ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ସ୍କୁଲ ଖୋଲିବାକୁ ଯାଉଛି। କୋଭିଡ ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବେ ସମ୍ପୃକ୍ତ ସ୍କୁଲ କର୍ତ୍ତୃପକ୍ଷ। ଛାତ୍ରାଛାତ୍ରୀ, ଅଭିଭାବକ ସମସ୍ତେ ଏସଓପି ମାନିବା ବାଧ୍ୟତାମୂଳକ କରାଯାଇଛି। ତେବେ ସ୍କୁଲ ଖୋଲିବା ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। କ୍ଲାସରୁମ୍, ଲାଇବ୍ରେରୀ ଆଦିକୁ ସାନିଟାଇଜ କରାଯାଉଛି।
ସେପଟେ ସ୍କୁଲ କଲେଜ ଖୋଲିବା ପ୍ରସଙ୍ଗରେ ରାଜଧାନୀର ବିଭିନ୍ନ ସ୍କୁଲ କଲେଜ କର୍ତ୍ତୃପକ୍ଷଙ୍କ ସହିତ ବିଏମସି ଆଲୋଚନା ମଧ୍ୟ କରୁଛି। ସରକାର ଜାରି କରିଥିବା ଗାଇଡ୍ ଲାଇନକୁ ସଂପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଯେଉଁ ପିଲାମାନେ ସ୍କୁଲ କଲେଜ ଆସିବେ, ସେମାନଙ୍କ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ଜରୁରୀ ଅଟେ।
ଏହାକୁ ଶିକ୍ଷାନୁଷ୍ଠାନଗୁଡ଼ିକ ନିହାତି ଭାବେ ମାନିବେ। ସ୍କୁଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ଯେଉଁ SOP ପ୍ରସ୍ତୁତ କରିଛନ୍ତି, ତାକୁ କଡ଼ାକଡ଼ି ଭାବେ ପାଳନ କରାଯି॥ ତା ସହିତ ବିଏମସି ଏକ ହେଲ୍ପ ନମ୍ବର ଜାରି କରିଛି ବୋଲି ସୂଚନା ରହିଛି। କୋଭିଡ ସଂପର୍କିତ କିଛି ସମସ୍ୟା ହେଲେ, ଏହି ନମ୍ବରରେ ବିଏମ୍ସିକୁ ଯୋଗାଯୋଗ କରିବେ ସ୍କୁଲ କଲେଜ।
ତେବେ ସ୍କୁଲ୍ ଖୋଲିଲେ କେମିତି କେମିତି ପାଠପଢ଼ା ହେବ ସେନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଥିଲେ। ସେ କହିଛନ୍ତି, ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପାଠ ପଢ଼ିବେ। ଅଧିକ ପିଲାରେ ଅଧିକ ସେକ୍ସନ ହେବ। ଏହି ସମୟରେ ସାନିଟାଇଜେସନ୍ ଓ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରାଥମିକତା ଦିଆଯିବ।
ଯେଉଁଠି ଶିକ୍ଷକଙ୍କ ଆବଶ୍ୟକତା ଥିବ ସେଠାରେ ଶିକ୍ଷକ ପୂରଣ ଲାଗି ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ହେବା ନେଇ କୌଣସି ନିଷ୍ପତ୍ତି ହୋଇନି। ଏନେଇ ସ୍ୱାସ୍ଥ୍ୟ ବିଭାଗ କହିଲେ କରିବୁ। ତେବେ ସିଲାବସ୍ ୩୦% କମିଛି, ଆଉ କମିବ ନାହିଁ ବୋଲି ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
ସୂଚନାଥାଉ କି, ଜାନୁଆରୀ ୮ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମେ’ ୩ରୁ ମାଟ୍ରିକ୍ ପରୀକ୍ଷା ଓ ମେ’ ୧୫ରୁ +୨ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିନିମନ୍ତେ କୋଭିଡ୍ ନିୟମ ପାଳନ କରି ସ୍କୁଲ୍, ହଷ୍ଟେଲ୍ ଆଦି ଖୋଲିବା ପାଇଁ SOP ଜାରି କରାଯାଇଛି। କିନ୍ତୁ ନିୟମାବଳୀରେ ଯାହା ସବୁ ନିଷ୍ପତ୍ତି ହୋଇଛି, ସେସମ୍ପର୍କରେ ତର୍ଜମା କଲା ପରେ ଓଷ୍ଟା କିଛି ପ୍ରସ୍ତାବ ସରକାରଙ୍କ ନିକଟରେ ରଖିଥିଲା।
The post ଆସନ୍ତାକାଲି ଖୋଲିବ ସ୍କୁଲ appeared first on OTV Khabar..
from OTV Khabar. https://ift.tt/3bfpNjT
No comments: