ନୂଆଦିଲ୍ଲୀ ୦୮।୦୧: ନୂତନ କୃଷି ଆଇନକୁ ନେଇ ଦେଶରେ ଚାଷୀମାନଙ୍କ ବିରୋଧ ଜାରି ରହିଛି। ଇତିମଧ୍ୟରେ ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୪୪ ଦିନରେ ପହଞ୍ଚିଲାଣି । ତଥାପି କୌଣସି ସମାଧାନର ବାଟ ବାହାରିପାରୁନି । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଅନେକ ପର୍ଯ୍ୟାୟ ବୈଠକ ସରିଥିଲେ ବି କୌଣସି ସୁଫଳ ବାହାରିପାରିନାହିଁ । ଆଜି ପୁଣି ଥରେ କୃଷକ ସଂଗଠନ ସହ ଆଲୋଚନା କରିବେ କେନ୍ଦ୍ର ସରକାର । ଅଷ୍ଟମ ପର୍ଯ୍ୟାୟ ବୈଠକ ସରିବା ପରେ ଶୁକ୍ରବାର ଦିନ ପୁଣି ଚାଷୀ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି ।
କେନ୍ଦ୍ର ଓ ପ୍ରଦର୍ଶନକାରୀ କୃଷକଙ୍କ ମଧ୍ୟରେ ଶୁକ୍ରବାର ଆଲୋଚନା ପୂର୍ବରୁ ଗୁରୁବାର ଦିନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ତିନୋଟି ନୂଆ କୃଷି ଆଇନ୍ ଫେରାଇ ନେବା ବଦଳରେ ଅନ୍ୟ ଯେକୌଣସି ପ୍ରସ୍ତାବ ଉପରେ କୃଷକ ସଂଗଠନ ସହ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଆଠ ଜାନୁଆରୀରେ ୪୦ କୃଷକ ସଂଗଠନ ସହ କେନ୍ଦ୍ର ସରକାରଙ୍କର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।ଶୁକ୍ରବାର ଦିନ ୨ଟା ସମୟରେ ବିଜ୍ଞାନ ଭବନରେ କୃଷକ ସଂଗଠନ ସହ ଆଲୋଚନା କରାଯିବ ।
ଅନ୍ୟପଟେ ଦିଲ୍ଲୀର ସବୁ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । କୃଷକମାନେ ଗୁରୁବାର ଟ୍ରାକ୍ଟର୍ ରାଲି କରିଛନ୍ତି । ସେପଟେ ଆନ୍ଦୋଳନ ସ୍ଥଳରେ ମହାମାରୀ କୋଭିଡ୍ -୧୯ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଗୁରୁବାର ସୁପ୍ରିମ୍ କୋର୍ଟ ପ୍ରଶ୍ନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତବର୍ଷ ମାର୍ଚ୍ଚ ମାସରେ ନୂଆଦିଲ୍ଲୀରେ ସଂଘଠିତ ତବଲିଗି ଜମାତ ପ୍ରସଙ୍ଗକୁ ଅଦାଲତ ଉଲ୍ଲେଖ କରିଛନ୍ତି। ଆଉ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କହିଛନ୍ତି ଚାଷୀଙ୍କୁ ଯଦି କୋଭିଡ୍ ସୁରକ୍ଷା ନମିଳେ , ତେବେ ତବଲିଗ୍ ଜମାତ୍ ଭଳି ସ୍ଥିତି ଉପୁଜିବାର ଆଶଙ୍କା ରହିଛି । ଆନ୍ଦୋଳନ ସ୍ଥଳରେ କୋଭିଡ୍ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାର କି କି ମାର୍ଗଦର୍ଶିକା ଜାରି କରିଛନ୍ତି ବୋଲି ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି।
from Prameya News7 https://ift.tt/38p3k23

No comments: