କରୋନା ଟିକା: ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ Sarbeswar Mohapatra

ନୂଆଦିଲ୍ଲୀ: କରୋନା ଟିକାକରଣର ପୂର୍ବରୁ ଆସନ୍ତାକାଲି ଦେଶର ପ୍ରାୟ ୭ଶହ ଜିଲ୍ଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଡ୍ରାଏ ରନ୍ ହେବ। କେଉଁ କେଉଁ ସ୍ତର ଦେଇ ତୃଣମୂଳ ସ୍ତରରେ ଟିକା ପହଞ୍ଚାଯିବ ସେ ନେଇ ବିସ୍ତୃତ ଯୋଜନା କରାଯାଇଛି। ଏସବୁର ସମୀକ୍ଷା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସବୁ ରାଜ୍ୟ ଓ କେନ୍ଦ୍ରଶାାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଟିକାକରଣ କିଭଳି ସୁରୁଖୁରୁରେ ହେବ ସେନେଇ ବୈଠକରେ ଆଲୋଚନା ହେବ।

ଏଥିସହ କିପରି ଟିକାକରଣ କରାଯିବ, ତାର ପୁରା ପ୍ରକ୍ରିୟା ବିଷୟରେ କେନ୍ଦ୍ରମନ୍ତ୍ରୀ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ। ସେପଟେ ଯେକୌଣସି ମୁହୂର୍ତ୍ତରେ ଟିକା ପହଞ୍ଚିବାର ସମ୍ଭାବନା ଥିବାରୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଘୋଷଣା ପରେ ରାଜ୍ୟସ୍ତରରେ ପ୍ରକାଶ ପାଇଛି ତତ୍ପରତା।

ଏପଟେ ଓଡ଼ିଶାରେ ଖୁବ୍ ଶୀଘ୍ର ପହଞ୍ଚିବ କରୋନା ଟିକା। ଏଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ତେବେ କେମିତି ଟିକାକରଣ କେନ୍ଦ୍ରରେ ପହଞ୍ଚିବ ଭାକ୍ସିନ୍? ହିତାଧିକାରୀଙ୍କୁ କେମିତି ଦିଆଯିବ ଟିକା? ସେନେଇ ପ୍ରସ୍ତୁତ ହୋଇଛି ବ୍ଳୁ ପ୍ରିଣ୍ଟ। ପ୍ରଥମେ ଭ୍ୟାକସିନ୍ ଉତ୍ପାଦନକାରୀ କଂପାନୀଠାରୁ ବିମାନ ଯୋଗ ସିଧାସଳଖ ଟିକା ଆସି ପହଞ୍ଚିବ ଷ୍ଟେଟ୍ ଭ୍ୟାକସିନ୍ ଷ୍ଟୋର୍‌ରେ। ସେଠାରୁ ଭୁବନେଶ୍ୱର, କଟକ, ଗଂଜାମ, ବାଲେଶ୍ୱର, ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, କନ୍ଧମାଳ ଓ କୋରାପୁଟ୍, ଏହି ୯ଟି ଆଂଚଳିକ ଭ୍ୟାକସିନ୍ ଷ୍ଟୋରକୁ ସ୍ୱତନ୍ତ୍ର ଭ୍ୟାନ୍ ମଧ୍ୟମରେ ଟିକା ପହଞ୍ଚାଯିବ।

ସେଠାରୁ ପୁଣି ୩୨ଟି ଜିଲ୍ଲା ଭ୍ୟାକସିନ୍ ଷ୍ଟୋର ଓ ପରେ ସେସବୁ ଷ୍ଟୋରରୁ ୧୨ଶହ ୨୨ଟି କୋଲ୍ଡ ଚେନ୍ ପଏଣ୍ଟକୁ ଟିକା ପଠାଯିବ, ଯେଉଁଠି ଆଇସ୍ ଲାଇନ୍ଡ ରେଫ୍ରିଜେଟର୍ ବା ILR କିମ୍ବା ଡିପ୍ ଫ୍ରିଜର୍‌ରେ ଟିକା ରହିବ। ସେଠାରୁ ଭ୍ୟାକସିନ୍ କ୍ୟାରିୟର୍ ମାଧ୍ୟମରେ ସେସନ୍ ସାଇଟ୍ ବା ଟିକାକରଣ କେନ୍ଦ୍ରକୁ ଯିବ। ଯେଉଁଠି ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି।

ପ୍ରତି ଟିକାକରଣ କେନ୍ଦ୍ରରେ ପ୍ରତୀକ୍ଷା କକ୍ଷ, ଟିକାକରଣ ରୁମ୍ ଓ ନିରୀକ୍ଷଣ ରୁମ୍ ରହିବ। ଟିକା ନେବା ପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହେଉଛି କି ନାହିଁ ଜାଣିବା ପାଇଁ ହିତାଧିକାରୀଙ୍କୁ ଅଧଘଣ୍ଟା ଅପେକ୍ଷା କରିବାକୁ ପଡିବ। ସଂପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ପରେ QR ବେସଡ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ।

ସେପଟେ ରାଜ୍ୟରେ ଟିକାକରଣ ପାଇଁ ଯେଉଁ ସରଞ୍ଜାମ ରହିଛି, ତାହା ଯଥେଷ୍ଟ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହଯାଇଛି। ରାଜ୍ୟରେ ପ୍ରସ୍ତୁତ ହୋଇଥିବା ଡାଟାବେସ୍ ଅନୁସାରେ ଟିକା ମଗାଯାଇଛି। ପ୍ରଥମ ପର୍ଯ୍ୟାୟରେ କେଉଁଠି ଟିକାକରଣ ହେବ, ଜିଲ୍ଲାପାଳମାନେ ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବେ। ଏସବୁ ପ୍ରକ୍ରିୟା ୧୦ ତାରିଖ ସୁଦ୍ଧା ଶେଷ ହେବ। ପ୍ରଥମ ଡୋଜ୍‌ର ୨୮ ଦିନ ପରେ ସମାନ କମ୍ପାନିର ଦ୍ୱିତୀୟ ଡୋଜ୍ ଦିଆଯିବ। ତେବେ ସ୍ୱାସ୍ଥ୍ୟ କର୍ମୀ ହୁଅନ୍ତୁ କି ଅନ୍ୟ ହିତାଧିକାରୀ ଟିକା ନେବା ବାଧ୍ୟତାମୂଳକ ନୁହେଁ ବୋଲି ସୂଚନା ରହିଛି।

The post କରୋନା ଟିକା: ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ appeared first on OTV Khabar..



from OTV Khabar. https://ift.tt/3rYAfCl
କରୋନା ଟିକା: ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ Sarbeswar Mohapatra କରୋନା ଟିକା: ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ Sarbeswar Mohapatra Reviewed by SUBHENDU BARAL on January 06, 2021 Rating: 5

No comments:

Powered by Blogger.