ବିଦ୍ୟାଭାରତୀଙ୍କ ବିରୋଧରେ ଫାଇଲ ହେଲା ଚାର୍ଜସିଟ : ଅବହେଳା ପାଇଁ ହୋଇଥିଲା ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ Kanak News

କନକ ବ୍ୟୁରୋ : ଏଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଦାଖଲ ହୋଇଛି ଚାର୍ଜସିଟ । ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ବେଳେ ସେଠାରେ ଉପସ୍ଥିତ ଥିବା ପତ୍ନୀ ବିଦ୍ୟାଭାରତୀ ତାଙ୍କୁ ବଞ୍ଚାଇବାକୁ ଉଚିତ ପଦକ୍ଷେପ ନେଇନଥିବା ତଦନ୍ତରୁ ଜଣାପଡିଥିବା କହିଥିଲେ କ୍ରାଇମବ୍ରାଞ୍ଚ ଏଡିଜି । ସଂଜୀବ ପଣ୍ଡା କହିଥିଲେ, ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା ତେବେ ତାଙ୍କୁ ବଞ୍ଚାଇବା ଦିଗରେ ପତ୍ନୀ ବିଦ୍ୟାଭାରତୀଙ୍କ ଅବହେଳା ସାମ୍ନାକୁ ଆସିଥିଲା । ଏଥିପାଇଁ ତାଙ୍କ ବିରୋଧରେ ଧାରା ୩୦୪-ଏ, ଅର୍ଥାତ ଅବହେଳା ଯୋଗୁଁ ମୃତ୍ୟୁ ଏବଂ ଧାରା ୨୮୫, ଅର୍ଥାତ ନିଆଁ ଲାଗିଥିବା ବେଳେ ଅବହେଳା ପ୍ରଦର୍ଶନ ଚାର୍ଜସିଟ ଦାଖଲ କରାଯାଇଛି ।
ଏସବୁ ଦଫାରେ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ରହିଛି । ଅନ୍ୟପଟେ ଏହି ଘଟଣାରେ ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ୍ ଚିଟ୍ ଦେଇଛି କ୍ରାଇମବ୍ରାଞ୍ଚ । ଏଡିଜି ସ୍ପଷ୍ଟ କରିଛନ୍ତି ଯେ ସାକ୍ଷୀମାନଙ୍କ ବୟାନ, ଟେଲିଫୋନର ସିଡିଆର୍ ଆନାଲିସିସ୍, ସୌମ୍ୟରଞ୍ଜନଙ୍କ ଡାଏରୀ, ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ, ଡିଏଫଓ ସଂଗ୍ରାମ ଓ ବିଦ୍ୟାଭାରତୀଙ୍କ ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡିଏଫଓଙ୍କର ବିଦ୍ୟାଭାରତୀଙ୍କ ସହିତ ଅନୈତିକ ସମ୍ପର୍କର କୌଣସି ପ୍ରମାଣ ମିଳିନାହିଁ । ସୌମ୍ୟରଞ୍ଜନଙ୍କ ପୋଡ଼ି ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ପ୍ରମାଣ ମିଳିନାହିଁ । ସେହିଭଳି ସୌମ୍ୟରଞ୍ଜନଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କ କ୍ଷେତ୍ରରେ ସାକ୍ଷୀଙ୍କ ବୟାନ, ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରୁ ତାଙ୍କର ବି ହତ୍ୟାକାଣ୍ଡ ସହିତ କୌଣସି ସମ୍ପର୍କ ଥିବା ପ୍ରମାଣ ମିଳିନାହିଁ ।
The post ବିଦ୍ୟାଭାରତୀଙ୍କ ବିରୋଧରେ ଫାଇଲ ହେଲା ଚାର୍ଜସିଟ : ଅବହେଳା ପାଇଁ ହୋଇଥିଲା ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ first appeared on Kanak News.
from Kanak News https://ift.tt/3lpjQFX https://ift.tt/3ajS4o3
No comments: