୫୯୦ ‍‍‍‍‍‍‍ବର୍ଷ ଧରି ଏଠି ପାଳିତ ହେଉଛି ରଥଯାତ୍ରା Minati Mishra

ସୁରତ : ବିଶ୍ୱ ପ୍ରସିଦ୍ଧ କାଳିଆର ରଥଯାତ୍ରା। କର୍ମବେଦି ଶ୍ରୀମନ୍ଦିରରୁ ବାହାରି ତିନି ଠାକୁର ଯିବେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ । ୯ ଦିନର ଲୀଳାଖେଳା ସରିବା ପରେ ଫେରନ୍ତି ଶ୍ରୀମନ୍ଦିରକୁ। ବର୍ଷକେ ଥରେ ଶ୍ରୀମନ୍ଦିରରୁ ବାହାରି ତିନି ଠାକୁର ଆସନ୍ତି ଭକ୍ତଙ୍କୁ ଦେଖିବା ପାଇଁ। ମହାପ୍ରଭୁଙ୍କର ଏଇ ମାନବୀୟ ଲୀଳା ଦେଖିବାକୁ ଭିଡ ଜମେ। ପୁରୀ ବଡ ଦାଣ୍ଡ ହୁଏ ଚଳଚଞ୍ଚଳ। ତେବେ ପୁରୀ ବ୍ୟତୀତ ଭାରତର ବିଭିନ୍ନ ସ୍ଥାନରେ ପାଳିତ ହୁଏ ରଥଯାତ୍ରା। ଏପରିକି ଦେଶ ବାହାରେ ମଧ୍ୟ ପାଳିତ ହୋଇଥାଏ ମହାପ୍ରଭୁଙ୍କର ଏହି ଯାତ୍ରା। ତେବେ ଭାରତରେ ଏମିତି ଏକ ସହର ଅଛି ଯେଉଁଠି ବର୍ଷେ ନୁହେଁ କି ୨ ବର୍ଷ ନୁହେଁ, ୫୯୦ ବର୍ଷ ଧରି ପାଳିତ ହୋଇ ଆସୁଛି ରଥଯାତ୍ରା। 

ସୁରତ ସହରରେ ୫୯୦ ବର୍ଷ ଧରି ଗୋଡ଼ିୟାବା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି।  ରୀତିନୀତିରେ ପୂଜା ସମ୍ପାଦନ ହେବା ପରେ ମହାପ୍ରଭୁ ରଥାରୁଢ଼ ହୁଅନ୍ତି । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କର ରଥକୁ ଟାଣି ନିଅନ୍ତି । ମହିଧରପୁର, ରାମପୁର ଓ ଲାଲଦରଜା ଦେଇ ରଥ ମନ୍ଦିରକୁ ଫେରିଆସେ। ମହାପ୍ରଭୁଙ୍କର ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।

କୁହାଯାଏ, କାମନାଥ ଆଚାର୍ଯ୍ୟ ନାମକ ଜଣେ ସନ୍ଥ ଗୋଡ଼ିୟାବାବା ମନ୍ଦିର ପ୍ରତିଷ୍ଠା କରିଥିଲେ। ସେ ସେଠାରେ ପ୍ରଥମେ କୃଷ୍ଣ ମନ୍ଦିର ପ୍ରତିଷ୍ଠା କରିଥିଲେ। ପରେ ଶ୍ରୀକୃଷ୍ଣଙ୍କ ସହ ମହାପ୍ରଭୁ ଜଗନ୍ନାଥଙ୍କ ପୂଜା ମଧ୍ୟ କରିଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ରଥଯାତ୍ରା ନୀତିକାନ୍ତି ଅନୁଯାୟୀ ପାଳନ ହୋଇଆସୁଛି।

କେବେ ପ୍ରତିଷ୍ଠା ହେଲା ଏଇ ମନ୍ଦିର ? କେମିତି ଆରମ୍ଭ ହେଲା ପୂଜା ? ଏହାକୁ ନେଇ ଏକ ରୋଚକ କାହାଣୀ ରହିଛି। ମନ୍ଦିରର ଜଣେ ପୂଜକଙ୍କ କହିବା ଅନୁଯାୟୀ-“୫୯୦ ବର୍ଷ ତଳେ କାମନାଥ ଆଚାର୍ଯ୍ୟ ସୁରତ ଆସିଥିଲେ। ବର୍ତ୍ତମାନ ଗୋଡ଼ିୟାବାବା ମନ୍ଦିର ପ୍ରତିଷ୍ଠା କରିଥିବା ଜାଗାରେ ଗୋଟିଏ ପୋଖରୀ ଓ ଉଦ୍ୟାନ ଥିଲା। ସେଠାରେ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ପାଇଁ ଗୋଟିଏ ମନ୍ଦିର ପ୍ରତିଷ୍ଠା କରିଥିଲେ। ତାହା ସହ ପ୍ରଭୁ ବଳଦେବ, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ସ୍ଥାପନ କରିଥିଲେ। ସେତେବେଳେ ମୋଗଲ ଶାସନ ଚାଲିଥିବାରୁ ଶଙ୍ଖ ଓ ଘଣ୍ଟା ବଜାଇବା ଉପରେ ପ୍ରତିବନ୍ଧକ ରହିଥିଲା। କିନ୍ତୁ ଏ ସମ୍ପର୍କରେ କାମନାଥ ଆଚାର୍ଯ୍ୟଙ୍କୁ ଜଣାନଥିଲା। ପୂଜା ପରେ ସେ ଶଙ୍ଖ ଓ ଘଣ୍ଟା ବଜାଇ ଦେଇଥିଲେ।

ଠିକ୍‌ ସେତିକି ବେଳେ ମୋଗଲ ସୈନିକମାନେ ତାଙ୍କୁ ଧରି ନେଇଥିଲେ। ଏପରିକି ଶରୀରରୁ ମୁଣ୍ଡକୁ ଅଲଗା କରିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲେ। ଏକଥା ଶୁଣିବା ପରେ ସନ୍ଥ କାମନାଥ ନିଜର ଦୈବୀଶକ୍ତି ବଳରେ ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲେ। ଏହା ଦେଖି ମୋଗଲ ସୈନିକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସୈନିକମାନେ ଏ ସମ୍ପର୍କରେ ରାଜାଙ୍କୁ ଅବଗତ କରାଇଥିଲେ। ମୋଗଲ ରାଜା ଓ ରାଣୀ ଏହି କଥା ଶୁଣି ସଙ୍ଗେ ସଙ୍ଗେ ଆସି ଦେଖନ୍ତି କାମନାଥଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇ ପଡ଼ିଛି। କିନ୍ତୁ ସନ୍ଥ କାମନାଥ ରାଜା ଓ ରାଣୀଙ୍କ ସମ୍ମୁଖରେ ନିଜ ଦୈବୀଶକ୍ତି ବଳରେ ଶରୀରରେ ମୁଣ୍ଡକୁ ପୁଣି ଯୋଡ଼ି ଦେଇଥିଲେ। ଏହା ଦେଖି ରାଜା ଓ ରାଣୀ ଉଭୟ ଚକିତ ହୋଇଯାଇଥିଲେ।

ସଙ୍ଗେ ସଙ୍ଗେ ସନ୍ଥ କାମନାଥଙ୍କ ପାଦ ତଳେ ପଡ଼ିଯାଇଥିଲେ ରାଜା ଓ ରାଣୀ। ଏହି ସମୟରେ ସନ୍ଥ କାମନାଥ ସେହି ସହରରେ ମନ୍ଦିର ନିର୍ମାଣ କରିବା ପାଇଁ ଅନୁମତି ମାଗିଥିଲେ। ମୋଗଲ ରାଜା ଓ ରାଣୀ ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦେଇଥିଲେ। ସେହିଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରଯାଇଛି।”



from Latest Odisha News, Breaking News Today | Top Updates on Corona - OTV News https://ift.tt/3yNJnMZ
୫୯୦ ‍‍‍‍‍‍‍ବର୍ଷ ଧରି ଏଠି ପାଳିତ ହେଉଛି ରଥଯାତ୍ରା Minati Mishra ୫୯୦ ‍‍‍‍‍‍‍ବର୍ଷ ଧରି ଏଠି ପାଳିତ ହେଉଛି ରଥଯାତ୍ରା Minati Mishra Reviewed by SUBHENDU BARAL on July 09, 2021 Rating: 5

No comments:

Powered by Blogger.