ଆଜି ଲଘୁଚାପ : ୧୧ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି Kanak News

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଭିଜିବ ଓଡିଶା ।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଥାଇଲାଣ୍ଡ ଉପକୂଳ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା କେନ୍ଦ୍ରୀୟ ବଙ୍ଗୋ‌ପସାଗରରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହାର ପ୍ରଭାବରେ ଆସନ୍ତା ୧୧ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ବାସ କହିଛନ୍ତି, ଆସନ୍ତାକାଲିଠାରୁ ଲଘୁଚାପ ସୃଷ୍ଟି ହୋଇ ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ଏବଂ ୧୧ ତାରିଖ ଅପରାହ୍ନ କିମ୍ବା ସଂଧ୍ୟା ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ପାଖାପାଖି ଅତିକ୍ରମ କରିବାର ସମ୍ଭାବନା ରହିଛି। ଫଳରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ମଧ୍ୟ ଘଣ୍ଟାପ୍ରତି ୪୫ରୁ ୫୫ କିମି ରହିବ। ତେଣୁ ଜନସାଧାରଣଙ୍କୁ ସତର୍କ ରହିବାକୁ ଓ ମତ୍ସ୍ୟଜୀବୀମାନଙ୍କ ୧୦ରୁ ୧୩ ତାରିଖ ଯାଏଁ ସମୁଦ୍ର ଭିତରକୁ ଯିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି।

ଆସନ୍ତାକାଲି ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୦ ତାରିଖ ଦିନ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଆଜି ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ। ଅବଶିଷ୍ଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବି ବର୍ଷା ହୋଇପାରେ। ତେବେ ଲଘୁଚାପ ପ୍ରଭାବରେ ୧୧ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶାର ସମସ୍ତ ସ୍ଥାନରେ ବର୍ଷା ହେବ। ଉତ୍ତର ଉପକୂଳ ଓଡ଼ିଶାର ଅନେକାଂଶରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ମାଲକାନଗିରି, କନ୍ଧମାଳ, ପୁରୀ, ଜଗତସିଂହପୁର, ଖୋର୍ଧା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୧୨ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଓ ଗଞ୍ଜାମ, ପୁରୀ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ୧୧ ଓ ୧୨ ତାରିଖ ୪୫ରୁ ୫୫ କିମି ବେଗରେ ପବନ ବହିବାର ବି ଆଶଙ୍କା ରହିଛି।

ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ୁଛି ‌ଯେ ଆଜି ସଂଧ୍ୟା ୮ଟା ସୁଦ୍ଧା ମିଆଁମାର ଉପକୂଳ ତଥା ପୂର୍ବ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଯାଇଛି। ଏହା ୯ ତାରିଖ ସକାଳ ସୁଦ୍ଧା ଲଘୁଚାପ, ୧୦ ତାରିଖରେ ଅବପାତ, ୧୧ରେ ହୁଏତ ଗଭୀର ଅବପାତରେ ପରିଣତ ହୋଇ ୧୨ରେ ଅବପାତ ରୂପରେ ସ୍ଥଳ ଭାଗ ଛୁଇଁବ। ସମ୍ଭବତଃ ଏହା ବିଶାଖାପାଟଣାର ପାଖାପାଖି ସ୍ଥଳ ଭାଗ ଛୁଇଁପାରେ। ଫଳରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ଓଡ଼ିଶା ଅପେକ୍ଷା ବହୁତ ଅଧିକ ବର୍ଷା ହେବ ଏବଂ ଓଡ଼ିଶାରେ ୧୧ ଓ ୧୨ରେ ବର୍ଷା ହେବ। ଦକ୍ଷିଣ ଉପକୂଳ ପୁରୀ, ନୟାଗଡ଼ ଓ ଗଞ୍ଜାମରେ ସବୁଠାରୁ ଅଧିକ ବର୍ଷା ହେବ। ସ୍ଥାନେ ସ୍ଥାନେ ଅତିପ୍ରବଳ ବର୍ଷା ହୋଇପାରେ। ଉତ୍ତର ଉପକୂଳ ଓ ଅବିଭକ୍ତ ‌କୋରାପୁଟ ଓ ଅବିଭକ୍ତ ଗଞ୍ଜାମରେ ପ୍ରାୟତଃ ପ୍ରବଳ ବର୍ଷା ହେବ ବୋଲି ଡ. ପଶୁପାଳକ କହିଛନ୍ତି।



from Kanak News https://ift.tt/33FshnI https://ift.tt/33rSLaG
ଆଜି ଲଘୁଚାପ : ୧୧ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି Kanak News ଆଜି ଲଘୁଚାପ : ୧୧ରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି Kanak News Reviewed by SUBHENDU BARAL on October 08, 2020 Rating: 5

No comments:

Powered by Blogger.