ବିଶ୍ୱବଜାରରେ ମିଳୁନି ସେମିକଣ୍ଡକ୍ଟର, ଉତ୍ସବ ଋତୁରେ ଫିକା ପଡିବ ମୋବାଇଲ, ବାହନ ଓ ଇଲେକ୍ଟ୍ରୋନିକ ସାମଗ୍ରୀ କ୍ରେତାଙ୍କ ଉତ୍ସାହ

ନୂଆଦିଲ୍ଲୀ ୬।୧୦: କୋଭିଡ-୧୯ ମହାମାରୀ ସାରା ବିଶ୍ୱରେ ସ୍ଥାଣୁତା ଆଣି ଦେଇଛି। ଯାହାର ପ୍ରଭାବ ଏବେ ବାଣିଜ୍ୟ ବ୍ୟବସାୟ ଉପରେ ମଧ୍ୟ ପଡିବାକୁ ଲାଗିଲାଣି। କରୋନା କଟକଣା ଓ ଲକଡାଉନ କାରଣରୁ ସାରା ବିଶ୍ୱରେ ଏବେ ସେମିକଣ୍ଡକ୍ଟରର ଅଭାବ ଦେଖା ଦେଇଛି। ଫଳରେ ଭାରତରେ ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ ସମେତ ମୋବାଇଲ ଓ ବାହନ ଉଦ୍ୟୋଗରେ ସ୍ଥାଣୁତା ଦେଖା ଦେଇଛି।

ସେମିକଣ୍ଡକ୍ଟର ମିଳୁନଥିବାରୁ ନୂଆ ବାହାନ ବିକ୍ରି ହୋଇ ପାରୁନଥିବା ବେଳେ ଆଗକୁ ଆସୁଥିବା ଉତ୍ସବ ଋତୁରେ ଟେଲିଭିଜନ ଓ ମୋବାଇଲ ବି କିଣିବାକୁ ମିଳି ନପାରେ ବୋଲିକୁହାଯାଉଛି।  ସେମିକଣ୍ଡକ୍ଟର ଚିପ୍‌ ଆସୁନଥିବାବେଳେ ଉପଲବ୍ଧ ସାମଗ୍ରୀ ଉଚ୍ଚଦରରେ ବିକ୍ରି ହେଉଛି। ଫଳରେ ଗ୍ରାହକଙ୍କୁ ଉତ୍ସବର ରିହାତି ଦେବା ଏବେ କମ୍ପାନୀଙ୍କ ଲାଗି ସମ୍ଭବ ହେଉ ନାହିଁ।

ସାଧାରଣତଃ ଲୋକେ ନୂଆ କିଣାକିଣି ଲାଗି ଉତ୍ସବ ଋତୁକୁ ଅପେକ୍ଷା କରି ରହିଥାନ୍ତି। ଉତ୍ସବ ଅବସରରେ ଘରକୁ ନୂଆ ଜିନିଷଟେ ଆଣିବା ସହ ମୋଟା ରକମର ଡିସ୍କାଉଣ୍ଟ ମଧ୍ୟ ମିଳିଥାଏ। ତେବେ ଏଥର କରୋନା ଯୋଗୁ ଏହା ହୁଏତ ଆଉ ସମ୍ଭବ ହୋଇନପାରେ। ସେମିକଣ୍ଡକ୍ଟର ଚିପ୍‌ ମିଳୁ ନାହିଁ । ଏଣୁ ମାରୁତି ସୁଜୁକି ଇଣ୍ଡିଆଙ୍କ ବୁକିଂ ବଢିବଢି ଚାଲିଥିଲେ ହେଁ ଯୋଗାଣ ସେହି ଅନୁସାରେ ଦେଇ ପାରୁନାହାନ୍ତି।

ମାରୁତି ସୁଜୁକି ଇଣ୍ଡିଆଙ୍କ ବରିଷ୍ଠ କାର୍ଯ୍ୟକାରୀ ନିର୍ଦ୍ଦେଶକ (ବିପଣନ ଓ ବିକ୍ରି) ଶଶାଙ୍କ ଶ୍ରୀବାସ୍ତବ କୁହନ୍ତି ସେମିକଣ୍ଡକ୍ଟର ମିଳୁନଥିବାରୁ ବାହାନ ବୁକିଂ ଲଗାତାର ବଢିବଢି ଚାଲିଛି, ହେଲେ ବିକ୍ରି ନାହିଁ। ବର୍ତ୍ତମାନ ମାରୁତି ସୁଜୁକିଙ୍କ ନିକଟରେ ୨.୧୫ ଲକ୍ଷରୁ ୨.୨୦ଲକ୍ଷ ୟୁନିଟ୍‌ ବିକ୍ରି ଲାଗି ବୁକିଂ ରହିଛି। ତେବେ ଏହା କେବଳ ଏବେର ସମସ୍ୟା ନୁହେଁ ଗତ ସେପ୍ଟେମ୍ବର ମାସରୁ ଦେଶରେ ସେମି କଣ୍ଡକ୍ଟର ଚିପ୍‌ର ଅଭାବ ଦେଖା ଦେଇଛି ବୋଲି କହିଛନ୍ତି।

ସେମିକଣ୍ଡକ୍ଟର ଚିପ୍‌ ଯୋଗୁ ଇଞ୍ଜିନ ଇଲେକ୍ଟ୍ରୋନିକ କଣ୍ଟ୍ରୋଲ ୟୁନିଟ, କି-ଲେସ୍ ଏଣ୍ଟ୍ରି, ଏବିଏସ୍ ସିଷ୍ଟମ ଓ ଇଂଫୋଟେନମେଣ୍ଟ ସିଷ୍ଟମ ନିର୍ମାଣ ଓ ଯୋଗାଣ ପ୍ରଭାବିତ ହୋଇଛି। ତେବେ କେବଳ ବାହନ ଉଦ୍ୟୋଗ ନୁହେଁ ସେମିକଣ୍ଡକ୍ଟର ଯୋଗୁ ଉପଭୋକ୍ତା ଇଲେକ୍ଟ୍ରୋନିକ ବଜାର ମଧ୍ୟ ସ୍ଥାଣୁ ହୋଇ ଯାଇଛି। ଏଣୁ ପୂଜାରେ ଯେଉଁମାନେ ଡିସ୍କାଉଣ୍ଟରେ ଟିଭି, ଘରୋଇ ବିଦ୍ୟୁତ ଉପକରଣ, ମୋବାଇଲ ଫୋନ ଆଦି କ୍ରୟ ଲାଗି ଯୋଜନା କରିଥିଲେ ଏବେ ସେମାନଙ୍କ ଉତ୍ସାହ ପାଣି କରିବାକୁ ଯାଉଛି ସାମାନ୍ୟ ଚିପ୍‌।

ତେବେ ବର୍ଷର ଏ ପର୍ଯ୍ୟନ୍ତ ଉଦ୍ୟୋଗ ଜଗତ ଉପରେ ସେମିକଣ୍ଡକ୍ଟରର ଅଭାବ ସେମିତି ପଡିନଥିବା ସିଏମା ଅଧ୍ୟକ୍ଷ କହିଛନ୍ତି। ହେଲେ ଉତ୍ସବ ଋତୁ ପରେ ପରିସ୍ଥିତି କଣ ହେବ ସେ ନେଇ କୌଣସି ଗ୍ୟାରେଣ୍ଟି ଦିଆଯାଇ ନପାରେ ବୋଲି କହିଛନ୍ତି। ହେଲେ ମାନୁଫେକ୍ଚରିଂ ଓ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବନି ତାହା କୁହାଯାଇ ନପାରେ ବୋଲି କହିଛନ୍ତି।



from Prameya News7 https://ift.tt/3BjNVfE
ବିଶ୍ୱବଜାରରେ ମିଳୁନି ସେମିକଣ୍ଡକ୍ଟର, ଉତ୍ସବ ଋତୁରେ ଫିକା ପଡିବ ମୋବାଇଲ, ବାହନ ଓ ଇଲେକ୍ଟ୍ରୋନିକ ସାମଗ୍ରୀ କ୍ରେତାଙ୍କ ଉତ୍ସାହ ବିଶ୍ୱବଜାରରେ ମିଳୁନି ସେମିକଣ୍ଡକ୍ଟର, ଉତ୍ସବ ଋତୁରେ ଫିକା ପଡିବ ମୋବାଇଲ, ବାହନ ଓ ଇଲେକ୍ଟ୍ରୋନିକ ସାମଗ୍ରୀ କ୍ରେତାଙ୍କ ଉତ୍ସାହ Reviewed by SUBHENDU BARAL on October 06, 2021 Rating: 5

No comments:

Powered by Blogger.