟ୍ କିପର- ଦିନେଶ କାର୍ତ୍ତିକ, ଋଷଭ ପନ୍ତ, ଇଶାନ କିଷନ।
ଅଲରାଉଣ୍ଡର୍ସ- ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶିବମ ଦୁବେ, ଅଭିଷେକ ଶର୍ମା, ଦୀପକ ହୁଡ୍ଡା।
ସ୍ପିନର୍ସ- ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ।
ଦ୍ରୁତ ବୋଲର- ଯଶପ୍ରୀତ ବୁମରା, ମହମ୍ମଦ ଶାମି, ଉମେଶ ଯାଦବ, ଟି ନଟରାଜନ, ଉମରାନ ମଲିକ, ଭୁବନେଶ୍ଵର କୁମାର, ଅଭେଶ ଖାନ।
from Prameya News7 https://ift.tt/qlFM7pG

No comments: