ପୁଣି କୁହୁଡ଼ି ଚାଦରରେ ଢାଙ୍କି ହେବ ଓଡ଼ିଶା ! ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର Kanak News

କନକ ବ୍ୟୁରୋ: ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟ କୁହୁଡ଼ି ଚାଦରରେ ଢାଙ୍କି ହେବ। ବିଶେଷ କରି ଉପକୂଳ ଓଡ଼ିଶାରେ କୁହୁଡ଼ିର ପ୍ରଭାବ ଅଧିକ ରହିବ। ଏଥିପାଇଁ ଆଜି ପାଇଁ ଘନକୁହୁଡ଼ିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ରାଜ୍ୟର ଉପକୂଳ ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହୁଥିବାରୁ ଏହାର ପ୍ରଭାବରେ ଘନ କୁହୁଡ଼ିର ସମ୍ଭାବନା ରହିଛି ବୋଲି କେନ୍ଦ୍ର କହିଛି। ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳ।
କେନ୍ଦ୍ର କହିଛି, ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବେ ଶୁଖିଲା ରହିଛି। ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୧.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ଅନୁଗୁଳଠାରେ ୩୪.୧ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ପାରାଦୀପ ଓ ଚାନ୍ଦବାଲିଠାରେ ମଧ୍ୟ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା। କଟକ,ପୁରୀ ଓ ମାଲକାନଗିରିଠାରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇଥିଲା। ବର୍ତ୍ତମାନ ରାତ୍ରିର ସର୍ବନିମ୍ନ ତାପମାତ୍ରା ଓ ସ୍ବାଭାବିକ ତାପମାତ୍ରା ମଧ୍ୟରେ ସର୍ବାଧିକ ବ୍ୟବଧାନ ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ୬.୫ଡିଗ୍ରି ରହିଛି। ଏଥିସହ ଏହି ବ୍ୟବଧାନ ସମ୍ବଲପୁରଠାରେ ୬.୩ ଡିଗ୍ରି ଓ କେନ୍ଦୁଝରଠାରେ ପାଖାପାଖି ୫.୩ ଡିଗ୍ରି ରହିଛି।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ବର୍ତ୍ତମାନ ରାତ୍ରି ତାପମାତ୍ରା ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ପରବର୍ତୀ ୧ରୁ ୨ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଖସିବା ଆରମ୍ଭ କରିବ। ଏପରିକି ପାରଦ ସ୍ତର ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ କମିବ। ଫଳରେ ରାଜ୍ୟରେ ଶୀତ ଅନୁଭୂତ ହେବ। ରାଜଧାନୀରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।
from Kanak News https://ift.tt/2Lb11Hj https://ift.tt/3oKGNC5
No comments: