୬ ମାସ ହେଲା ସରୁନି ଚୟନ ପ୍ରକ୍ରିୟା : କୁଳପତି ଦାୟିତ୍ୱରେ କିଏ ରହିବେ ? ୬ ବିଶ୍ୱବିଦ୍ୟାଳୟ ଲାଗି ୪୯୭ଟି ଆବେଦନପତ୍ର Kanak News

କନକ ବ୍ୟୁରୋ : ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ଅମରେନ୍ଦ୍ର ନାରାୟଣଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପଦ୍ମଜା ମିଶ୍ରଙ୍କର ବୁଧବାର ସରିବ। ଏହାପରେ ଉକ୍ତ ଦୁଇ ବିଶ୍ୱବିଦ୍ୟାଳୟର କୁଳପତି କିଏ ହେବେ? ନୂତନ କୁଳପତି ଚୟନ ହୋଇ ନଥିବାରୁ ଏବେ ବିଶ୍ବବିଦ୍ୟାଳୟ ପ୍ରଫେସର୍ ଓ କର୍ମଚାରୀଙ୍କ ମଧ୍ୟରେ ଆଶା ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ବର୍ତମାନର କୁଳପତିଙ୍କ କାର୍ଯ୍ୟକାଳ ପୁଣିଥରେ ୩ ମାସ ବଢ଼ାଇବେ ନା ଆଉ କାହାକୁ ଭାରପ୍ରାପ୍ତ ଦାୟିତ୍ବରେ ରଖିବେ, ତାହାକୁ ନେଇ କ୍ୟାମ୍ପସରେ ସରଗରମ୍ ଆଲୋଚନା ଚାଲିଛି।
ତେବେ କୁଳପତି ନିଯୁକ୍ତି ପାଇଁ କୁଳାଧିପତିଙ୍କ ନିକଟରେ ଏକାଧିକ ବିକଳ୍ପ ରହିଛି। ଜିଲ୍ଲାପାଳ କିମ୍ବା ଆର୍ଡିସିଙ୍କୁ ଭାରପ୍ରାପ୍ତ ଦାୟିତ୍ବରେ ରଖାଯାଇପାରେ। ପିଜି କାଉନସିଲ୍ ଅଧ୍ୟକ୍ଷଙ୍କୁ ବି ଦାୟିତ୍ବ ଦିଆଯାଇପାରେ। ନିକଟସ୍ଥ ସରକାରୀ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ବି ଭାରପ୍ରାପ୍ତ ଦାୟିତ୍ବ ରଖାଯାଇପାରେ। ଯଦି ବିଶ୍ବବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶକୁ ବିଚାରକୁ ନିଆଯାଏ, ତେବେ ଅଧ୍ୟାଦେଶର ୬(ଏଫ୍)-୨ ଅନୁଯାୟୀ ପଡ଼ୋଶୀ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଅତିବେଶିରେ ବର୍ଷେ ଯାଏ କିମ୍ବା ନୂତନ କୁଳପତି କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇପାରେ। ଏମିତିକି ପୂର୍ବରୁ ଓୟୁଏଟି କୁଳପତି ନ ଥିବା ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଦୁଇଟି ବିଶ୍ବବିଦ୍ୟାଳୟର କୁଳପତି ଦାୟିତ୍ବରେ ରଖାଯିବାର ନଜିର ରହିଛି। ବିଶ୍ବବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ବଳରେ କୁଳପତି ଚୟନ ପ୍ରକ୍ରିୟା ହେଉଥିବାରୁ ବର୍ତ୍ତମାନର କୁଳପତିଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରିବା କିମ୍ବା ଜିଲ୍ଲାପାଳ, ଆରଡିସିଙ୍କୁ ଦାୟିତ୍ବ ଦେବା ଆଇନର ଉଲ୍ଲଂଘନ ହେବ ବୋଲି ଶିକ୍ଷାବିତ୍ମାନେ ମତ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ୬ଟି ଯାକ ବିଶ୍ବବିଦ୍ୟାଳୟ କୁଳପତି ପାଇଁ ଦ୍ବିତୀୟ ପର୍ଯ୍ୟାୟ ଆବେଦନରେ ବରିଷ୍ଠ ପ୍ରଫେସର୍ଙ୍କ ଆଗ୍ରହ ବଢ଼ିଥିବା ଦେଖିବାକୁ ମିଳିଛି। ପୂର୍ବଥର କୁଳପତି ଦୌଡ଼ରେ ସାମିଲ ହୋଇ ବିଫଳ ହୋଇଥିବା ପ୍ରଫେସର୍ମାନେ ଏଥର ବି ଆବେଦନ କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ୬ଟି ବିଶ୍ବବିଦ୍ୟାଳୟ ଲାଗି ୪୯୭ଟି ଆବେଦନପତ୍ର ଆସିଛି । ଫକୀର ମୋହନ ବିଶ୍ବବିଦ୍ୟାଳୟ ପାଇଁ ସର୍ବାଧିକ ୧୦୫ଜଣ ପ୍ରଫେସର ଦୌଡ଼ରେ ସାମିଲ ହୋଇଛନ୍ତି । ଏହା ତଳକୁ ଉତ୍ତର ଓଡ଼ିଶା ପାଇଁ ୯୧, ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ୮୫, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଲାଗି ୮୧, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଲାଗି ୭୩ ଓ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପାଇଁ ୬୨ଜଣ ପ୍ରଫେସର୍ ଆବେଦନ କରିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରର ଶତାଧିକ ପ୍ରଫେସର୍ ଏକାଧିକ ବିଶ୍ବବିଦ୍ୟାଳୟ ଲାଗି ଆବେଦନ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଗଠନ ହୋଇଥିବା ବିଭିନ୍ନ କମିଟିରେ ସଦସ୍ୟ ଥିବା କେତେ ଜଣ ପ୍ରଫେସର୍ କୁଳପତି ଦୌଡ଼ରେ ସାମିଲ ହୋଇଛନ୍ତି। କୁଳପତି ଚୟନ ପ୍ରକ୍ରିୟାରେ ରାଜ୍ୟ ସରକାରଙ୍କ ପ୍ରତିନିଧି ରହୁଥିବା ବେଳେ କିଭଳି ଓ କେଉଁ ପରିସ୍ଥିତିରେ ଏମାନେ ଆବେଦନ କରିଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି ।
ବିଶ୍ୱବିଦ୍ୟାଳୟ ଦ୍ବାରା ପ୍ରଫେସର୍ ନିଯୁକ୍ତି ପ୍ରକ୍ରିୟା ବିଳମ୍ବ ହେଉଥିବା ଅଭିଯୋଗ କରି ରାଜ୍ୟ ସରକାର ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧିତ ଅଧ୍ୟାଦେଶ ବଳରେ ଓପିଏସ୍ସି ଦ୍ବାରା ନିଯୁକ୍ତି ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ୬ଟି ବିଶ୍ବବିଦ୍ୟାଳୟ କୁଳପତି ପଦ ଲାଗି ୬ ମାସ ହେଲା କୁଳାଧିପତିଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିତ ଭାବେ ଚୟନ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆବେଦନପତ୍ରର ସ୍କ୍ରୁଟିନି ଶେଷ ହୋଇ ନଥିବାରୁ ସରକାରୀ ବ୍ୟବସ୍ଥାର ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି।
from Kanak News https://ift.tt/33RPBhU https://ift.tt/33SiCKw
Reviewed by SUBHENDU BARAL
on
October 12, 2020
Rating:
No comments: