ନୂଆଦିଲ୍ଲୀ/ଭୁବନେଶ୍ୱର: ଅକ୍ଟୋବର-୨ ଭାରତ ପାଇଁ ଏକ ପବିତ୍ର ଦିନ । ଏଇ ଦିନ ଦୁଇ ଦୁଇ ଜଣ ମହାତ୍ମା ଜନ୍ମ ନେଇ ଏଇ ମାଟିକୁ କରିଥିଲେ ମହାନ୍। ସେ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧି ଏବଂ ସ୍ୱାଧୀନ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ଆଜି ସାରା ଦେଶ ଏଇ ଦୁଇ ମହାନ୍ ଜନନାୟକଙ୍କ ଜନ୍ମଦିବସ ପାଳନ କରୁଛି। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଓ ଶାସ୍ତ୍ରୀଙ୍କ ୧୧୫ତମ ଜୟନ୍ତୀ।
ଆଜିର ଦିନରେ ୧୮୬୯ ମସିହାରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ବାପୁ। ସତ୍ୟ ଏବଂ ଅହିଂସା ମହାତ୍ମା ଗାନ୍ଧିଙ୍କ ଥିଲା ଦୁଇ ମୂଳ ମନ୍ତ୍ର । ଗାନ୍ଧି ଜୟନ୍ତୀ ଅବସରରେ ଆଜି ରାଜଘାଟ ଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେହିପରି ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ । ବିଜୟ ଘାଟରେ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାସୁମନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଲାଲବାହାଦୁରଙ୍କ ପରିବାର ବି ବିଜୟ ଘାଟରେ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । ୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଶାସ୍ତ୍ରୀ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ଲାଲ ବାହାଦୂରଙ୍କ ଶାସ୍ତ୍ରୀଙ୍କ ସ୍ଲୋଗାନ ଥିଲା ଜୟ ଯବାନ ଜୟ କିଶାନ । ଜଣେ ଗରିବ ପରିବାରରୁ ଯାଇ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ସ୍କୁଲ ଶିକ୍ଷା ସମୟରୁ ହିଁ ସେ ସ୍ୱାଧୀନତା ସଂଗ୍ରାମ ପ୍ରତି ଆଗ୍ରହ ଦେଖାଇଥିଲେ। ୧୯୨୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲ।
ଆଜି ଗାନ୍ଧି ଓ ଶାସ୍ତ୍ରୀ ନାହାନ୍ତି। ହେଲେ ଏହି ଦୁଇ ଜନନାୟକଙ୍କୁ ଆଜି ଦେଶ କାହିଁକି ଝୁରୁଛି ? ଜାଣନ୍ତୁ କିଛି ଖାସ୍ କଥା…
ନିଜ କଥା ଭାବିବା ପୂର୍ବରୁ ଅନ୍ୟ କଥା ଭାବୁଥିଲେ…
ଥରେ ଗାନ୍ଧିଜୀ ଟ୍ରେନ୍ରେ ଚଢୁ ଥିବାବେଳେ ହଠାତ୍ ତାଙ୍କ ପାଦରୁ ଗୋଟିଏ ଚପଲ ଖସି ପଡ଼ିଲା। ତତ୍କ୍ଷଣାତ୍ ସେ ପାଦରୁ ଅନ୍ୟ ଚପଲଟି କାଢି ଫିଙ୍ଗି ଦେଲେ। ପାଖରେ ବସିଥିବା ଜଣେ ବ୍ୟକ୍ତି ଏସବୁ ଦେଖୁଥିଲେ। ସେ ଆଶ୍ଚର୍ଯ୍ୟ ହୋଇ ଗାନ୍ଧିଙ୍କୁ ଅନ୍ୟ ଚପଲଟି କାହିଁକି ଫିଙ୍ଗିଲ ବୋଲି ପଚାରିଥିଲେ। ଗାନ୍ଧି ଉତ୍ତର ଦେଇଥିଲେ, ଖସି ପଡ଼ିଥିବା ଚପଲଟି ଫେରି ପାଇବାର ସମ୍ଭାବନା ନାହିଁ। ତେଣୁ ଗୋଟିଏ ଚପଲ ମୋର କୌଣସି କାମରେ ଆସିବ ନାହିଁ। ଯଦି କିଏ ଦୁଇଟି ଯାକ ଚପଲ ପାଇବ ଅନ୍ତତଃ ପିନ୍ଧି ତ ପାରିବ !
ଚିରା ପୋଷାକର କପଡ଼ାରେ କରୁଥିଲେ ରୁମାଲ…
ଶାସ୍ତ୍ରୀଜୀ ଖାଦ୍ୟ ଓ କପଡ଼ାର ଦୁରୁପଯୋଗ କଦାପି ସହ୍ୟ କରି ପାରୁ ନ ଥିଲେ। କୁହାଯାଏ, ସେ ଚିରା ଓ ପୁରୁଣା କପଡ଼ାରେ ରୁମାଲ୍ ତିଆରି କରି ବ୍ୟବହାର କରୁଥିଲେ । ଥରେ ଶାସ୍ତ୍ରୀଙ୍କ ପତ୍ନୀ ଏ ନେଇ ତାଙ୍କୁ ବାରଣ କରିଥିଲେ। ହେଲେ ଶାସ୍ତ୍ରୀଜୀ ସରଳ ଭାବରେ ଉତ୍ତର ଦେଇଥିଲେ, ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କ ଗୁଜରାଣ ଏମିତି ହିଁ ହୁଏ।
ଅନ୍ଧବିଶ୍ୱାସକୁ ଦୂରେଇ ପରିବର୍ତ୍ତନକୁ ଗ୍ରହଣ କରିଥିଲେ..
ଓକିଲାତି ପଢିବା ପାଇଁ ଗାନ୍ଧିଜୀ ଜାହାଜରେ ବିଲାତ ଯବା ପାଇଁ ପ୍ରସ୍ତୁତ ହେଉଥାନ୍ତି। ଏଥିପାଇଁ ତାଙ୍କୁ ଜାହାଜରେ ଜଳଯାତ୍ରା କରିବାକୁ ପଡ଼ିବ। ହେଲେ ତାଙ୍କ ଜାତିରେ ସମୁଦ୍ର ପାର ହେବା ମନା । କାରଣ ଏହା ଧର୍ମର ଅବମାନନା। ହେଲେ ଗାନ୍ଧିଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନ ଥିଲା। ଏପରିକି ଯଦି ତାଙ୍କୁ କିଏ ଏ ଦିଗରେ ସହଯୋଗ କରିବ ତେବେ ତାଙ୍କୁ ଜାତିରୁ ବାଛନ୍ଦ କରାଯିବ ବୋଲି କୁହାଗଲା। ଏହା ସତ୍ତ୍ୱେ ଗାନ୍ଧିଜୀ ଏହି ଅନ୍ଧବିଶ୍ୱାସଠୁ ନିଜକୁ ଦୂରେଇ ରଖିଥିଲେ ଏବଂ ବିଲାତଯାତ୍ରା କରିଥିଲେ।
୧୬ ବର୍ଷ ବୟସରେ ଦୃଢ ମନୋବଳର ପରିଚୟ ଦେଇଥିଲେ
୧୬ ବର୍ଷ ବୟସରେ ଶାସ୍ତ୍ରୀଜୀ ମହାତ୍ମା ଗାନ୍ଧିଙ୍କ ଡାକରାରେ ପାଠପଢା ଅଧାରୁ ଛାଡ଼ି ସ୍ୱାଧୀନତା ଅନ୍ଦୋଳନରେ ଝାସ ଦେଇଥିଲେ। ଯଦିଓ ପରିବାର ଲୋକ ଜାଣିଥିଲେ, ଅତି ସରଳ, ଅମାୟିକ ଦିଶୁଥିବା ଏଇ ପିଲାଟିର ନିଷ୍ପତ୍ତି, ବିଚାରଧାରା ପଥର ପରି ଟାଣ ତଥାପି ତାଙ୍କୁ ପଠପଢା ନ ଛାଡ଼ିବା ପାଇଁ ବୁଝାଇଥିଲେ। ହେଲେ କିଛି ପ୍ରଭାବ ପଡ଼ି ନ ଥିଲା। ଶାସ୍ତ୍ରୀଜୀ ପାଠ ପଢା ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ।
ନାରୀଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରିଥିଲେ
୧୯୧୭ ନଭେମ୍ବରରେ ୮ ତାରିଖ, ସତ୍ୟାଗ୍ରହ ସମୟର କଥା। ମହାତ୍ମା ଗାନ୍ଧି ତାଙ୍କର କିଛି ସହକର୍ମୀଙ୍କୁ ନେଇ ଚମ୍ପାରଣ ଯାତ୍ରା କରିଥିଲେ। ଅନ୍ୟ କର୍ମୀଙ୍କ ସହ ୬ ଜଣ ମହିଳା ଏହି ଯାତ୍ରାରେ ସାମିଲ ହୋଇଥିଲେ। ଗାନ୍ଧୀଙ୍କ କହିବା ଅନୁସାରେ ଏହି ମହିଳାମାନେ ସେଠାରେ ତିନୋଟି ସ୍କୁଲ ଖୋଲିଥିଲେ ଏବଂ ଶିକ୍ଷାଦାନ ସହ ମହିଳାମାନଙ୍କୁ କ୍ଷେତିବାଡି କାମ, ନଳକୂପ ଓ କୂଅ ଚାରିପାଖ ସଫା କରିବା କାମ ମଧ୍ୟ ଶିଖାଇଥିଲେ।
ଦରମା ନେବା ବନ୍ଦ କରି ଦେଇଥିଲେ..
୧୯୬୫ରେ ଦେଶରେ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥାଏ। ଏହି ସମୟରେ ଶାସ୍ତ୍ରୀଜୀ ନିଜ ଦରମା ନେବା ବନ୍ଦ କରି ଦେଇଥିଲେ। ସେ ନିଜ ଘରେ କାମ କରୁଥିବା ବାଈକୁ ମଧ୍ୟ ମନା କରି ଦେଇଥିଲେ। ନିଜ କାମ ନିଜେ କରୁଥିଲେ। ଏପରିକି ନିଜର ଚିରାଫଟା ସାର୍ଟକୁ କୋଟ୍ ତଳେ ପିନ୍ଧି ଚଳାଇ ଦେଉଥିଲେ।
ଛୁଆଁ ଅଛୁଆଁ ଭାବନାଠାରୁ ଦୂରରେ ଥିଲେ..
ରାଜକୋଟରେ ଗାନ୍ଧିଜୀଙ୍କ ଘର ପାଖରେ ଜଣେ ସଫେଇ କର୍ମଚାରୀ ରହୁଥିଲେ। କୌଣସି ଏକ ସମାରୋହରେ ଗାନ୍ଧିଙ୍କୁ ମିଠା ବାଣ୍ଟିବା କାମ ଦିଆଯାଇଥିଲା। ପ୍ରଥମେ ଗାନ୍ଧି ମିଠା ଦେବା ପାଇଁ ଏହି ସୁରକ୍ଷାକର୍ମୀଙ୍କ ଘରେ ପହଞ୍ଚିଗଲେ। ଗାନ୍ଧିଜୀ ଯେମିତି ମିଠା ତାଙ୍କ ହାତକୁ ବଢାଇ ଦେଇଛନ୍ତି, ସଫେଇ କର୍ମଚାରୀ ତୁରନ୍ତ ଘୁଞ୍ଚିଯାଇ ଅଛୁଆଁ ବୋଲି ଜଣାଇ ଦେଲେ। ଗାନ୍ଧିଜୀ ତାଙ୍କ ହାତ ଧରି ମିଠା ପ୍ୟାକେଟ ବଢାଇବା ସହ କହିଥିଲେ-ଆମେ ସମସ୍ତେ ମଣିଷ, ଛୁଆଁ ଅଛୁଆଁ ଏଠି କିଛି ନାହିଁ।
ଅଭାବ ଭିତରେ ରହୁଥିଲେ, ଅଭାବି ମଣିଷଙ୍କ ଦୁଃଖ ବୁଝୁଥିଲେ
ଶାସ୍ତ୍ରୀଜୀ ରେଳମନ୍ତ୍ରୀ ଥିବା ସମୟରେ କାଶୀରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା। ଯିବା ବାଟରେ ତାଙ୍କର ଜଣେ ସହକର୍ମୀ ତାଙ୍କୁ କହିଲେ- ସାର୍, ଆପଣଙ୍କ ସାର୍ଟ ଫାଟି ଯାଇଛି। ଶାସ୍ତ୍ରୀଜୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା। ସେମିତି ବିନମ୍ର କଣ୍ଠରେ ଉତ୍ତର ଦେଇଥିଲେ- ‘ଗରିବ ପିଲା, ଏମିତି ରହିବାକୁ ପଡ଼ିବ । ଗରିବ ହେଲେ ସିନା ଗରିବଙ୍କ ଦୁଃଖ ବୁଝି ପାରିବି।’
ସମ୍ମାନଠାରୁ ସମୟ ଥିଲା ମୂଲ୍ୟବାନ
ଦାଣ୍ଡିଯାତ୍ରା ସମୟରେ ଗାନ୍ଧିଜୀ ଶୋଭାଯାତ୍ରାରେ ଯାଉଥିଲେ। ବାକର୍ ନାମକ ଜଣେ ଇଂରେଜ ଗାନ୍ଧିଙ୍କୁ ଦେଖା କରିବାକୁ ଆସିଲେ। ବାକର ଗାନ୍ଧିଙ୍କର ଜଣେ ବଡ ପ୍ରଶଂସକ । ଏହା ଜାଣବା ପରେ ଗାନ୍ଧିଙ୍କ ସହ ଥିବା ଅନ୍ୟ କର୍ମୀମାନେ ଭାବିଲେ , ଯେହେତୁ ବାକର୍ ଗାନ୍ଧିଙ୍କ ପ୍ରଶଂସକ ତେଣୁ ସେମାନଙ୍କୁ ଏଠାରେ ଅଟକିବାକୁ ପଡ଼ିବ। ହେଲେ ଗାନ୍ଧିଜୀ ବାକରଙ୍କୁ ସମୟ ଦେଇ ନ ଥିଲେ। ଏହା ଦେଖି ଜଣେ କର୍ମୀ ଗାନ୍ଧିଙ୍କୁ କହିଥିଲେ, ‘ତାଙ୍କୁ ଦେଖା କରିଥିଲେ ଆପଣ ଖ୍ୟାତି ଆହୁରି ବଢିଥାନ୍ତା। ଇଂରାଜୀ ଖବରକାଗଜରେ ଆପଣଙ୍କ ନାମ ସମ୍ମାନର ସହ ସ୍ଥାନ ପାଇଥାନ୍ତା।’ ଗାନ୍ଧିଜୀଙ୍କ ସରଳ ଉତ୍ତର ଥିଲା – ‘ ମୋ ପାଇଁ ସମ୍ମାନଠାରୁ ସମୟ ଅଧିକ ମୂଲ୍ୟବାନ୍ ।‘
ଲାଠିଚାର୍ଜ ବଦଳରେ ପାଣିମାଡ
ଶାସ୍ତ୍ରୀଜୀ ସବୁବେଳେ ସତ୍ୟାଗ୍ରହର ସମର୍ଥକ ଥିଲେ। ଏପରିକି ବିରୋଧୀମାନଙ୍କର ପୂରା ଧ୍ୟାନ ରଖୁଥିଲେ। ଗୃହମନ୍ତ୍ରୀ ଥିବା ସମୟରେ ସେ ପ୍ରଥମଥର ପାଇଁ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଲାଠିଚାର୍ଜ ବଦଳରେ ପାଣିମାଡ଼ କରିବାକୁ କହିଥିଲେ। କେହି ବିକ୍ଷୋଭକାରୀ ଯେମିତି ଆହତ ହେବେନି ସେଥିପାଇଁ ସେ ଏପରି ନିର୍ଦ୍ଦେଶ ଦେଇଥିଲେ।
The post ଦେଶର ଦୁଇ ଜନନାୟକ-‘ଗାନ୍ଧୀ-ଶାସ୍ତ୍ରୀ’ଙ୍କୁ କାହିଁକି ଝୁରୁଛି ଦେଶ ? appeared first on OTV Khabar..
from OTV Khabar. https://ift.tt/3n7pwDb
No comments: