ହାଇସ୍କୁଲ ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ, ଠିକାଦାର-ଅଧିକାରୀ ମାଲାମାଲ୍, ଲଗାଯାଉଛି ପୁରୁଣା ସାମଗ୍ରୀ
ଦେବଗଡ ୦୫।୧୦: ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋ ସ୍କୁଲ ଯୋଜନାରେ ହାଇସ୍କୁଲ ଗୁଡିକରେ ଉନ୍ନତିକରଣ କାର୍ଯ୍ୟ ଚାଲିଛି । ଦେବଗଡ ଜିଲ୍ଲାରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୦ଟି ସ୍କୁଲର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି। ମାତ୍ର ଏହି ହାଇସ୍କୁଲ ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ସମସ୍ତ ସରକାରୀ ନୀତି ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଂଘନ କରି ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି।
ରାଜ୍ୟର ସମସ୍ତ ସରକାରୀ ହାଇସ୍କୁଲ ରେ ସ୍ମାର୍ଟ କ୍ଲାସ୍ ରୁମ ରହିବ। ସରକାରୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ସମାନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏଭଳି ଲକ୍ଷ୍ୟ ନେଇ ରାଜ୍ୟ ସରକାର 'ମୋ ସ୍କୁଲ' ଅଭିଯାନ ଅନ୍ତର୍ଗତ ହାଇସ୍କୁଲ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ଦେବଗଡ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୪୦ ଟି ସ୍କୁଲକୁ ଏହି ଯୋଜନାରେ ସାମିଲ କରାଯାଇଛି । ବିଭିନ୍ନ ହାଇସ୍କୁଲ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ଏଥିରେ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ଏହି ଯୋଜନାରେ ସ୍କୁଲର କ୍ଲାସ୍ ରୁମରେ ଟାଇଲ ଲଗାଇବା କାର୍ଯ୍ୟ ରହିଛି । ମାତ୍ର ଟେଣ୍ଡର ଅନୁଯାୟୀ ଭେଟ୍ରିଫାଇଡ ଟାଇଲ ଲଗାନଯାଇ ସେରାମିକ ଟାଇଲ ଲଗାଯାଉଥିବା ଅଭିଯୋଗ ହୋଇଛି। ଏକ ନିର୍ଦ୍ଧିଷ୍ଟ କମ୍ପାନୀର ଟାଇଲ୍ ଲଗାଇବା ପାଇଁ ଅଲିଖିତ ନିର୍ଦ୍ଦେଶନାମା ଜାରି କରାଯାଇଛି ଓ ଏଥିରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି ।
ଉନ୍ନତିକରଣ କରାଯାଉଥିବା ସ୍କୁଲର ପୁରୁଣା ସାମଗ୍ରୀକୁ ପୁଣି ଥରେ ଲଗାଯାଉଥିବା ଦେଖିବାକୁ ମିଳିଛି। ସେହିଭଳି ନିର୍ମାଣ କାର୍ଯ୍ୟ ଓ ରଙ୍ଗ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜିଲ୍ଲାର ତିନି ବ୍ଲକ ଓ ପୌରାଞ୍ଚଳରେ ଏହି ହାଇସ୍କୁଲ ଉନ୍ନତିକରଣ କାର୍ଯ୍ୟ ଚାଲିଥିବା ବେଳେ ଏଥିପାଇଁ କିଛି କାର୍ଯ୍ୟ ଟେଣ୍ଡର ହୋଇଥିବା ବେଳେ ଆଉ କିଛି ଡିପାର୍ଟମେଣ୍ଟାଲ ହେଉଛି। ଠିକାଦାର ଠାରୁ ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଏହି ଦୁର୍ନୀତିରେ ସାମିଲ ଥିବାବେଳେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି।
ସରକାର ସ୍ବଚ୍ଛ ଓ ଦୂର୍ନୀତିମୁକ୍ତ କାର୍ଯ୍ୟ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ମାତ୍ର ଆଇନର ଗଳାବାଟ ଦେଇ ଦୁର୍ନୀତିଖୋର ଅଧିକାରୀମାନେ ନିଜ ଧନ୍ଦା ଜାରି ରଖିଛନ୍ତି । ଦେବଗଡ ଜିଲ୍ଲାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ଚାଲିଥିବା ହାଇସ୍କୁଲ ଉନ୍ନତିକରଣ କାର୍ଯ୍ୟର ଆମୂଳଚୁଳ ତଦନ୍ତ ହେଲେ ଏହି ଦୁର୍ନୀତିଖୋର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ମୁଖା ଖୋଲିଯାଆନ୍ତା।
from Prameya News7 https://ift.tt/2Yle3YI
No comments: